ଆରମ୍ଭ ହେଲା ଧର୍ମର ମାସ କାର୍ତ୍ତିକ , ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ପୁରୀ / ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ଠାରୁ ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଏତଦ୍‍ ବ୍ୟତୀତ ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ହୋଇଥିବାରୁ ସମସ୍ତ ଶୈବାଳୟ ଓ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଭିଡ଼ ଜମିଛି। ଏହାସହ ଶ୍ରୀକ୍ଷେତ୍ରରେ ବହୁ ଭକ୍ତ ଓ ହବିଷ୍ୟାଳିଙ୍କ ଭିଡ଼ ଆରମ୍ଭ ହୋଇଛି। ଆଜି ଠାରୁ ମାସେ ଯାଏଁ ହବିଷ୍ୟାଳୀ ବ୍ରତ ପାଳନ କରିବେ। ବ୍ରତଧାରୀ ମହିଳାମାନେ ପଞ୍ଚତୀର୍ଥରେ ସ୍ନାନ କରିବା ପରେ ଚଉରା ମୂଳରେ ଫଳମୂଳ ଭୋଗ ଓ ପୂଜା କରି ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି। ହବିଷ୍ୟାଳିଙ୍କ ରହିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରାୟ ୩ ହଜାର ହବିଷ୍ୟାଳିଙ୍କ ରହଣୀ ପାଇଁ ୩ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ସେଗୁଡ଼ିକ ହେଲା ରେଲୱେ ଟୁରିଷ୍ଟ କଂପ୍ଲେକ୍ସ, ନରେନ୍ଦ୍ର କୋଣ ହବିଷ୍ୟାଳି ସ୍ଥାୟୀ ଆଶ୍ରୟସ୍ଥଳ ଓ ପୁରୀ ପୌରସଂସ୍ଥା କଲ୍ୟାଣମଣ୍ଡପ। ଏହି ଶିବିରରେ ରହୁଥିବା ହବିଷ୍ୟାଳିମାନଙ୍କୁ ଆନୁସଙ୍ଗିକ ସୁବିଧା ସହ ମହାପ୍ରସାଦର ସୁବିଧା ମଧ୍ୟ ମିଳିବ। ଏହାସହ ଏଠାରେ ତୁଳସୀ ଚଉରା, ପୂଜାସ୍ଥାନ ଓ ଭାଗବତ ପାରାୟଣର ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ କରାଯାଇଛି। ହବିଷ୍ୟାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ଓ ପୁଲିସ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ୨୪ ଘଣ୍ଟିଆ ଡ଼ାକ୍ତର ଓ ଆମ୍ବୁଲାନ୍ସ ରଖାଯାଇଛି।

Comments are closed.