କର୍ଣ୍ଣାଟକ ହୁବଲିରେ ହିଂସା ; ୪୬ ଗିରଫ

୧୨ ପୁଲିସ ଆହତ, ୧୪୪ ଧାରା ଜାରି

ବେଙ୍ଗାଲୁରୁ : ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶନିବାର ମଧ୍ୟ ରାତିରେ କର୍ଣ୍ଣାଟକର ହୁବଲି ଥାନା ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ୧୨ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକୁ ନେଇ ପୁଲିସ ୬ଟି ମାମଲା ରୁଜୁ କରିବା ସହିତ ୪୬ଜଣଙ୍କୁ ଗିରଫ କରିଛି। ଆହତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ହୁବଲି-ଧରୱାଡ ପୁଲିସ କମିସନର ଲାଭୁ ରାମ କହିଛନ୍ତି ଯେ ସୋସଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଅପଲୋଡ କରାଯିବାକୁ ନେଇ ଏହି ହିଂସାକାଣ୍ଡ ଘଟିଛି । ଆପତ୍ତିଜନକ ଭଡିଓ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଳମ୍ବିତ ରାତିରେ କେତେକ ଲୋକ ହୁବଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଥାନା ଭିତରକୁ ଟେକା ପଥର ମାଡ କରିବା ସହିତ ପୁଲିସ ଗାଡି ପୋଡି ଦେଇଥିଲେ। ଏହା ସହିତ ଥାନା ନିକଟ ହନୁମାନ ମନ୍ଦିର ଓ ଡାକ୍ତରଖାନା ସମ୍ମୁଖରେ ମଧ୍ୟ କେତେକ ଲୋକ ବିକ୍ଷୋଭ ପ୍ରଦର୍ଶନ ସହ ଭଙ୍ଗାରୁଜା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହରରେ ୧୪୪ ଧାରା ଜାରି କରାଯାଇଥିବା ପୁଲିସ କମିସନର କହିଛନ୍ତି। ଏହା ସହିତ ଆପତ୍ତିଜନକ ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ତାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ତାଙ୍କ ହ୍ବାଟ୍ସଆପ୍ ଷ୍ଟାଟସ୍‌ରେ ଏକ ଆପତ୍ତିଜନକ ଭିଡିଓ ପୋଷ୍ଟ କରିଥିଲେ। ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହୁବଲି ଥାନାରେ ମାମଲା ରୁଜୁ କରାଯାଇଥିଲା। ମାତ୍ର ପୁଲିସ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ରାତିରେ କିଛି ଲୋକ ଯାଇ ହିଂସାକାଣ୍ଡ ଘଟାଇଥିଲେ। ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଏହାକୁ ଏକ ସଂଗଠିତ ଷଡଯନ୍ତ୍ର ବୋଲି କହିଛନ୍ତି। ଏହି ହିଂସା ପଛରେ ଯେଉଁ ସଂଗଠନ ଜଡିତ ରହିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ରମନ୍ତ୍ରୀ ଶୋଭା କରଣ୍ଡଲାଜେ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଲୋକମାନେ ପୁଲିସ ଉପରକୁ ଆକ୍ରମଣ କରି ଆଇନକୁ ନିଜ ହାତକୁ ନେଇଛନ୍ତି। କର୍ଣ୍ଣାଟକ ଏକ ଶାନ୍ତିପ୍ରିୟ ରାଜ୍ୟ। ଏହାକୁ କେରଳ, ପଶ୍ଚିମବଙ୍ଗ ଓ କାଶ୍ମୀର ହେବାକୁ ଦିଆଯିବ ନାହିଁ।

Comments are closed.