ଆୟକର ଚଢ଼ଉ ଚାପ:ଆତ୍ମହତ୍ୟା କଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବରଙ୍କ ଘନିଷ୍ଠ ସହାୟକ ରମେଶ

ବେଙ୍ଗାଲୁରୁ:କର୍ଣ୍ଣାଟକର ବରିଷ୍ଠ ନେତା ଏସ୍‌.ଏମ୍‌ କୃଷ୍ଣାଙ୍କ ଜ୍ବାଇଁ ତଥା ‘କାଫେ କଫି ଡେ’ ମାଲିକ ଭି.ଜି ସିଦ୍ଧାର୍ଥଙ୍କ ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବରଙ୍କ ଘନିଷ୍ଠ ସହାୟକ ରମେଶ ଆର୍ଥିକ ଆତଙ୍କବାଦର ଶିକାର ହୋଇଛନ୍ତି। ଆୟକର ବିଭାଗର ଚଢ଼ଉ ପରେ ରମେଶ ଶନିବାର ଆତ୍ମହତ୍ୟା କରିଛନ୍ତି। ବାଙ୍ଗାଲୋର ବିଶ୍ବବିଦ୍ୟାଳୟ ପରିସରସ୍ଥ ଏକ ଗଛରେ ଝୁଲୁଥିବାବେଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଚରମ ପଦକ୍ଷେପ ନେବା ପୂର୍ବରୁ ଏକ ମୃତ୍ୟୁଲେଖ ଛାଡ଼ି ଯାଇଛନ୍ତି; ଯେଉଁଥିରେ ଆୟକର ଚଢ଼ଉ କାରଣରୁ ଗଭୀର ମାନସିକ ଚାପଗ୍ରସ୍ତ ଥିବା ଉଲ୍ଲେଖ ରହିଛି। ତାଙ୍କ ଫୋନ୍‌ ବନ୍ଦ ଥିବାବେଳେ ଚଢ଼ଉ ନେଇ ସେ ମାନସିକ ଭାରସାମ୍ୟ ହରାଇଥିବା ସାଙ୍ଗମାନଙ୍କୁ କହିଥିଲେ। ରମେଶ ପ୍ରାୟ ୮ବର୍ଷ ଧରି ପରମେଶ୍ବରଙ୍କ ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଆୟକର ବିଭାଗ ପକ୍ଷରୁ ଗତ ଗୁରୁବାରଠାରୁ ପରମେଶ୍ବରଙ୍କ ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆର.ଏଲ ଜଲାପ୍ପାଙ୍କ ଘର ଓ ପ୍ରତିଷ୍ଠାନ ତଥା ସମ୍ପର୍କୀୟଙ୍କ ଘର ସମେତ ୩୦ଟି ସ୍ଥାନରେ ଚଢ଼ଉ ଜାରି ରହିଥିବାବେଳେ ଶୁକ୍ରବାର ସୁଦ୍ଧା ନଗଦ ୫କୋଟି ଟଙ୍କା ଜବତ ହୋଇଥିଲା। ଚଢ଼ଉରେବିଭାଗର ପ୍ରାୟ ୩୦୦ କର୍ମଚାରୀ ସାମିଲ ଥିଲେ। ପରମେଶ୍ବରଙ୍କ ଘରେ ଚଢ଼ଉବେଳେ ରମେଶ ଉପସ୍ଥିତ ଥିଲେ; କିନ୍ତୁ ତାଙ୍କ ଘରେ ଚଢ଼ଉ କରାଯାଇ ନ ଥିଲା ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।
ରମେଶଙ୍କ ଆତ୍ମହତ୍ୟା ପାଇଁ ଆୟକର ବିଭାଗକୁ ଦାୟୀ କରିଛି କଂଗ୍ରେସ। ଆୟକର ବିଭାଗ ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସ ନେତାଙ୍କୁ ନିଶାଣ କରୁଛି ଓ ଅଯଥା ହଇରାଣ ହରକତ କରୁଛି; ଯାହା ଦ୍ବାରା ରମେଶ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ଆୟକର ବିଭାଗର ଏଭଳି ନିର୍ଯାତନାର ଶିକାର ହୋଇ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିଲେ। ଏଥିରେ ସମ୍ପୃକ୍ତ ଆୟକର ବିଭାଗ ଅଧିକାରୀଙ୍କ ବିରୋଧରେ ଯଦି ଆଇନଗତ କାର୍ଯ୍ୟୃାନୁଷ୍ଠାନ ଗ୍ରହଣ କରାଯାଇଥାଆନ୍ତା; ତେବେ ରମେଶ ଜୀବନ ହାରି ନ ଥାନ୍ତେ ବୋଲି କଂଗ୍ରେସ କହିଛି। କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ମୁଖ୍ୟ ଦିନେଶ ଗୁଣ୍ଡୁରାଓ କହିଛନ୍ତିି ଯେ ଦଳ ନେତାଙ୍କ ଉପରେ ଆୟକର ଓ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ଉ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ। ପୂର୍ବରୁ ବିଧାନସଭାର ବିରୋଧୀ ଦଳ ନେତା ସିଦ୍ଧରାମୟା ମଧ୍ୟ ସମାନ ଅଭିଯୋଗ କରିଥିଲେ। ରମେଶଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ଗୁଣ୍ଡୁରାଓ ଦାବି କରିଛନ୍ତି।

Comments are closed.