ମାରିନ୍‍ ବିଚ୍‍ରେ ସମାଧି ନେବେ କରୁଣାନିଧି: ହାଇକୋର୍ଟ

0

ଚେନ୍ନାଇ: ଦିବଂଗତ ଡିଏମକେ ନେତା ଏମ୍‍ କରୁଣାନିଧିଙ୍କ ପାର୍ଥିବ ଶରୀରକୁ ମାରିନ୍‍ ବିଚ୍‍ରେ ସମାଧି ଦିଆଯିବ। ସେଠାରେ ସମାଧି ପାଇଁ ତାମିଲନାଡ଼ୁ ସରକାର ଅନୁମତି ଦେଇ ନଥିବାରୁ ସମାଧି ସ୍ଥଳକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତେବେ ଆଜି ପୂର୍ବାହ୍ନରେ ଡିଏମ୍‍କେର ଆବେଦନକୁ ଗ୍ରହଣ କରି ମାଡ୍ରାସ୍‌ ହାଇକୋର୍ଟ ମାରିନ୍‍ ବିଚ୍‍ରେ ହିଁ କରୁଣାନିଧିଙ୍କ ସମାଧି ପାଇଁ ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ତାଙ୍କ ପାର୍ଥିବ ଶରୀରକୁ ଆନ୍ନା ମେମୋରିଆଲ୍‍ ନିକଟରେ ସମାଧି ଦିଆଯିବ। ସେଠାରେ ଏମଜିଆର ଓ ଜୟଲଳିତାଙ୍କୁ ସମାଧି ଦିଆଯାଇଛି। କରୁଣାନିଧିଙ୍କ ଏକ ସ୍ମାରକୀ ନିର୍ମାଣ ପାଇଁ ତାଲିମନାଡ଼ୁ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ସମାଧି ପୂର୍ବରୁ କରୁଣାନିଧିଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ରାଜାଜୀ ହଲ୍‍ରେ ପହଞ୍ଚିଛନ୍ତି। କମଳ ହାସନ୍‍, ରଜନୀକାନ୍ତ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ କେ ପାଲାନିସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭାମ୍‍ ପ୍ରମୁଖ କରୁଣାନିଧିଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଆର୍ଟ ଅଫ୍‍ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର ଟ୍ୱିଟ୍‍ କରି କରୁଣାନିଧିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହିତ ତାଙ୍କୁ ଜଣେ ମହାନ୍‍ ରାଜନୈତିକ କବି ଭାବେ ବର୍ଣ୍ଣନା କରିଛନ୍ତି।


ତାମିଲନାଡ଼ୁ ରାଜନୀତିର ଏକ ମାଇଲଖୁଣ୍ଟ କୁହାଯାଉଥିବା କରୁଣାନିଧିଙ୍କ ବିୟୋଗରେ ଆଜି ସଂସଦ ଗୋଟିଏ ଦିନ ପାଇଁ ମୁଲତବୀ ରଖାଯାଇଛି। ତାମିଲନାଡ଼ୁରେ ୭ ଦିନ ବ୍ୟାପୀ ଶୋକ ପାଳନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ହାଇକୋର୍ଟଙ୍କ ରାୟ ଆସିବା ପରେ କରୁଣାନିଧିଙ୍କ ପୁତ୍ର ତଥା ତାଙ୍କ ରାଜନୈତିକ ଉତ୍ତରାଧିକାରୀ କୁହାଯାଉଥିବା ଏମ୍‍ କେ ଷ୍ଟାଲିନ୍‍ କାନ୍ଦି ପକାଇଥିବା ଦେଖିବାକୁ ମିଳିଥିଲା। ହାଇକୋର୍ଟଙ୍କ ରାୟ ପରେ ମାରିନ୍‍ ବିଚ୍‍ରେ କଡ଼ା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave A Reply