୧୨ରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ବେଙ୍ଗାଲୁରୁ : କର୍ଣ୍ଣାଟକ କ୍ୟାବିନେଟର ସମ୍ପ୍ରସାରଣ ଜୁନ୍‍ ୧୨ରେ ହେବ ବୋଲି ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀ ଶନିବାର ଘୋଷଣା କରିଛନ୍ତି। କଂଗ୍ରେସ- ଜେଡିଏସ୍‍ ମେଣ୍ଟ ମଧ୍ୟରେ ଦେଖାଦେଇଥିବା ସଂକଟକୁ ଟାଳିବା ପାଇଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆବଶ୍ୟକ ବୋଲି କୁହାଯାଉଥିଲା। ରାଜ୍ୟାପାଳ ବାଜୁଭାଇ ଭାଲାଙ୍କ ସହ ସାକ୍ଷାତକାର ପରେ କୁମାରସ୍ୱାମୀ ଏହି ଘୋଷଣା କରିଛନ୍ତି।
ଏନେଇ କୁମାରସ୍ୱାମୀ ଟ୍ୱିଟ୍‍ କରିଛନ୍ତି ଯେ ‘ଆଜି ମୁଁ ମାନନୀୟ ରାଜ୍ୟପ।।ଙ୍କୁ ଭେଟିଲି ଏବଂ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ଅନୁମତି ଦେବାକୁ ଅନୁରୋଧ କଲି। ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଜୁନ୍‍ ୧୨ (ବୁଧବାର) ପୂର୍ବାହ୍ନ ୧୧ଟାର ସମୟ ଦେଇଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସ-ଜେଡିଏସ୍‍ ମେଣ୍ଟର ଖରାପ ପ୍ରଦର୍ଶନ ପରେ କ୍ୟାବିନେଟ ସମ୍ପ୍ରସାରଣ ହେବ ବୋଲି ଆଶା କରାଯାଉଥିଲା। ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ ଏବଂ ଜେଡିଏସ୍‍ ଗୋଟିଏଁ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ବିଜେପି କର୍ଣ୍ଣାଟକରେ ୨୮ ଲୋକସଭା ଆସନରୁ ୨୫ଟିରେ ବିଜୟୀ ହୋଇଛି। ବିଜେପି ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ଏସ୍‍ ଅମ୍ବରୀଶ ମାଣ୍ଡ୍ୟା ଲୋକସଭା ଆସନରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପୁଅ ନିଖିଲଙ୍କୁ ହରାଇଛନ୍ତି।

କିଛି କଂଗ୍ରେସ ବିଧାୟକଙ୍କୁ ନେଇ କର୍ଣ୍ଣାଟକ ସରକାରରେ ସୃଷ୍ଟି ହୋଇଥିବା ସଙ୍କଟ ଟାଳିବାକୁ ଦଳର ରାଜ୍ୟ ପ୍ରଭାରୀ କେ.ସି ​ବେଣୁଗୋପାଳ ମେ’ ୨୯ରେ କର୍ଣ୍ଣାଟକ ଗସ୍ତ କରିଥିଲେ । ସେଠାରେ ଏକ ଅତିଥି ଭବନରେ ସେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ, କଂଗ୍ରେସର ବରିଷ୍ଠ ନେତା ସିଦ୍ଧରାମୟା, ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର, ଏମ୍‌.ବି ପାଟିଲ, ଡି.କେ ଶିବକୁମାର, ରାଜ୍ୟ କଂଗ୍ରେସ ସଭାପତି ଦିନେଶ କୁଣ୍ଡୁରାଓ ପ୍ରମୁଖଙ୍କ ସହ ସରକାରର ପୁନର୍ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କ୍ରମରେ ଏଚ୍‌.ଡି କୁମାରସ୍ବାମୀ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ସୂଚନା ଦେଇଛନ୍ତି।

Comments are closed.