ଅଣାୟତ୍ତ କରୋନା : ମୃତ୍ୟୁସଂଖ୍ୟା ୫୦୦ ଛୁଇଁଲା

ବେଜିଂ : ଚୀନ୍‌ରେ ମହାମାରୀ ରୂପ ଧାରଣ କରିଥିବା କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୫୦୦ ଛୁଇଁଛି। ମଙ୍ଗଳବାରଠାରୁ ବୁଧବାର ସୁଦ୍ଧା ୬୫ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ସରକାରୀ ଭାବେ ଏହା ୪୯୯ ହୋଇଛି। ସଂକ୍ରମିତଙ୍କ ସଂଖ୍ୟା ୩୮୮୯ ବୃଦ୍ଧିପାଇ ୨୪,୩୨୪ରେ ପହଞ୍ଚିଛି। ୩୨୧୯ ସଂକ୍ରମିତଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କ ମଧ୍ୟରୁ ୪୩୧ ସଂକଟାପନ୍ନ ଥିବା ଚୀନ୍‌ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାଂଶ ହୁବେଇ ପ୍ରଦେଶର ବୋଲି କୁହାଯାଇଛି। ଅପରପକ୍ଷରେ ୨୬୨ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ଓ ଏହି ସଂଖ୍ୟା ମୋଟ ଉପରେ ୮୯୨ ବୋଲି କୁହାଯାଇଛି। ଏତଦ୍‌ବ୍ୟତୀତ ୨୩,୨୬୦ ସନ୍ଦିଗ୍ଧଙ୍କ ପରୀକ୍ଷାନିରୀକ୍ଷା ଜାରି ରହିଛି। ସମଗ୍ର ପ୍ରଦେଶରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ୨ଲକ୍ଷ ୫୨ହଜାରଙ୍କ ମଧ୍ୟରୁ ୧ଲକ୍ଷ ୮୫ହଜାରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଡାକ୍ତରୀ ତତ୍ତ୍ବାବଧାନରେ ରଖାଯାଇଛି।

ଅପରପକ୍ଷରେ ହଂକଂରେ ୧୮ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେଠାରେ ମଙ୍ଗଳବାର ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମାକାଉରେ ୧୦, ତାଇୱାନ୍‌ରେ ୧୧, ଫିଲିପାଇନ୍ସରେ ୧୭୬ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। ବୁଧବାର ଉହାନସ୍ଥିତ ‘ନ୍ୟାସନାଲ ଅଡିଟୋରିୟମ ଓ ଜିମ୍ନାସିୟମ’ ସମ୍ମିଳନୀ କକ୍ଷ (କନ୍‌ଭେନ୍‌ସନ୍‌ ସେଣ୍ଟର)କୁ ହସ୍ପିଟାଲରେ ପରିଣତ କରାଯାଇ ଏଠାରେ ୧୩୦୦ ଶଯ୍ୟାରେ ଚିକିତ୍ସା ଆରମ୍ଭ ହୋଇଛି। ସୋମବାର ଲୋକାର୍ପିତ ୧୦୦୦ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ ସହିତ ଏହାର ପରିଚାଳନା ଦାୟିତ୍ବ ସେନା ଡାକ୍ତର ଓ କର୍ମଚାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ଆଉ ଗୋଟିଏ ୧୬୦୦ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା ଶୀଘ୍ର ଖୋଲିବାକୁ ଥିବାବେଳେ ଅଧିକ ୮ଟି ଭ୍ରାମ୍ୟମାଣ ଡାକ୍ତରଖାନା ପ୍ରସ୍ତୁତ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଚୀନ୍‌ରେ ମୋଟ ୧୬ଜଣ ବିଦେଶୀ ନାଗରିକ କରୋନା ସଂକ୍ରମିତ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରେ ୪ ପାକିସ୍ତାନୀ ଓ ଦୁଇ ଅଷ୍ଟ୍ରେଲୀୟ ଥିବା ପ୍ରକାଶ। ଏହି ପରିପ୍ରେକ୍ଷୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚୀନ୍‌କୁ ବିଶ୍ବ ସମୁଦାୟ ସହଯୋଗ କରିବାକୁ ନିବେଦନ କରାଯାଇଛି। ଆମେରିକା ପକ୍ଷରୁ ହଂକଂକୁ ବିମାନସେବା ବାତିଲ କରାଯାଇଛି। ରୁଷିଆ ବୁଧବାର ଉହାନରୁ ଏହାର ୭୮ ନାଗରିକଙ୍କୁ ଫେରାଇ ନେଇଛି। ଦିଲ୍ଲୀ ସରକାର ବୁଧବାର ଏ ନେଇ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିସହିତ ସର୍ବସାଧାରଣଙ୍କ ପାଇଁ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିଛନ୍ତି। ଚୀନ୍‌ରୁ ଫେରିଥିବା ୫ଜଣଙ୍କୁ ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମ୍ୟାଁମାର ଓ ବାଂଲାଦେଶ ସୀମାରେ ସ୍ବତନ୍ତ୍ର ଯାଞ୍ଚ ବ୍ୟବସ୍ଥା କରାଯାଇଛି।

୩୦ଘଣ୍ଟାର ନବଜାତକ ସଂକ୍ରମିତ : ଚୀନ୍‌ ଡାକ୍ତରଖାନାରେ କରୋନା ସଂକ୍ରମିତ ୯୦ବର୍ଷୀୟ ବୟୋଜ୍ୟେଷ୍ଠ ଦମ୍ପତିଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବୁଧବାର ସର୍ବକନିଷ୍ଠ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ମିଳିଛି। ଜନ୍ମର ମାତ୍ର ୩୦ଘଣ୍ଟା ପରେ ଏକ ଶିଶୁ କରୋନା ସଂକ୍ରମିତ ବୋଲି ପରୀକ୍ଷାରୁ ନିଶ୍ଚିତ ହୋଇଛି। ମଙ୍ଗଳବାର ଉହାନର ଏକ ଡାକ୍ତରଖାନାରେ ଡାକ୍ତରମାନେ ଅତ୍ୟନ୍ତ ସତର୍କତାର ସହ ଏହାକୁ ଜନ୍ମ କରାଇଥିଲେ। ମା’ଠାରୁ ଶିଶୁକୁ ଏହା ସଂକ୍ରମିତ ହୋଇଥିବା ଡାକ୍ତରମାନେ କହିଛନ୍ତି। ପ୍ରସବ ପୂର୍ବରୁ ମା’ ସଂକ୍ରମିତ ଥିବା ଜଣାପଡ଼ିଥିଲା। ସଂକ୍ରମିତ ଓ ମୃତକଙ୍କ ମଧ୍ୟରେ ୮୦ପ୍ରତିଶତ ୬୦ବର୍ଷରୁ ଅଧିକ ବୋଲି ସରକାରୀ ଭାବେ କୁହାଯାଇଛି।

Comments are closed.