କର୍ଣ୍ଣାଟକର ଚିକାବଲାପୁର ପଥର ଖାଦାନରେ ବିସ୍ଫୋରଣ ; ୬ ମୃତ

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିକାବଲାପୁର ଜିଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ ବିସ୍ଫୋରଣ ଘଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ଜଣାପଡ଼ିଛି। ଅନ୍ୟ କେତେକ ଏଥିରେ ଗୁରୁତର ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଖାଦାନରେ ପଥର ଫଟାଇବା ପାଇଁ ଜିଲେଟିନ ଷ୍ଟିକକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା ବୋଲି କୁହାଯାଉଛି। ଖଣିରେ ବେଆଇନଭାବେ ଜିଲେଟିନ ବ୍ୟବହାର କରାଯାଉଥିଲା ବୋଲି ପୁଲିସ ସୂଚନାରୁ ଜଣାପଡ଼ିଛି।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦିୟୁରପ୍ପା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ ଯୋଗେ ଜଣାଇଛନ୍ତି, କର୍ଣ୍ଣାଟକର ଚିକାବଲାପୁର ଜିଲାରେ ହୋଇଥିବା ଘଟଣାରେ ଖୁବ ଦୁଃଖିତ। ମୃତକଙ୍କ ପରିଜନ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ବି.ଏସ.ୟେଦିୟୁରପ୍ପା ଜିଲ୍ଲାପାଳ, ବରିଷ୍ଠ ଅଧିକାରୀଙ୍କୁ ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.