କାର୍‍ଗିଲ ଯୋଦ୍ଧାଙ୍କୁ ସାହାଯ୍ୟ ଯୋଗାଇବାକୁ ଦିଲ୍ଲୀ ଗଲେ ସ୍ୱାଭିମାନ କଟକର ପ୍ରତିନିଧି

0

କଟକ ସଦର : କାର୍‍ଗିଲ ଯୋଦ୍ଧା ଲାନ୍ସନାୟକ ସତବୀର ସିଂହଙ୍କ କରୁଣ କାହାଣୀ ଜଣାପଡ଼ିବା ପରେ ସ୍ୱାଭିମାନ କଟକ ଅନୁଷ୍ଠାନ ପକ୍ଷରୁ ଯୋଦ୍ଧାଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ ପୂର୍ବକ ସାହାଯ୍ୟ ଯୋଗାଇ ଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶତ୍ରୁ ସେନାକୁ ପରାସ୍ତ କରିଥିବା ବିଜୟୀ ଯୋଦ୍ଧା ନିଜ ଅଧିକାର ପାଇଁ ସରକାରୀ ବ୍ୟବସ୍ଥା ସହ ଲଢ଼ି ଶେଷରେ କିପରି ହାରି ଯାଇଛନ୍ତି ସେ ସଂକ୍ରାନ୍ତରେ ଜଣାପଡ଼ିବା ପରେ ସ୍ୱାଭିମାନ କଟକର କର୍ମକର୍ତ୍ତାମାନେ ତାଙ୍କୁ ଭେଟିବା ପାଇଁ ସୋମବାର ଦିଲ୍ଲୀ ଗସ୍ତ କରିଛନ୍ତି।
ଏହି ଗସ୍ତରେ ସ୍ୱାଭିମାନ କଟକର ସଭାପତି ଆଡ୍‍ଭୋକେଟ୍‍ ସତ୍ୟ ମହାନ୍ତିଙ୍କ ନେତୃତ୍ୱରେ ୯ଜଣ ସଦସ୍ୟ ସାମିଲ୍‍ ଅଛନ୍ତି। ଆସନ୍ତା ଗୁରୁବାର ଅନୁଷ୍ଠାନର ପ୍ରତିନିଧିମାନେ ସତ୍‍ବୀର ସିଂହଙ୍କୁ ସାକ୍ଷାତ କରି ଆର୍ଥୀକ ସହାୟତା ପ୍ରଦାନ କରିବେ।
ଏତଦ୍‍ବ୍ୟତୀତ ଏହି ପ୍ରତିନିଧିମାନେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ୍‍ଙ୍କୁ ସାକ୍ଷାତ କରି ଏହି ଯୋଦ୍ଧାଙ୍କୁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ନିବେଦନ କରରିବେ।
ଏହି ପ୍ରତିନିଧି ଦଳରେ ଅକ୍ଷୟ ପଣ୍ଡା, ସୁଧାଂଶୁ ପରିଡା, ଜିତେନ୍ଦ୍ର ସାହୁ, ନବ ଦାସ, ବିଜେଡି ନେତା ପ୍ରଦୀପ ପଟ୍ଟନାୟକ, ବିଜେପି ନେତା କୁଞ୍ଜ ମୋହନ ସେଠୀ, ଶରତ ସାମଲ ପ୍ରମୁଖ ସାମିଲ ଅଛନ୍ତି।
ଏମାନଙ୍କୁ କଟକ ରେଳଷ୍ଟେସନରେ ବିଜେଡି ନେତା ହୁସେନ୍‍ ରବି ଗାନ୍ଧୀ, ଜନ ଜାଗରଣ ମଞ୍ଚର ସଦସ୍ୟ ଚନ୍ଦ୍ର ଶେଖର ମହାନ୍ତି, ସୋମନାଥ ଓଝା, କଟକ ଜିଲା ସମ୍ବାଦପତ୍ର ବିକ୍ରେତା ସଂଘ ପକ୍ଷରୁ କୈଳାଶ ପରିଡା, ରଞ୍ଜନ ବିଶୋଇ, ରଞ୍ଜନ ପ୍ରଧାନ, ମଙ୍ଗୁ ସାହୁଙ୍କ ସହିତ ଅଟୋ ଆସୋସିଏସନର କର୍ମକର୍ତ୍ତା ଓ କଟକ କିନ୍ନର ସଂଘର କର୍ମକର୍ତ୍ତାମାନେ ସମ୍ବର୍ଦ୍ଧନା ଜଣାଇଥିଲେ। ସୂଚନାଯୋଗ୍ୟ, ଜୁଲାଇ ୨୬ ତାରିଖ ସଂସ୍କରଣରେ ‘ସମାଜ’ରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇଥିଲା।

Leave A Reply