କାର୍ତ୍ତିିକ ପୂର୍ଣ୍ଣିମାରେ ମାଣତ୍ରୀରେ ବିପୁଳ ଭକ୍ତଙ୍କ ସମାଗମ

0

ବଡ଼ସାହି : ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ତଥା ରାହାସ ପୂର୍ଣ୍ଣିମା ଅବସରରେ ଉତ୍ତର ଓଡିଶାର ପ୍ରସିଦ୍ଧ ହରି-ହର ପୀଠ ମାଣତ୍ରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ପଞ୍ଚୁକ ତଥା ପୂର୍ଣ୍ଣମୀରେ ହେଉଥିବା ସ୍ୱତନ୍ତ୍ର ପୂଜାରେ ବାବା କଖାରୁଆ ବୈଦ୍ୟନାଥଙ୍କ ଜ୍ୟୋର୍ତିଲିଙ୍ଗରେ ବେଲପତ୍ର ସହିତ ତୁଳସୀ ଜଟା ଲାଗି ହୋଇଥାଏ। କାରଣ ପଞ୍ଚୁକ ସମୟରେ ଭାଗବତ ମତ ଅନୁଯାୟୀ ହରି ଓ ହରଙ୍କ ମିଳନ ହୋଇଥାଏ। ଏଣୁ ହରିଙ୍କର ଅତିପ୍ରିୟ ତୁଳସୀ ଓ ହରଙ୍କ ଅତିପ୍ରିୟ ବେଲପତ୍ର ଲାଗି ହୋଇଥାଏ। ଏହି ସ୍ୱତନ୍ତ୍ର ପୂଜା ଓ ମହାଦେବଙ୍କ ସୁନାବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ ପ୍ରତିବର୍ଷ ଲାଗିଥାଏ। ଶୁକ୍ରବାର ପ୍ରତ୍ୟୁଷରେ ବୋଇତ ଭସାଣ ପାଇଁ ଯୁବତୀ ଓ ମହିଳା ଭକ୍ତଙ୍କର ଭିଡ ଆରମ୍ଭ ହେବା ସାଙ୍ଗକୁ ପୂର୍ବାହ୍ନରେ ମଙ୍ଗଳ ଆଳତୀ, ବାଲ୍ୟଭୋଗ, ସାଧାରଣ ଦର୍ଶନ ଓ ପଞ୍ଚକ ପୂଜା ଅନୁଷ୍ଠିତ ହୋଇଥିଲା। ଗ୍ରାମର ସଙ୍କୀର୍ତ୍ତନ ଦଳର ମନ୍ଦିର ତଥା ଗ୍ରାମ ପରିକ୍ରମା ସକାଳର ପରିବେଶକୁ ଭିନ୍ନ ରୂପ ଦେଇଥିଲା। ଜିଲା ତଥା ଜିଲା ବାହାରୁ ପ୍ରାୟ ଭକ୍ତ ଦିଅଁ ଦର୍ଶନ ପୂର୍ବକ ପୂଜାଅର୍ଚ୍ଚନା କରି ଘରକୁ ଫେରିଥିଲେ। ସେହିପରି ସନ୍ଧ୍ୟାରେ ମହାଦେବଙ୍କ ସୁନାବେଶ(ସିଂହାରବେଶ) ଦେଖିବା ପାଇଁ ଭକ୍ତଙ୍କ ସୁଅ ଲାଗି ରହିଥିଲା। ବର୍ଷକୁ ବର୍ଷ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ହେତୁ ମନ୍ଦିର ପ୍ରାଙ୍ଗଣରେ ବସୁଥିବା ଦିନିକିଆ ମେଳାରେ ବିଭିନ୍ନ ଛୋଟବଡ ଦୋକାନୀ ସେମାନଙ୍କର ପସରା ମେଲାଇଥିଲେ। ଶାନ୍ତିଶୃଙ୍ଖଳା ପାଇଁ ବୈଶିଙ୍ଗା ପୁଲିସ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଅପରପକ୍ଷରେ ଦେଉଳିଆ, ପ୍ରତାପପୁର, ସିଂହଟିଆ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର ଓ ଶାଳଗାଁର ଗୋକୁଳ ଚନ୍ଦ୍ର ରାୟ ମହାପ୍ରଭୁଙ୍କ ମନ୍ଦିର ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବ୍ଲକରେ ପ୍ରବାହିତ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀ ଓ ଜଳାଶୟ ମାନଙ୍କରେ ପ୍ରତ୍ୟୁଷରେ ବୋଇତ ଭସାଣ ସାଙ୍ଗକୁ ଆତସବାଜି ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

Leave A Reply