କର୍ଣ୍ଣାଟକ ନିର୍ବାଚନ : ବହୁ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଶନିବାର (୧୨ ମେ’)ରେ ଭୋଟ ଗ୍ରହଣ ହେବ ଓ ୧୫ ମେ’ରେ ଫଳାଫଳ ପ୍ରକାଶ ପାଇବ। ମୋଟ ୨୨୪ ଆସନରୁ ୨୨୨ ଆସନରେ ନିର୍ବାଚନ ହେବ। ବାକି ୨ ଆସନରେ ପରବର୍ତ୍ତୀ ସମୟରେ ନିର୍ବାଚନ ହେବ। ତେବେ ଅଧିକାଂଶ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ପଷ୍ଟ ହୋଇଯାଇଛି। ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପାଇଁ ଜେଡିଏସ୍‍ ଚିନ୍ତାର କାରଣ ହୋଇଛି। ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ କର୍ଣ୍ଣାଟକରେ ଝୁଲା ସରକାର ହେବ ଓ ଜେଡିଏସ୍‍ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। କଂଗ୍ରେସ ଓ ବିଜେପି ନିର୍ବାଚନୀ ପ୍ରଚାର ସମୟରେ ଜେଡିଏସ୍‍କୁ କଡ଼ା ସମାଲୋଚନା କରିଛନ୍ତି। ହେଲେ ଜେଡିଏସ୍‍ ବିଜେପି ଆଡକୁ ଢଳୁ ଥିବା ପରି ଲାଗୁଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ବାଚନ ପ୍ରଚାର ସମୟରେ ବିଜେପି ଅର୍ଥରେ ଜେଡିଏସ୍‍ ପ୍ରଚାର ଚାଲୁଛି ବୋଲି କହିଛନ୍ତି। ଉଲ୍ଲେଖ ଯେ ସିଦ୍ଧରମୈୟା ଜେଡିଏସ୍‍ରୁ କଂଗ୍ରେସକୁ ଆସିଛନ୍ତି। ସିଦ୍ଧରମୈୟା ଶାସନ କାଳରେ ଅନ୍ନ ଭାଗ୍ୟ ଯୋଜନାରୁ ଲୋକପ୍ରିୟ ହୋଇଛନ୍ତି। ଏହି ଅନ୍ନ ଭାଗ୍ୟ ଯୋଜନାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି ଯେ ଅନ୍ନ ଭାଗ୍ୟ ଯୋଜନା ପଛରେ କେନ୍ଦ୍ର ସରକାରଙ୍କ ହାତ ରହିଛି। କେନ୍ଦ୍ର ଚାଉଳ କିଲୋ ପିଛା ୩୨.୬୩ ଟଙ୍କାରେ କିଣି କର୍ଣ୍ଣାଟକ ସରକାରଙ୍କୁ କିଲୋ ପିଛା ୩ ଟଙ୍କାରେ ପ୍ରଦାନ କରୁଛି। ଏ କ୍ରମରେ କେନ୍ଦ୍ର ଚାଉଳ କିଲୋ ପ୍ରତି ୨୯.୬୪ ଟଙ୍କା ରିହାତି ଦେଇଛନ୍ତି। ସେପଟେ ସିଦ୍ଧରମୈୟା ସରକାର ସମାଜ କଲ୍ୟାଣ ସମ୍ପର୍କିତ ରାଜନୀତିରେ ଅଧିକ ଧ୍ୟାନ ଦେଇଛି। କଂଗ୍ରେସ ଦଳିତ, ଓବିସି, ସଂଖ୍ୟାଲଘୁଙ୍କୁ ନିଜ ପଟକୁ ନେବାରେ ସଫଳ ହୋଇଛି। କିନ୍ତୁ ସିଦ୍ଧରମୈୟା ପଛୁଆ ବର୍ଗର ଜାତି କୁରବାଙ୍କୁ ଅଧିକ ଧ୍ୟାନ ଦେଇଥିବା ଓ ଅନ୍ୟ ଜାତିଙ୍କୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ସିଦ୍ଧରମୈୟା ଗତ ବଜେଟରୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅନିଲା ଭାଗ୍ୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସେ ଗରିବ ପରିବାରଙ୍କୁ ମାଗଣାରେ ଏଲପିଜି ସଂଯୋଗ ଦେବା ସହ ଗ୍ୟାସ ଚୁଲା ଏବଂ ୨ ଥର ଗ୍ୟାସ ସିଲିଣ୍ଡର ଭରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନିର୍ବାଚନ ପାଖେଇ ଆସିବା ପରେ ସିଦ୍ଧରମୈୟା ଲିଙ୍ଗାୟତ କାଡ଼ ଖେଳିଛନ୍ତି। ଲିଙ୍ଗାୟତ ସମୂଦାୟଙ୍କୁ ଅଲଗା ଧର୍ମର ମାନ୍ୟତା ଦେବାକୁ କହି ସିଦ୍ଧରମୈୟା ୧୯୪୦ରୁ ବିଜେପି ପଟରେ ଥିବା ଲିଙ୍ଗାୟତ ଭୋଟକୁ ନିଜ ପଟକୁ ଟାଣି ନେଇଛନ୍ତି। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦୁରପ୍ପା ଲିଙ୍ଗାୟତ ଧର୍ମର । ୨୦୦୮ ନିର୍ବାଚନ ବିଜୟ ପରେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଲିଙ୍ଗାୟତକୁ ଅଲଗା ଧର୍ମର ମାନ୍ୟତା ଦେବାକୁ କହି କଂଗ୍ରେସ ବିଜେପି ଗଡ଼ରେ ଘାଇ ସୃଷ୍ଟି କରିଦେଇଛି ।  ସେପଟେ ତୃତୀୟ ଦଳ ଭାବେ ମହିଶୁର ଅଞ୍ଚଳରେ ଜେଡିଏସ୍‍ର ଆଧିପତ୍ୟ ଦେଖିବାକୁ ମିଳିଛି । ମହିଶୁରରେ ୬୧ ଆସନରେ ସିଧାସଳଖ କଂଗ୍ରେସ ଏବଂ ଜେଡିଏସ୍‍ ମଧ୍ୟରେ ଲଢେଇ ହେବାକୁ ଯାଉଛି । ସେଠାକାର ଭୋକାଲିଗା ସମୂଦାୟଙ୍କ ଭୋଟ ଜେଡିଏସ୍‍ ହାତରେ ରହିଛି। ୨୦୧୩ରେ କଂଗ୍ରେସ ମହିଶୁରର ବହୁ ଆସନରେ ବିଜୟଲାଭ କରିଥିଲା। ମାତ୍ର ଭୋକାଲିଗା ସମୂଦାୟଙ୍କ ଭୋଟ ଜେଡିଏସ୍‍ ନିକଟରେ ରହିଥିଲା। ବିଜେପି ଆଡକୁ ଢଳୁଥିବାରୁ ମୁସଲମାନଙ୍କ ଭୋଟ ପାଇବାରେ ଜେଡିଏସ୍‍ ବିଫଳ ହେବାର ଆଶଙ୍କା ଦେଖାଯାଇଛି।

Leave A Reply