ଚର୍ଚ୍ଚାରେ କାର୍ତ୍ତିକ ତ୍ୟାଗୀଙ୍କ ବୋଲିଂ ଆକ୍ସନ୍‍

ଆବୁଧାବି: ମଙ୍ଗଳବାର ଏଠାରେ ମୁମ୍ବଇ ଇଣ୍ଡିଆନ୍‍ସ ଓ ରାଜସ୍ଥାନ ରୟାଲ୍‍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍‍ରେ ଆଇପିଏଲ୍‍ ପଦାର୍ପଣ କରିଥିଲେ ୧୯ ବର୍ଷ ବୟସ୍କ ଫାଷ୍ଟବୋଲର କାର୍ତ୍ତିକ ତ୍ୟାଗୀ। ମିରଟ୍‍ର ଏହି ଯୁବ ପେସ୍‍ ବୋଲର ଗତ ୧୯ ବର୍ଷରୁ କମ୍‍ ବିଶ୍ୱକପ୍‍ରେ ଭାରତ ପାଇଁ ସର୍ବାଧିକ ୱିକେଟ ହାସଲକାରୀ ଥିଲେ। ତ୍ୟାଗୀ ଏହି ବିଶ୍ୱକପ୍‍ରେ ୧୧ଟି ୱିକେଟ ନେଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲରେ ଭାରତକୁ ସେ ଏକା ଜିତାଇଥିଲେ। ଗତ ଆଇପିଏଲ୍‍ ନିଲାମରେ ତ୍ୟାଗୀଙ୍କୁ ୧ କୋଟି ୪୦ ଲକ୍ଷ ଟଙ୍କାରେ ରାଜସ୍ଥାନ ରୟାଲ୍‍ସ କିଣିଥିଲା। ତ୍ୟାଗୀଙ୍କ ପ୍ରତିଭାକୁ ଦେଖି ତାଙ୍କୁ ମୁମ୍ବଇ ଇଣ୍ଡିଆନ୍‍ସ ବିପକ୍ଷ ମ୍ୟାଚ୍‍ରେ ଅଭିଜ୍ଞ ଜୟଦେବ ଉନାଦ୍‍କତଙ୍କ ସ୍ଥାନରେ ଖେଳିବାର ସୁଯୋଗ ମିଳିଥିଲା। କାର୍ତ୍ତିକ ତ୍ୟାଗୀ ଦଳକୁ ନିରାଶ କରିନଥିଲେ। ୪ ଓଭରରୁ ୩୬ ରନ୍‍ ଦେଇ ସେ କ୍ୱିଣ୍ଟନ ଡି କକ୍‍ଙ୍କ ୱିକେଟ ନେଇଥିଲେ। ତ୍ୟାଗୀଙ୍କ ଏହି ପଦାର୍ପଣ ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ସବୁଠାରୁ ବେଶି ଚର୍ଚ୍ଚା ହୋଇଥିଲା ତାଙ୍କ ବୋଲିଂ ଆକ୍ସନ୍‍କୁ ନେଇ। ତ୍ୟାଗୀଙ୍କ ପେସ୍‍ ବୋଲିଂ ଆଦର୍ଶ ହେଉଛନ୍ତି ଅଷ୍ଟ୍ରେଲିଆର ବ୍ରେଟ୍‍ ଲି। ତ୍ୟାଗୀଙ୍କ ବୋଲିଂ ଆକ୍ସନ୍‍ ଦେଖି ରାଜସ୍ଥାନ ରୟାଲ୍‍ସର ସାଥୀ ଖେଳାଳି ଇଂଲଣ୍ଡର ଅଲ୍‍ରାଉଣ୍ଡର ବେନ୍‍ ଷ୍ଟୋକ୍‍ସ ଟ୍ୱିଟରରେ ଲେଖିଛନ୍ତି- ତ୍ୟାଗୀଙ୍କ ରନ୍‍ଅପ୍‍ ବ୍ରେଟ୍‍ ଲିଙ୍କ ପରି ଏବଂ ସେ ଈଶାନ୍ତ ଶର୍ମାଙ୍କ ପରି ବୋଲିଂ କରୁଛନ୍ତି। ନ୍ୟୁଜିଲାଣ୍ଡ ତଥା ମୁମ୍ବଇ ଇଣ୍ଡିଆନ୍‍ସର ବାମହାତି ପେସ୍‍ ବୋଲର ମିଚେଲ ମାକ୍‍କ୍ଲିନାଘାନ୍‍ ଆଉ ପାଦେ ଆଗେଇଯାଇ କହିଛନ୍ତି, ତ୍ୟାଗୀଙ୍କ ରନ୍‍ଅପ୍‍ ଆରମ୍ଭରୁ ସେ ଟମ୍‍ କରନ୍‍, ମଝିରେ ବ୍ରେଟ୍‍ ଲି ଏବଂ ବଲ୍‍ ରିଲିଜ୍‍ କଲା ବେଳକୁ ଆଲ୍‍ଜାରି ଜୋସେଫ୍‍। ଏହିସବୁ ଟ୍ୱିଟ୍‍ ଦେଖି ନିଜେ ବ୍ରେଟ୍‍ ଲି ଜବାବରେ ଲେଖିଥିଲେ- ଏହା ମୁଁ ଦେଖିପାରୁଛି ବନ୍ଧୁମାନେ।

Comments are closed.