କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାର୍କିହୋଲିଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିକୁ ପୁଣି ଯୌନାଚାର ଗ୍ରାସ କରିଛି। ଏହାର ଶିକାର ହୋଇଛନ୍ତି ଜଣେ ବରିଷ୍ଠ ମନ୍ତ୍ରୀ ରମେଶ ଜାର୍କିହୋଲି। ସେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଥିଲେ। ତାଙ୍କ ବିରୋଧରେ ଏକ ଯୌନଶୋଷଣ ଅପରାଧର ସିଡି ସାମ୍ନାକୁ ଆସିବା ପରେ ବୁଧବାର ରମେଶ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ସେ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଜଣେ ମହିଳାଙ୍କୁ ସେ ରାଜ୍ୟ ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡରେ ଚାକିରି ଦେବା ନାଁରେ ରମେଶ ଯୌନଶୋଷଣ କରୁଥିବା ଅଭିଯୋଗ ହୋଇଥିଲା। ଚାକିରି ଲୋଭ ଦେଖାଇ ସେ ତାଙ୍କୁ ବଳାତ୍କାର କରିଥିବା ଏହି ଭିଡିଓରୁ ସ୍ପଷ୍ଟ ହୋଇଛି। ଏଥିରେ ସେ ଯୁବତୀଙ୍କ ପରିବାରକୁ ଧମକ ଦେଉଥିବାର ମଧ୍ୟ ପ୍ରମାଣ ରହିଛି। ରାଜ୍ୟର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଦିନେଶ କାଲ୍ଲାହଲ୍ଲି ଏହି ସିଡି ସାର୍ବଜନୀନ କରିଥିଲେ। ଏଥିନେଇ ରାଜ୍ୟ ରାଜନୀତି ସରଗରମ ହେବା ସହ କଂଗ୍ରେସ ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଇଥିଲା।

ରାଜ୍ୟ ପୁଲିସ ଏହି ଘଟଣାର ତଦନ୍ତ କରିବ ବୋଲି ଗୃହମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି। କେବଳ ସେତିକି ନୁହେଁ; ୬୦ ବର୍ଷୀୟ ରମେଶ ଏହି ସିଡିକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ପୃକ୍ତ ଭିଡିଓରେ ରମେଶ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଥିବାବେଳେ କଂଗ୍ରେସ ନେତା ସିଦ୍ଧର​ମେୟାଙ୍କୁ ଜଣେ ଭଲ ମଣିଷ ବୋଲି ପ୍ରଶଂସା କରୁଥିବା ଦେଖାଯାଇଛି। ନିଜ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ତାଙ୍କ ପାଇଁ ଅଧିକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ପ୍ରକାଶ। ସେ ପ୍ରହଲ୍ଲାଦ ଯୋଶୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କହୁଥିବା ଭିଡିଓ ବାର୍ତ୍ତାଳାପରୁ ପ୍ରକାଶ। ଜାର୍କିହୋଲିଙ୍କ ଏହି ବାର୍ତ୍ତାଳାପ ସାମ୍ନାକୁ ଆସିବା ପରେ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀଙ୍କୁ ନିଶକାଣ କରିଛନ୍ତି। ସେ କହିଛନ୍ତି ଯେ ଏହା କେବଳ ଯୌନ ଅପରାଧ ନୁହେଁ; ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ହୋଇଛି। ବିଜେପି ଏହି ପ୍ରସଙ୍ଗରେ ସଠିକ୍ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ରମେଶ ପୂର୍ବରୁ କଂଗ୍ରେସରେ ଥିଲେ। ଦୁଇ ବର୍ଷ ପୂର୍ବେ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ନାଟକରେ ସାମିଲ ହୋଇ ସେ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ସେ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟରୁ ୧୭ ବିଧାୟକଙ୍କୁ ବିଜେପି ସପକ୍ଷକୁ ଆଣି ୟେଦ୍ୟୁରପ୍ପା ସରକାର ଗଠନରେ ବଡ଼ ଭୂମିକା ଗ୍ରହଣ କରିଥିଲେ।

Comments are closed.