ହାତ ଟେକିଦେଲେ ମନ୍ତ୍ରୀ: କରୋନାରୁ କେବଳ ବଞ୍ଚାଇ ପାରିବେ ଭଗବାନ

ବେଙ୍ଗାଲୁରୁ: କର୍ଣ୍ଣାଯକରେ କରୋନା ସଂକ୍ରମଣ ତୀବ୍ର ହୋଇଥିବାବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ବୁଧବାର ପର୍ଯ୍ୟନ୍ତ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭,୨୫୩ ରେ ପହଞ୍ଚିଥିବାବେଳେ ୯୨୮ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ବର୍ତମାନ ସୁଦ୍ଧା ରାଜ୍ୟରେ ୨୭,୮୫୩ ସକ୍ରିୟ ମାମଲା ରହିଛି। ଏହି ସ୍ଥିତିରେ କରୋନାରୁ କେବଳ ଭଗବାନ ହିଁ ମଣିଷକୁ ବଞ୍ଚାଇ ପାରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବି.ଶ୍ରୀରାମୁଲୁଙ୍କ ମନ୍ତବ୍ୟକୁ କଂଗ୍ରେସ କଠୋର ସମାଲୋଚନା କରିଛି ।
ମନ୍ତ୍ରୀ ଶ୍ରୀରାମୁଲୁ କହିଥିଲେ – ମୋତେ କୁହନ୍ତୁ ରୋଗକୁ କିଏ ନିୟନ୍ତ୍ରଣ କରିପାରିବ ? କେବଳ ଭଗବାନ ହିଁ ଆମକୁ ବଞ୍ଚାଇ ପାରିବେ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇ ପାରିଲେ ରୋଗ ନିୟନ୍ତ୍ରଣ ହୋଇ ପାରିବ ।
ମାତ୍ର ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ଗଣ୍ଠି କରିଛି କଂଗ୍ରେସ । ପିସିସି ମୁଖ୍ୟ ଡ଼ି.କେ.ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିଛନ୍ତି ।
କଂଗ୍ରେସର ଆକ୍ରମଣ ପରେ ସ୍ବାସ୍ଥ୍ୟମନ୍ତ୍ରୀ ପୁଣି ଏକ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଏହି ରୋଗ ସାରା ଦେଶରେ ବ୍ୟାପିଛି ଏବଂ ଆସନ୍ତା ଦୁଇ ମାସ ମଧ୍ୟରେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା ଆବାଶ୍ୟକ । ଶାସକ ଓ ବିରୋଧୀ କେହି ଭିନ୍ନ ନୁହନ୍ତି, ରୋଗ ପାଇଁ ସମସ୍ତେ ସମାନ । ବୁଧବାର ବିଳମ୍ବିତ ରାତିରେ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ମୁଁ କହିଥିଲି ଯେ ଲୋକଙ୍କ ସହଯୋଗ ବ୍ୟତୀତ ଭଗବାନ ମଧ୍ୟ ଆମକୁ ସୁରକ୍ଷା ଦିଅନ୍ତୁ । କିନ୍ତୁ କିଛି ଗଣମାଧ୍ୟମ ଏହାର ଭୁଲ ବ୍ୟାଖ୍ୟା କରିଛନ୍ତି ଓ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ବାସ୍ଥ୍ୟମନ୍ତ୍ରୀ ଅସହାୟ ବୋଲି କହି ଚାଲିଛନ୍ତି । ଟିକା ଆସିବା ପର୍ଯ୍ୟନ୍ତ କେବଳ ଭଗବାନ ହିଁ ଆମକୁ ସହାୟ ହୋଇପାରିବେ। ଏହାର ଭୁଲ ବ୍ୟାଖ୍ୟା କରାଯିବା ଅନୁଚିତ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିରୋଧୀ ସରକାରଙ୍କ ଅସାବଧାନତା ଯୋଗୁଁ ସଂକ୍ରମଣ ବଢ଼ୁଛି ବୋଲି ଅଭିଯୋଗ କରିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦାୟିତ୍ବହୀନତା ଯୋଗୁଁ ରାଜ୍ୟରେ ସଂକ୍ରମର ତୀବ୍ର ହେବାରେ ଲାଗିଛି ବୋଲି କହିଛନ୍ତି ।