ପଞ୍ଚୁକ ଓ କାର୍ତ୍ତିକେଶ୍ୱର ପୂଜା ପାଇଁ କଟକ ସହର ଉତ୍ସବ ମୁଖର ; ମଣ୍ଡପରେ ୮୭ ପ୍ରତିମା

0

କଟକ : ପଞ୍ଚୁକ ଓ କାର୍ତ୍ତିକେଶ୍ୱର ପୂଜା ପାଇଁ କଟକ ସହର ଉତ୍ସବ ମୁଖର ହୋଇ ଉଠିଛି। ସାରା ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସକାଳୁ ନଦ ନଦୀରେ ସ୍ନାନ କରି ସଂକୀର୍ତ୍ତନ ଦଳ କୀର୍ତ୍ତନ କରି ସହର ପରିକ୍ରମା କରୁଛନ୍ତି । ପୁଣି ମଙ୍ଗଳ ଆଳତି ଦେଖିବା ପାଇଁ ବଡ଼ି ଭୋରରୁ ମନ୍ଦିରରେ ଭିଡ ଦେଖିବାକୁ ମିଳୁଛି। ରଙ୍ଗବେରଙ୍ଗ ମୁରୁଜର ଚିତାରେ ଚଉରାମୂଳ ଚମକି ଉଠୁଛି।

ପୁଣି ପୂଜାମଣ୍ଡପରେ କାର୍ତ୍ତିକେଶ୍ୱରଙ୍କ ପୂଜା ଆରମ୍ଭ ହୋଇଯାଇଛି। ରଙ୍ଗୀନ ଆଲୋକମାଳାରେ ପୂଜାମଣ୍ଡପ ଓ ରାସ୍ତାଘାଟ ଝଲସି ଉଠୁଛି। ବର୍ଷର ଶେଷ ପାର୍ବଣକୁ ଧୁମ୍ ଧାମରେ ପାଳନ କରିବା ପାଇଁ କେହି କାର୍ପଣ୍ୟ ଦେଖାଉ ନାହାନ୍ତି । ଚଳିତବର୍ଷ ସହରରେ ୮୭ଟି ମଣ୍ଡପରେ କାର୍ତ୍ତିକେଶ୍ୱରଙ୍କ ପ୍ରତିମା ପୂଜା ପାଉଛନ୍ତି। କେତେକ ସ୍ଥାନରେ ସୋମବାର ଠାରୁ ପୂଜା ଆରମ୍ଭ ହୋଇସାରିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ପୂର୍ଣ୍ଣିମା ତିଥିରୁ ପୂଜା ଆରମ୍ଭ ହେବ। ଆସନ୍ତା ୨୪ ଓ ୨୫ ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ।

କାର୍ତ୍ତିକେଶ୍ୱର ପୂଜା ନିମନ୍ତେ ସୋମବାର ଓସିଏ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ମହାନଗର ପୂଜାକମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ବୈଠକରେ ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ ନିମନ୍ତେ ଗୁରୁତ୍ୱାରୋପ କରାଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ମାଇକ୍‍ ବାଜିପାରିବ। ତେବେ ବାଣଫୁଟା ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ପ୍ରତି ପ୍ରତିମାରେ କେବଳ ୨ଟି ଲେଖାଏଁ ମହତାବ ଜଳିବା ପାଇଁ ଅନୁମତି ଦିଆଯାଇଛି। ଶୋଭଯାତ୍ରା ବକ୍ସିବଜାର ଛକରୁ ମିଶନରୋଡ ଦେଇ ଚଣ୍ଡୀ ଛକ ହୋଇ ମହାନଦୀ ରିଂ ବନ୍ଧ ଦେଇ କାର୍ତ୍ତିକେଶ୍ୱର ଗଡାରେ ବିସର୍ଜିତ ହେବ। ଚଣ୍ଡୀ ଛକରେ ହେବାକୁ ଥିବା ସମ୍ବର୍ଦ୍ଧନା ସଭାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଶାସନ ପକ୍ଷରୁ ମହାନଦୀରେ ୨ଟି ଅସ୍ଥାୟୀ ପୋଖରୀ ଖନନ କରାଯିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସି କ୍ୟାମେରା ଲଗାଯିବ। ସୁରକ୍ଷା ଦୃଷ୍ଟିକୋଣରୁ ସହରରେ ୩୨ ପ୍ଲାଟୁନ୍‍ ଫୋର୍ସ ମୁତୟନ ରହିବେ। ଏହାଛଡ଼ା ବିସର୍ଜନ ସମୟରେ ସମସ୍ତ ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସଜାଗ ରହିବେ ବୋଲି ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ଏହି ବୈଠକରେ କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରୀ ଦାସ, କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିର ସଭାପତି ବିଜୟ ସାହୁ ଓ ସଂପାଦକ ପ୍ରଫୁଲ୍ଲ ସାହୁ ପ୍ରମୁଖ ଉପସ୍ଥିତ ରହି ପୂଜା ଓ ଭସାଣ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।

Leave A Reply