କପିଳଙ୍କ ନୂଆ ଲୁକ୍‌ରେ ଧୋନି ଓ ରିଚାଡର୍ସଙ୍କ ଛାପ

ନୂଆଦିଲ୍ଲୀ : ୧୯୮୩ କ୍ରିକେଟ ବିଶ୍ବକପ ବିଜେତା ଦଳର ଅଧିନାୟକ କପିଳ ଦେବ ଲକ୍‌ଡାଉନ୍‌ରେ କିଛି ଦିନ ହେବ ନୂଆ ଲୁକ୍‌ରେ ଆସୁଛନ୍ତି । ଲକ୍‌ଡାଉନରେ ଘରେ ଥିବା କପିଳ ଦେବ ନିଜକୁ ସମ୍ପୂର୍ଣ୍ଣ ଲଣ୍ଡା କରିଛନ୍ତି। ସୋସିଆଲ ମିଡ଼ିଆ​ରେ କପିଳଙ୍କ ଏହି ନୂଆ ଲୁକ୍‌ ବେଶ ପସନ୍ଦ ପାଲଟିଛି କିଛି ପ୍ରଶଂସକ କପିଳଙ୍କ ଏହି ଲୁକ୍‌କୁ ୱେଷ୍ଟଇଣ୍ଡିଜ୍‌ର ମହାନ କ୍ରିକେଟର ଭିଭିଆନ୍ ରିଚାର୍ଡସ ଓ ସୟଦ କିରମାନିଙ୍କ ସହିତ ତୁଳନା କରିଛନ୍ତି । କିନ୍ତୁ ସେ କାହିଁକି ଲଣ୍ଡା ହେଲେ ଓ ଲଣ୍ଡା ହେବା ପଛରେ କଣ କାରଣ ସେ ନେଇ କପିଳ ନିଜେ ଖୁଲାସା କରିଛନ୍ତି । କପିଳଙ୍କ ଲଣ୍ଡା ହେବା ପଛରେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ ଓ ୨୦୧୧ ଆଇସିସି ବିଶ୍ବକପ ବିଜେତା ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହିଁ ଅଛନ୍ତି । କେବଳ ଧୋନି ନୁହନ୍ତି ୱେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରିଚାଡ୍ସଙ୍କଠାରୁ ପ୍ରେରଣା ପାଇ କପିଳ ଏହି ଲୁକ୍‌ କରିଥିବା କହିଛନ୍ତି ।
କପିଳ କହିଛନ୍ତି ଇନଷ୍ଟାଗ୍ରାମ୍‌ରେ ମୁଁ ଭିଭିଆନ ରିଚାଡର୍ସଙ୍କ ଲୁକ୍‌କୁ ଦେଖିଥିଲି। ସେ ମୋ ହିରୋ ତାଙ୍କୁ କାହିଁକି ଅନୁସରଣ ନକରିବି । ତାହା ଛଡ଼ା ଧୋନି ମୋ ଆଦର୍ଶ । ୨୦୧୧ ବିଶ୍ବକପ ଜିତାଇବା ପରେ ଧୋନି ଲଣ୍ଡା ହୋଇଥିଲେ । ମୁଁ ମଧ୍ୟ ଦିନେ ଏଭଳି କରିବାକୁ ଆଶା ବାନ୍ଧିଥିଲି। ଏବେ ସେ ସୁଯୋଗ ପାଇଥିବାରୁ ମୁଁ ଲଣ୍ଡା ହେଲି ବୋଲି କପିଳ କହିଛନ୍ତି । ଭାରତକୁ ଦ୍ବିତୀୟ ଥର ବିଶ୍ବକପ ଜିତାଇବା ପରେ ଧୋନି ନିଜ ହେୟାରଷ୍ଟାଇଲକୁ ଜିରୋ କଟ୍‌ କରିଥିଲେ। ଏହା ପୂର୍ବରୁ ଧୋନିଙ୍କ ଲମ୍ବା ଚୁଟି ଥିଲା । ଯେଉଁଥି ପାଇଁ ତାଙ୍କୁ ଖାସ ପରିଚୟ ମିଳିଥିଲା । ଧୋନି ହୁଏତ ଏହି ହେୟାର କଟ୍‌ ଥରେ ରଖିଥିଲେ । କିନ୍ତୁ ଟିମ୍‌ ଇଣ୍ଡିଆର ଗବର ଭାବେ ପରିଚିତ ଶିଖର ଧାୱନ କିଛି ବର୍ଷ ହେବ ଜିରୋ ହେୟାରକଟ୍‌ରେ ନଜରକୁ ଆସୁଛନ୍ତି।

Comments are closed.