କରୋନା ପାଇଁ ମକ୍‌ ଡ୍ରିଲ : ପୁନେ ପଠାଗଲା ୪ଜଣଙ୍କ ରକ୍ତ ନମୁନା

ଭୁବନେଶ୍ବର : ନଭେଲ କରୋନା ସଂକ୍ରମଣକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିବାବେଳେ ଏବେ ଓଡ଼ିଶାରେ ମଧ୍ୟ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏଥିପାଇଁ ଶୁକ୍ରବାର ଏକ ମକ ଡ଼୍ରିଲର ଆୟୋଜନ କରାଯିବା ସହିତ କରୋନା ସଂକ୍ରମଣ ଆଶଙ୍କାରେ ୪ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି।
ଡିଏମଇଟି ପ୍ରଫେସର ଡ.ସିବିକେ ମହାନ୍ତି, ଜନସ୍ବାସ୍ଥ୍ୟ ନିର୍ଦେଶକ ଡ.ଅଜିତ କୁମାର ମହାନ୍ତିଙ୍କ ‌ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କ୍ୟାପିଟାଲ ହସପିଟାଲର ଉପ ଅଧୀକ୍ଷକ ଡ.ଧନଞ୍ଜୟ ଦାସଙ୍କ ନେତୃତ୍ବରେ ଭୁବନେଶ୍ବର ଆନ୍ତର୍ଜାତିକ ବିମାନବନ୍ଦରଠାରେ ମକ ଡ଼୍ରିଲର ଆୟୋଜନ କରାଯାଇଥିଲା। ସରକାରୀ ନିୟମାବଳିର ତ୍ବରିତ କାର୍ଯ୍ୟାନ୍ବୟନ ଅନୁସାରେ ପ୍ରଥମେ ଡାକ୍ତର ସମ୍ଭାବ୍ୟ ସଂକ୍ରମଣ ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରିଥିଲେ। ପରେ ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥା ଅନୁସାରେ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲ ଆଇସୋଲେସନ ୱାର୍ଡ଼କୁ ନିଆଯାଇଥିଲା। ଏଠାରେ ଡାକ୍ତରୀ ପରୀକ୍ଷା ପରେ ସ୍ବାବ ଓ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଜାନୁଆରୀ ୧୫ତାରିଖ ପରେ କରୋନା ସଂକ୍ରମିତ ଚୀନରୁ ଓଡ଼ିଶା ଫେରିଥିବା ୪ଜଣଙ୍କୁ ହୋମ ଆଇସୋଲେସନରେ ରଖାଯିବା ସହ ଆଜି ସେମାନଙ୍କର ସ୍ବାବ ଓ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପୁନେସ୍ଥିତ ନାସନାଲ ଇନିଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ପଠାଯାଇଛି। ସ୍ବାସ୍ଥ୍ୟ ବିଭାଗର ଏକ ନିରୀକ୍ଷଣକାରୀ ଟିମ୍ ଏହି ଆଇସୋଲେଟେଡ଼ ୱାର୍ଡ଼ରେ ଥିବା ବ୍ୟକ୍ତିମାନଙ୍କ ସହିତ ନିୟମିତ ତଦାରଖ କରୁଛନ୍ତି। ଅାସନ୍ତା ୧୪ ଦିନ ପର୍ଯ୍ୟନ୍ତ ସେମାନେ ନିରୀକ୍ଷଣ ମଧ୍ୟରେ ରହିବେ। ଏହି ଅବସରରେ ଜନସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ କରୋନା ସଂକ୍ରମଣ ପ୍ରତିରୋଧ ଦିଗରେ ତୀକ୍ଷ୍ଣ ନଜର ରଖିବା ସହିତ ପରିସ୍ଥିତି ଅନୁଯାୟୀ ପଦ​‌େ​‌କ୍ଷପ ଗ୍ରହଣ କରିବ। କରୋନା ସଂକ୍ରମଣ ରୋକିବା ଦିଗରେ ସଚେତନତା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବୃତ୍ତ ଚିତ୍ର ପ୍ରସ୍ତୁତ କରାଯାଉଛି।

Comments are closed.