କର୍ତ୍ତାରପୁର କରିଡର ନିର୍ମାଣ ନେଇ କଥାବାର୍ତ୍ତା ପ୍ରସ୍ତାବ ଦେଲା ଭାରତ

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡର ନିର୍ମାଣ ନେଇ ଆସନ୍ତା ଜୁଲାଇ ମାସ ୧୧ ଓ ୧୪ ତାରିଖରେ ପାକିସ୍ତାନ ସହ ସାନି କଥାବାର୍ତ୍ତା କରିବାକୁ ଭାରତ ପ୍ରସ୍ତାବ ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ଯେ ଏହି କରିଡର ନିର୍ମାଣ ପାଇଁ ଭାରତ ଆଗ୍ରହୀ ଏବଂ ଏଥିପାଇଁ ଆଲୋଚନା କରିବାକୁ ପାକିସ୍ତାନକୁ ପ୍ରସ୍ତାବ ଦେଇଛି।

ଏହି ପ୍ରକଳ୍ପ ନିର୍ମାଣ ପାଇଁ ପାକିସ୍ତାନ ଯେଉଁ କମିଟି ଗଠନ କରିଛି ସେଥିରେ ଜଣେ ପ୍ରମୁଖ ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀ ସଭ୍ୟ ଥିବାରୁ ଭାରତ ତା’ର ବିରୋଧ କରିଥିଲା। ଆଉ କେତେକ ପ୍ରସଙ୍ଗ ନେଇ ଭାରତ ମଧ୍ୟ ପାକିସ୍ତାନଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲା।

୨୦୧୮ ନଭେମ୍ବରରେ ପାକିସ୍ତାନ କର୍ତ୍ତାରପୁର ସ୍ତିତ ଗୁରୁଦ୍ୱାରା ଦରବାର ସାହିବ ସହ ପଂଜାବର ଗୁରୁଦାସପୁର ଜିଲ୍ଲା ସ୍ତିତ ଡେରା ବାବା ନାନକକୁ ସଂଯୋଗ ସ୍ଥାପନ ପାଇଁ ରାଜି ହୋଇଥିଲା। ଏ ନେଇ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୩ ଥର ବୈଷୟିକ ସ୍ତରୀୟ କଥାବାର୍ତ୍ତା ସରିଛି।

୨୦୧୮ରେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗୁରୁଦାସପୁରଠାରେ ଏହି କରିଡ଼ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପାକିସ୍ତାନ ପଟୁ ସେଠାକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Comments are closed.