ପିତାମ୍ବରପୁରରେ ଭୂମିପୂଜନ ଉତ୍ସବ: ୬ଜଣ କରସେବକଙ୍କୁ ସମ୍ମାନିତ

ହରଭଙ୍ଗା: ଐତିହାସିକ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ବୁଧୁବାର ଅଯୋଧ୍ୟାରେ ଭୂମିପୂଜନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି। ଏଭଳି ଏକ ଐତିହାସିକ ଦିନରେ କରସେବକମାନଙ୍କ ସେବା ଏବଂ ତ୍ୟାଗ ମନୋଭାବକୁ ସମ୍ମାନ ଜଣାଇ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପିତାମ୍ବରପୁରଠାରେ ଥିବା ରାମ ମନ୍ଦିର ପରିସରରେ ଏକ ନିରାଡମ୍ବରପୂର୍ଣ୍ଣ ଉତ୍ସବ ପାଳନ କରାଯିବା ସହିତ ସାମୁହିକ ଦୀପଦାନ କରାଯାଇଥିଲା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆୟୋଜିତ ଏହି ନିରାଡମ୍ବର କାର୍ଯ୍ୟକ୍ରମରେ ବୌଦ୍ଧ ଆର.ଏସ.ଏସ ସଭାପତି ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା, ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତା ପ୍ରମୁଖ ଯୋଗଦାନ କରିଥିଲେ। ୧୯୯୨ମସିହା ଡିସେମ୍ବର ୬ତାରିଖଦିନ ବାବ୍ରୀମସଜିଦ୍‍ ଭଙ୍ଗା ସମୟରେ ହରଭଙ୍ଗା ବ୍ଲକ ପିତାମ୍ବରପୁର ଗ୍ରାମର ୫ଜଣ କରସେବକ ପ୍ରଫୁଲ ଦାସ,ଗରୁଡ ମାହାର,ବସନ୍ତ ଅମାତ୍‍ ମନୋରଞନ ମହାକୁଡ ଏବଂ ଦିବ୍ୟଲୋଚନ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ଏମାନଙ୍କ ମଧ୍ୟରୁ କରସେବକ ମନୋରଞନ ମହାକୁଡଙ୍କ ମୃତ୍ୟୁ ହୋଇସାରିଛି। ଆଜି ଏହି ଅବସରରେ ପିତାମ୍ବରପୁର ଗ୍ରାମର ସମସ୍ତ କରସେବକଙ୍କୁ ସମ୍ମାନିତ କରାଯାଇଥବା ବେଳେ ବୌଦ୍ଧର କରସେବକ ଧିରେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କରସେବକ ସ୍ୱର୍ଗତ ମନୋରଞନ ମହାକୁଡଙ୍କ ସ୍ଥାନରେ ତାଙ୍କ ଭାଇ ବରୁଣ ମହାକୁଡଙ୍କୁ ସମ୍ମାନିତ କରାଯାଇଥିଲା।

ସୂଚନା ଥାଉ କି, ବାବ୍ରୀମସଜିଦ୍‍ ଭଙ୍ଗା ସମୟରେ ବୌଦ୍ଧ ଜିଲ୍ଲାରୁ ୨୫ଜଣ କରସେବକ ଯୋଗଦାନ କରିଥିଲେ। ବର୍ତମାନ ସେମାନଙ୍କ ମଧ୍ୟରୁ ୫ଜଣ କରସେବକଙ୍କ ମୃତ୍ୟୁ ଘଟିସାରିଛି। ପିତାମ୍ବରପୁର ରାମ ମନ୍ଦିରରେ ଏକମାତ୍ର ରାମ ଶିଳା ଦୀର୍ଘଦିନହେଲା ପୂଜାପାଇଆସୁଛି।

Comments are closed.