କାରଗିଲ ବିଜୟକୁ ୨୧ ବର୍ଷ : ଜାଣନ୍ତୁ ପ୍ରବଳ ପରାକ୍ରମୀ ଭାରତୀୟ ସେନାର ଯୁଦ୍ଧ ସଂକ୍ରାନ୍ତ କେତେକ ସ୍ୱତନ୍ତ୍ର କାହାଣୀ

ଆଜି କାରଗିଲ ଯୁଦ୍ଧ- ଅପରେସନ୍‍ ବିଜୟକୁ ୨୧ବର୍ଷ ହେଲା। ୧୯୯୯ ଜୁଲାଇ ୨୬ରେ ପାକିସ୍ତାନକୁ ପରାଜିତ କରି କାରଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା ଭାରତ। ୧୮ହଜାର ଫୁଟ ଉଚ୍ଚରେ ପ୍ରାୟ ୨ମାସ କାଳ ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସେନା ଯେପରି ପ୍ରବଳ ପରାକ୍ରମ ପ୍ରଦର୍ଶନ କରିଥିଲା, ଦେଶବାସୀ ଏଥିରେ ଏବେ ବି ଗର୍ବ ଅନୁଭବ କରନ୍ତି। ବିଜୟ ଦିବସରେ କାରଗିଲ ଯୁଦ୍ଧ ସଂକ୍ରାନ୍ତ କେତେକ ସ୍ୱତନ୍ତ୍ର କାହାଣୀ

ଯୁଦ୍ଧଭୂମିରେ ପିତା-ପୁତ୍ର

କାରଗିଲ ଯୁଦ୍ଧ ଭୂମିରେ ଶତ୍ରୁକୁ ଏକାଠି ସାମ୍‍ନା କରିଥିଲେ ଲେପ୍ଟନାଣ୍ଟ ଜେନେରାଲ ଏ.ଏମ୍‍. ଅଲ୍‍ ଏବଂ ତାଙ୍କର ଏକମାତ୍ର ପୁତ୍ର କର୍ଣ୍ଣେଲ ଅମିତ ଅଲ୍‍। ବୋଧହୁଏ ଲେପ୍ଟନାଣ୍ଟ ଅଲ୍‍ ଏକମାତ୍ର କମାଣ୍ଡର ଯିଏ ନିଜ ପୁଅ ସହିତ ଯୁଦ୍ଧ ଭୂମିରେ ଲଢିଛନ୍ତି। କାରଗିଲ ଯୁଦ୍ଧ ବେଳେ ୫୬ ମାଉଣ୍ଟେନ୍‍ ବ୍ରିଗେଡର କମାଣ୍ଡର ଥିଲେ ଲେଫ୍ଟନାଣ୍ଟ ଅଲ୍‍। ଏହି ବ୍ରିଗେଡ ତୋଲୋଲିଙ୍ଗ ଏବଂ ଟାଇଗର ହିଲ୍‍ କବ୍‍ଜା କରିଥିଲା। ପୁଅ କର୍ଣ୍ଣେଲ ଅମିତ ତତ୍କାଳୀନ ୩/୩ ଗୋର୍ଖା ରାଇଫଲ୍‍ସର ସେକେଣ୍ଡ ଲେପ୍ଟନାଣ୍ଟ ଭାବେ ମାର୍‍ପୋ ଲା ଅଞ୍ଚଳରୁ ଯୁଦ୍ଧ ପରିଚାଳନା କରୁଥିଲେ। ଅମିତଙ୍କ କହିବା ଅନୁସାରେ ମା’ଙ୍କୁ ଯୁଦ୍ଧ ସ୍ଥିତି ସମ୍ପର୍କରେ ସବୁକିଛି ନଜଣାଇବା ଏବଂ ଜଣେ ସୈନିକ ଭାବେ ସାହସ ଏବଂ ନିଷ୍ଠାର ସହ ଯୁଦ୍ଧ ଲଢିବା ଲାଗି ପିତା ତାଙ୍କୁ ପରାମର୍ଶ ଦେଇଥିଲେ। ଅମିତ ନିଜର ଶେଷ ଚିଠି ମଧ୍ୟ ୟୁନିଟ୍‍କୁ ପଠାଇ ଦେଇଥିଲେ ଯାହା ଜଣେ ସୈନିକ ସହିଦ ହେବା ପରେ ତାଙ୍କ ପରିବାରକୁ ପ୍ରଦାନ କରାଯାଇଥାଏ। ଉଭୟ ପିତା-ପୁତ୍ର ନିଜନିଜ ଅଞ୍ଚଳରେ ସାହସିକତାର ସହ ଯୁଦ୍ଧ ଲଢୁଥିଲେ। ଯୁଦ୍ଧ ସମୟରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା। ଏପରିକି ଯୁଦ୍ଧ ଶେଷ ହେବାର ଦୁଇମାସ ପରେ ପିତା-ପୁତ୍ରଙ୍କର ସାକ୍ଷାତ ହୋଇଥିଲା। ଉଭୟଙ୍କୁ ସାହସିକତା ପାଇଁ ସମ୍ମାନିତ କରାଯାଇଥିଲା। ଲେପ୍ଟନାଣ୍ଟ ଜେନେରାଲ ଅଲ୍‍ ୱେଷ୍ଟର୍ଣ୍ଣ କମାଣ୍ଡର ଚିଫ୍‍ ଅଫ୍‍ ଷ୍ଟାଫ୍‍ ପଦରୁ ଅବସର ଗ୍ରହଣ କରିଛନ୍ତି।

ପଛଘୁଞ୍ଚା ନାହିଁ ବୀରର ଜାତକେ

୧୯୯୯, ଜୁଲାଇ ୧୩। କାରଗିଲ ଯୁଦ୍ଧରେ ମେଜର ଡିପି ସିଂହ ଅଖ୍‍ନୁର ସେକ୍ଟରରେ ଏକ ପୋଷ୍ଟ ଦାୟିତ୍ୱରେ ରହିଥିଲେ। ତାଙ୍କ ଟିମ୍‍ରେ ୩୦ଜଣ ଯବାନ୍‍ ରହିଥିବା ବେଳେ ଶତ୍ରୁ ପୋଷ୍ଟଠାରୁ ମାତ୍ର ୮୦ ମିଟର ଦୂରରେ ଥିଲେ ସେମାନେ। ଦୁଇଦିନ ଗୁଳିମାଡ ବନ୍ଦ ରହିବା ପରେ ୧୫ତାରିଖରେ ପୁଣି ଆରମ୍ଭ ହୋଇଗଲା। ମେଜର ସିଂହ ବଙ୍କର ବାହାରେ ଶତ୍ରୁକୁ ସାମ୍‍ନା କରୁଥିବା ବେଳେ ଶତ୍ରୁପକ୍ଷରୁ ତାଙ୍କ ଆଡକୁ ଦୁଇଟି ମୋର୍ଟାର ମାଡ କରାଗଲା। ଗୋଟିକରୁ ସେ ସୁରକ୍ଷିତ ରହିଗଲେ ମଧ୍ୟ ଆରଟି ତାଙ୍କଠାରୁ ମାତ୍ର ଦେଢ ମିଟର ଦୂରରେ ପଡିଲା। ଏହି ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେ। ତାଙ୍କୁ ଚାରିଜଣ ସାଥୀ ଅଖ୍‍ନୁର ହସ୍‍ପିଟାଲ ନେଇଆସିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ହଠାତ୍‍ ସେଦିନ ପରିଦର୍ଶନରେ ଆସିଥିବା ଜଣେ ବରିଷ୍ଠ ଡାକ୍ତର ଦେଖିଲେ ଡିପିଙ୍କ ଶ୍ୱାସକ୍ରିୟା କ୍ଷୀଣ ହେଲେ ବି ଚାଲୁଛି। ସେ ତୁରନ୍ତ ଚିକିତ୍ସା ଆରମ୍ଭ କଲେ ଏବଂ ବଞ୍ଚିଗଲେ ଡିପି। ଗୋଟିଏ ଗୋଡ, ଅନ୍ତନଳୀର କିଛି ଅଂଶ କଟାଯିବା ସହ ଆଉ କେତେକ ଅସ୍ତ୍ରୋପଚାର କରାଯାଇଥିଲା। ପ୍ରାୟ ବର୍ଷେକାଳ ହସ୍‍ପିଟାଲରେ ରହିଲେ ସେ। ତେବେ ଡିପିଙ୍କ ମନୋବଳ କମି ନଥିଲା। ୨୦୦୯ରେ ମାରାଥନ୍‍ରେ ଭାଗ ନେବା ସହ ୨୦୧୧ରେ ସେ ହେଲେ ଦେଶର ପ୍ରଥମ ବ୍ଲେଡ ରନର। ଏସିଆର ପ୍ରଥମ ଦିବ୍ୟାଙ୍ଗ ଭାବେ ସେ ନାସିକରେ ସ୍କାଇ ଡାଇଭିଂ ବି କରିସାରିଛନ୍ତି। ଲିମ୍‍କା ବୁକ୍‍ ଅଫ୍‍ ରେକର୍ଡରେ ସେ ଚାରିଥର ସ୍ଥାନିତ ହୋଇଛନ୍ତି। ନିଜର ଅଙ୍ଗ ଏବଂ ଅସ୍ଥିମଜ୍ଜା ଦାନ କରିବା ଲାଗି ନିଷ୍ପତ୍ତି ନେଇଥିବା ମେଜର ସିଂହ ଜୁଲାଇ ୧୫କୁ ନିଜ ମୃତ୍ୟୁବାର୍ଷିକୀ ଏବଂ ପୁନର୍ଜନ୍ମର ଦିନ ଭାବେ ବି ପାଳନ କରନ୍ତି। ଦିବ୍ୟାଙ୍ଗମାନଙ୍କ ଲାଗି ସେ ଏକ ଏନ୍‍ଜିଓ ଦି ଚ୍ୟାଲେଞ୍ଜିଂ ୱାନ୍‍ସ ବି ପ୍ରତିଷ୍ଠା କରିଛନ୍ତି। ତାଙ୍କୁ ନ୍ୟାସନାଲ ଆୱାର୍ଡ ଏବଂ କେଭିନ୍‍ କେୟାର ଆୱାର୍ଡରୁ ମିଳିଥିବା ୨ଲକ୍ଷ ଟଙ୍କା ପୁରସ୍କାର ରାଶି ସେ ସେନାର ୱେଲଫେୟାର ଫଣ୍ଡ୍‍କୁ ଦାନ କରିଛନ୍ତି।

ସାଧାରଣ ନାଗରିକ- ଅସାଧାରଣ ଦେଶପ୍ରେମ

କାରଗିଲ ଯୁଦ୍ଧରେ ଦେଶର ସୈନିକଙ୍କୁ ସହଯୋଗ କରିବା ଲାଗି ଅଣ୍ଟା ଭିଡି ଆଗେଇ ଆସିଥିଲେ ଲଦ୍ଦାଖର ଯୁବକମାନେ। ସେମାନେ ସ୍ୱେଚ୍ଛାରେ ଏହି ସହଯୋଗ କରିଥିଲେ। ଏମାନଙ୍କ ମଧ୍ୟରୁ ଲଦ୍ଦାଖର ଲୋୟର ଲେହ ଗ୍ରାମ ବାସିନ୍ଦା ମହମ୍ମଦ ଅଖ୍‍ତର ଏବଂ ଆଉ ଜଣେ ବାସିନ୍ଦା ରିଗ୍‍ଜିନ୍‍ ନାମଗ୍ୟାଲଙ୍କ କାମ ବିଶେଷ ଭାବେ ସ୍ମରଣୀୟ। ଅଖ୍‍ତର ଜୁବରହିଲ୍‍ଠାରେ ରାତିରାତି ଅନିଦ୍ରା ରହି ୨୦କିଲୋମିଟର ଲେଖାଏଁ ଚାଲିଚାଲି ଯାଇ ସେନା ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ ଯୋଗାଉଥିଲେ। ସେହିପରି ରିଗ୍‍ଜିନ ପାହାଡିଆ ରାସ୍ତାରେ ଟ୍ରକ୍‍ ଚଳାଇ ଜରୁରୀ ସାମଗ୍ରୀ ସେନା ନିକଟରେ ପହଞ୍ଚାଉଥିଲେ। ୬୪ବର୍ଷରେ ପହଞ୍ଚିଥିବା ପି. ଆଙ୍ଗଚୁକ୍‍ ଏବେ ବି ଦେଶ ପାଇଁ ସଂଗ୍ରାମରେ ସାମିଲ ହେବାକୁ ଆଗଭର। କାରଗିଲ ଯୁଦ୍ଧ ବେଳେ ସେ ବେସ୍‍ କ୍ୟାମ୍ପ ଯାଏ ତୋପ ଗୋଳା, ଚାଉଳ, ଡାଲି, ଚିନି ଏବଂ ଅନ୍ୟାନ୍ୟ ସାମଗ୍ରୀ ବୋହି ନେଉଥିଲେ। ସେନାର ସହାୟତା କରିବାରେ ଲଦ୍ଦାଖ ଅଞ୍ଚଳର ମହିଳାମାନେ ବି ପଛାଇ ନଥିଲେ। ରିନ୍‍ଛେନ ଲାମୋ ନାମକ ଜଣେ ମହିଳା କାରଗିଲ ଯୁଦ୍ଧ ସମୟରେ ଗ୍ରାମର ମହିଳାମାନଙ୍କୁ ଏକାଠି କରି ଖାଦ୍ୟ ପ୍ରସ୍ତୁତ କରାଇ ସେନା ନିକଟକୁ ପଠାଉଥିଲେ। ଅର୍ଗାନିକ ଖାଦ୍ୟ ଖାଇଲେ ସୈନିକମାନଙ୍କୁ ବଳ ମିଳିବ ଏବଂ ସେମାନେ ସୁସ୍ଥ ରହି ଶତ୍ରୁ ସହ ଲଢିପାରିବେ ବୋଲି ସେମାନଙ୍କର ଉଦ୍ଦେଶ୍ୟ ଥିଲା। ପ୍ରଥମେ ଯୁଦ୍ଧ ପରିସ୍ଥିତିରେ ସେନା ପାଖକୁ ଯିବା ଲାଗି ସେମାନଙ୍କୁ ଭୟ ଲାଗିଥିଲା। ତେବେ ପାକିସ୍ତାନକୁ ପରାଜିତ କରିବାର ନିଶା ସେମାନଙ୍କୁ ବି ଏମିତି ଘାରିଲା ଯେ ଗୁଳିଗୋଳାର ଭୟ ଆଉ ରହିଲା ନାହିଁ ବୋଲି ଏବେ କାରଗିଲ ଘଟଣାକୁ ମନେପକାଇ ସ୍ଥାନୀୟ ବାସିନ୍ଦା କହନ୍ତି। ବିନା ଅସ୍ତ୍ରଶସ୍ତ୍ର ଏବଂ ସେନା ପୋଷାକରେ ବି ଦେଶସେବା କରାଯାଇପାରେ ବୋଲି ଏହି ସାଧାରଣ ନାଗରିକମାନେ ପ୍ରମାଣ କରିଥିଲେ। ଏବେ ଗଲୱାନ୍‍ଠାରେ ଚୀନ୍‍ର ଦୁଃସାହସ ଦେଖି ଯେକୌଣସି ପରିସ୍ଥିତିରେ ସେନାର ସହାୟତା ପାଇଁ ସେମାନେ ବି ଅଣ୍ଟା ଭିଡି ବସିଛନ୍ତି ବୋଲି ଏହି ବାସିନ୍ଦାମାନେ କହନ୍ତି।

ଗୁଞ୍ଜନ : କାରଗିଲ କନ୍ୟା

ପାକିସ୍ତାନୀ ସେନାର ଗୁଳିବର୍ଷଣ ଭିତରେ ଆହତ ସୈନିକଙ୍କୁ ଯୁଦ୍ଧଭୂମିରୁ ନେଇ ବେସ୍‍ କ୍ୟାମ୍ପରେ ପହଞ୍ଚାଉଥିବା ଫ୍ଲାଇଂ ଅଫିସର ଥିଲେ ଗୁଞ୍ଜନ ସକ୍‍ସେନା। ସେ ଥିଲେ ଯୁଦ୍ଧରେ ନିୟୋଜିତ ପ୍ରଥମ ମହିଳା ଫାଇଟର ପାଇଲଟ୍‍। ତାଙ୍କୁ କାର୍‍ଗିଲ କନ୍ୟା ବୋଲି ନାମିତ କରାଯାଇଛି। କ୍ରମାଗତ ୨୦ଦିନ ଧରି ଗୁଞ୍ଜନ କାରଗିଲ ଯୁଦ୍ଧଭୂମିରେ ଚିତା ହେଲିକପ୍ଟର ଉଡାଇଥିଲେ। ଗୁଞ୍ଜନଙ୍କ ଭାଇ ଅଂଶୁମାନ ମଧ୍ୟ କାରଗିଲ ଯୁଦ୍ଧରେ ନିୟୋଜିତ ଥିଲେ। ୨୦୦୪ରେ ବାୟୁସେନାରୁ ଅବସର ନେଇଥିଲେ ଗୁଞ୍ଜନ। ତାଙ୍କ ପତି ବି ବାୟୁସେନାର ହେଲିକପ୍ଟର ୟୁନିଟରେ ଫ୍ଲାଇଂ ଅଫିସର ଅଛନ୍ତି। ଆସନ୍ତା ଅଗଷ୍ଟ ୧୨ତାରିଖରେ ନେଟ୍‍ଫ୍ଲିକ୍ସରେ ଗୁଞ୍ଜନଙ୍କ ଜୀବନୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଗୁଞ୍ଜନ ସକ୍‍ସେନା: ଦି କାରଗିଲ ଗାର୍ଲ’ ମୁକ୍ତିଲାଭ କରିବ। ଏଥିରେ ଗୁଞ୍ଜନଙ୍କ ଭୂମିକାରେ ଜାହ୍ନବୀ କପୁର ଅଭିନୟ କରିଛନ୍ତି। ଝିଅ ପାଇଁ ଗର୍ବ ଅନୁଭବ କରନ୍ତି ପିତା କର୍ଣ୍ଣେଲ ଏ.କେ ସକ୍‍ସେନା।

ଗାଁ ପାଲଟିଲା ସଂଗ୍ରହାଳୟ

ଭାରତ-ପାକିସ୍ତାନ ମଧ୍ୟରେ ୧୯୭୧ ଏବଂ କାର୍‍ଗିଲ ଯୁଦ୍ଧ ଯୋଗୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଜାମ୍ମୁ-କାଶ୍ମୀରର ହୁନ୍ଦରମନ ଗାଁ। କାର୍‍ଗିଲ ଜିଲାରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଏହି ଶେଷ ଗାଁଟି କିନ୍ତୁ ଧ୍ୱଂସାବଶେଷକୁ ସାଇତି ଏକ ନିଆରା ସଂଗ୍ରହାଳୟ ପାଲଟି ଯାଇଛି। ମୋର୍ଟାର ସେଲ୍‌ଫର ଅଂଶ, ପାକିସ୍ତାନୀ ସେନାର ଫାଷ୍ଟଏଡ୍‍ ବାକ୍ସ, ଶୁଖିଲା ଖାଦ୍ୟ ଡବା ଆଦି ଏହି ସଂଗ୍ରହାଳୟରେ ରଖାଯାଇଛି। ୨୦୧୫ରେ ଗାଁକୁ ବାସିନ୍ଦାମାନେ ସଂଗ୍ରହାଳୟର ରୂପ ଦେଇଥିବା ବେଳେ ମହମ୍ମଦ ବକିର ଏବଂ ମହମ୍ମଦ ଇଲିୟାସ ନାମକ ଦୁଇ ଭାଇ ଏହାର ରକ୍ଷଣାବେକ୍ଷଣ କରୁଛନ୍ତି। ପ୍ରତିମାସରେ ଦେଶବିଦେଶର ୧୦-୧୫ଜଣ ପର୍ଯ୍ୟଟକ ଏହି ସଂଗ୍ରହାଳୟ ଦେଖିବାକୁ ଆସିଥାନ୍ତି। ଏଠାକାର ଜନସଂଖ୍ୟା ଖୁବ୍‍ କମ୍‍। ୧୯୭୧ ଯୁଦ୍ଧ ପରେ ଏହି ଗାଁ ପାକିସ୍ତାନରୁ ଅଲଗା ହୋଇଯାଇଥିଲା ଏବଂ କାର୍‍ଗିଲ ଯୁଦ୍ଧ ପରେ ବାସିନ୍ଦା ୩୨ଟି ପରିବାର ପ୍ରାୟ ୨୫୦ ସଦସ୍ୟ ମୂଳ ସ୍ଥାନରୁ କିଛି ଦୂରରେ ଘର କରି ରହୁଛନ୍ତି। କାରଗିଲ ଯୁଦ୍ଧକୁ ୨୧ବର୍ଷ ହେଲେ ବି ଏହି ଗାଁର ଆଖପାଖ ଅଞ୍ଚଳ ଯୁଦ୍ଧ ଭୂମି ପରି ଦେଖାଯାଏ। ଭାରତୀୟ ସେନା ବିଛାଇଥିବା ଲ୍ୟାଣ୍ଡ୍‍ମାଇନ୍‍ସ ସମ୍ପର୍କରେ ଆଗନ୍ତୁକମାନଙ୍କୁ ସୂଚନା ଦେବା ଲାଗି ଏକାଧିକ ସୂଚନା ଫଳକ ଲଗାଯାଇଛି। ପୁରୁଷମାନେ ସୈନ୍ୟବାହିନୀ ଲାଗି କୁଲି କାମ କରୁଥିବା ବେଳେ ମହିଳାମାନେ ଚାଷ କରିଥାନ୍ତି। ୨୦୦୬ରେ ବିଦ୍ୟୁତ ସଂଯୋଗ ଏବଂ କାର୍‍ଗିଲ ସହ ସଡକ ପଥରେ ଯୋଗାଯୋଗ ହେବା ପରେ ଗାଁରେ ବିକାଶର କିଛି ଛାପ ଦେଖାଗଲାଣି।

 

Comments are closed.