ମେଘାଳୟ ବିଧାନସଭା ଉପନିର୍ବାଚନ: ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମାଙ୍କ ବିଜୟ

0

ଶିଲଂ : ମେଘାଳୟର ଦକ୍ଷିଣ ଟୁରା ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଏନ୍‍ପିପି (ନ୍ୟାସନାଲ ପିପୁଲ୍‍ସ ପାର୍ଟି) ମୁଖ୍ୟ କର୍ଣ୍ଣାଡ କରନାଡ(କେ) ସାଙ୍ଗମା ବିଜୟଲାଭ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସର ବିଦ୍ରୋହୀ ନେତା ଚାର୍ଲୋଟ୍‍ ଡବ୍ଲ୍ୟୁ. ମୋମିନ୍‍ଙ୍କୁ ୮,୪୦୦ରୁ ଊର୍ଦ୍ଧ୍ବ ଭୋଟ୍‍ରେ ପରାସ୍ତ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏଫ୍‍. ଆର୍‍ ଖାର୍‍କୋଙ୍ଗୋର ସୋମବାର ଘୋଷଣା କରିଛନ୍ତି। ଦକ୍ଷିଣା ଟୁରାରେ ୨୨,୨୦୦ରୁ ଊର୍ଦ୍ଧ୍ବ ଭୋଟର ମତ ଦାନ କରିଥିବାବେଳେ ସାଙ୍ଗମାଙ୍କୁ ୧୩,୬୫୬ଟି ଏବଂ ଚାର୍ଲୋଟଙ୍କୁ ୮,୪୨୧ଟି ଭୋଟ୍‍ ମିଳିଛି। ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ନିମନ୍ତେ ସେପ୍ଟେମ୍ବର ୧୬ ସୁଦ୍ଧା ସାଙ୍ଗମାଙ୍କୁ ବିଧାନସଭାକୁ ନିର୍ବାଚିତ ହେବା ଆବଶ୍ୟକ ଥିଲା। ଏଥିନିମନ୍ତେ ତାଙ୍କ ଭଉଣୀ ଦକ୍ଷିଣ ଟୁରା ବିଧାନସଭା ଆସନରୁ ଇସ୍ତଫା ଦେଇଥିଲେ। ଫଳରେ ଉକ୍ତ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିଭଳି ରାଣୀକୋରା ବିଧାନସଭା ଆସନ ଉପନିର୍ବାଚନରେ ସଂଯୁକ୍ତ ଗଣତାନ୍ତ୍ରିକ ଦଳ ପ୍ରାର୍ଥୀ ପୀୟୂଷ ମାର୍‍ୱେନ୍‍ ବିଜୟଲାଭ କରିଛନ୍ତି। ସାଙ୍ଗମାଙ୍କ ବିଜୟ ଦ୍ୱାରା ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭାରେ ଏନ୍‍ପିପିର ଆସନ ସଂଖ୍ୟା ୨୦ରେ ପହଞ୍ଚିଛି; ଯାହାକି ବିରୋଧୀ ଦଳ କଂଗ୍ରେସର ଆସନ ସଂଖ୍ୟା ସହ ସମାନ। ଏନ୍‍ପିପି ରାଜ୍ୟରେ ମେଘାଳୟ ଗଣତାନ୍ତ୍ରିକ ମେଣ୍ଟ (ଏମ୍‍ଡିଏ) ସରକାରର ନେତୃତ୍ତ୍ୱ ନେଉଛି। ମେଣ୍ଟ ସରକାର ପ୍ରତି ବିଜେପି (୨), ଏନ୍‍ସିପି(୧), ସଂଯୁକ୍ତ ଗଣତାନ୍ତ୍ରିକ ଦଳ (୭), ପିଡିପି (୪), ହିଲ୍‍ ଷ୍ଟେଟ୍‍ସ ପିପୁଲ୍ସ ଡୋମୋକ୍ରାଟିକ୍‍ ପାର୍ଟି (୨) ଏବଂ ଦୁଇଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି।

Leave A Reply