ବୌଦ୍ଧ ବାପୁଜୀନଗରରେ ପାଳିତ ହେଲା କରମା ଉତ୍ସବ

ବୌଦ୍ଧ: ବୌଦ୍ଧ ସହରର ବାପୁଜୀନଗର ଠାରେ ଭାଦ୍ରବ ଏକାଦଶୀ ଅବସରରେ ମା’ କରମସାନୀଙ୍କ ପୂଜା ସହିତ କରମା ଉତ୍ସବ ପାଳନ କରାଯାଇଛି। ପରମ୍ପରା ପ୍ରକାରେ ସମସ୍ତେ ସକାଳ ଠାରୁ ପୂଜା ଓ ଉପାସ ଆରମ୍ଭ କରିଥାଆନ୍ତି। ସଂନ୍ଧ୍ୟାରେ ଏକ ସାହାଡା ଗଛର ଡାଳକୁ ମା’ଙ୍କ ପ୍ରତୀକ ଭାବେ ପୂଜା କରାଯିବା ପରେ ପୀଠକୁ ନିଆଯାଇଥାଏ। ବାପୁଜୀ ନଗରରେ ମା’ଙ୍କ ତିନୋଟି ପୀଠ ରହିଛି। ରାଜାରାଜୁଡା ସମୟରୁ ଏହି ଉତ୍ସବ ପାଳିତ ହେଉଅଛି। ଏହି ସମୟରେ ସମସ୍ତେ ନିଜ ନିଜ ଘର ସମ୍ମୁଖରେ ମା’ଙ୍କ ବାଟବରଣ ପୂଜା କରିଥାଆନ୍ତି। ପୀଠରେ ମା’ କରମସାନୀଙ୍କ ସାତ ଭଉଣୀଙ୍କ ପୂଜା କରାଯାଇଥାଏ। ପୂଜା ପରେ ସମସ୍ତେ ଉପାସ ସମାପନ କରି ନାଚଗୀତରେ ମସଗୁଲ ହୋଇଥାଆନ୍ତି। ରାତି ସାରା ବାଜା ଓ ଗୀତର ତାଳେ ତାଳେ ନାଚଗୀତ ଚାଲିଥାଏ । ଆଜି ସକାଳୁ ମା’ ଙ୍କ ପ୍ରତିକ କୁ ବିସର୍ଜନ କରାଯାଇ ପୂଜା ସଂପୂର୍ଣ୍ଣ କରାଯାଇଥିଲା। ମୂଖ୍ୟପୂଜକ ରାଧାକାନ୍ତ ବେହେରା ଓ ଅନ୍ୟମାନେ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.