କରୁଣାନିଧିଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର

0

ଚେନ୍ନଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‍କେ ସୁପ୍ରିମୋ କରୁଣାନିଧିଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି। ସେ ମୁତ୍ରନଳୀ ସଂକ୍ରମଣ ଓ ଜ୍ୱରରେ ପୀଡ଼ିତ ଅଛନ୍ତି । ଗୋପାଲାପୁରମ୍ ସ୍ଥିତ ନିଜ ବାସଗୃହରେ ତାଙ୍କର ଚିକିତ୍ସା ଚାଲିଛି। କାବେରୀ ହସ୍ପିଟାଲ୍‍ର କିଛି ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକ ଓ ଅନେକ ରାଜନେତା ତାଙ୍କ ବାସଭବନକୁ ଯାଇ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି। ବହୁ ରାଜନୈତିକ ଦଳର ନେତାମାନେ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଣାନିଧିଙ୍କ ପୁଅ ଏମ୍‍.କେ. ଷ୍ଟାଲିନ୍‍ ଓ କନ୍ୟା କାନିମୋଝୀଙ୍କ ସହ କଥାବାର୍ତ୍ତା କରି, କରୁଣାନିଧିଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଅନେକ ରାଜୈନତିକ ଦଳର ନେତା ଷ୍ଟାଲିନଙ୍କ ସହ କଥା ହୋଇ କରୁଣାନିଧିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

କରୁଣାନିଧିଙ୍କ ଗୁରୁତର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ଷ୍ଟାଲିନ ଟ୍ଵିଟ୍ କରି ଦଳୀୟ କର୍ମକର୍ତ୍ତାଙ୍କୁ ଅବଗତ କରାଇଛନ୍ତି।  ତାମିଲନାଡୁର ମୁଖ୍ୟମନ୍ତ୍ରୀ ଓ.ପନ୍ନିରସେଲଭମ ଏବଂ ନୂତନ ରାଜନୈତିକ ଦଳ ଗଠନ କରିଥିବ ଅଭିନେତା କମଲ ହାସନ ମଧ୍ୟ କରୁଣାନିଧିଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ଡିଏମକେରୁ ବହିସ୍କୃତ  ନେତା ଏମ.କେ ଆଲଗିରି ମଧ୍ୟ କରୁଣାନିଧିଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ଆଲଗିରି ଷ୍ଟାଲିନଙ୍କୁ ଭେଟି କରୁଣାନିଧିଙ୍କ ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରିଥିଲେ।
ସୂଚନାଯୋଗ୍ୟ ଯେ, କରୁଣାନିଧି ଅନେକ ଦିନରୁ ମୂତ୍ରନଳୀରେ ସଂକ୍ରମଣ କାରଣରୁ ରୋଗରେ ପୀଡ଼ିତ ଅଛନ୍ତି ।

Leave A Reply