‘ସମାଜ’ ପ୍ରଭାବ, ଶଯ୍ୟାଶାୟୀ ହିମାଂଶୁଙ୍କ ଘରେ ପହଁଚିଲା ପ୍ରଶାସନ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଝିକେରପାଲି ଗ୍ରାମର ହିମାଂଶୁ ବାରୀକ ଗଛରୁ ପଡି ଦୀର୍ଘ ୧୫ ମାସ ହେଲା ମେରୁଦଣ୍ଡ ଜନିତ ଆଘାତର ଶୀକାର ହୋଇ ଶଯ୍ୟାଶାୟୀ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଖବର ପ୍ରଥମେ ଗତ ୧୬ ତାରିଖରେ ଦୈନିକ ସମାଜରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଜି ଟିମ୍‍ ପଠାଇ ଶଯ୍ୟାଶାୟୀ ହିମାଂଶୁକୁ ଆମ୍ବୁଲାନ୍ସରେ ବୌଦ୍ଧ ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ଜଣାଯାଇଛି। ହିମାଂଶୁର ପିଠି, ଅଣ୍ଟାରେ ଘା ହୋଇ ଶୁଖୁ ନଥିବା ହେତୁ ତାରି ଚିକିତ୍ସା ପରେ ଅନ୍ୟ କୁଆଡେ ସ୍ଥାନାନ୍ତରୀତ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ହିମାଂଶୁର ସ୍ୱାସ୍ଥ୍ୟବସ୍ଥା ନେଇ ମଧ୍ୟ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲା ହସପିଟାଲର ଡାକ୍ତର ମାନଙ୍କ ସହିତ ପରାମର୍ଶ କରି ଥିବା ବେଳେ ପରିବାରକୁ ଆର୍ଥୀକ ସହାୟତା ପ୍ରଦାନ ଏବଂ ଆସନ୍ତା ୨୦ ତାରିଖରେ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ ସହିତ ସରକାରଙ୍କ ଯୋଜନା ଅନୁଯାୟୀ ସାହାଯ୍ୟ କରାଯିବ ବୋଲି କହିଥିଲେ। ସେହିପରି ହିମାଂଶୁର ପାରିବାରିକ ଅବସ୍ଥା ମଧ୍ୟ ଆଦୌ ସ୍ୱଚ୍ଛଳ ନଥିବା ହେତୁ ସିଏମଆଏଫ ପାଣ୍ଠିରୁ ଅନ୍ୟୁନ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବାକୁ ଜିଲ୍ଲାପାଳ ସୁପାରିଶ କରିଥିବା ଜଣାଯାଇଛି। ହିମାଂଶୁର ବଡ ଭାଇ ଅନ୍ତୋଦୟ ହିତାଧିକାରୀ ହୋଇଥିବା ହେତୁ ମାତ୍ର ୩୫ କେଜି ଚାଉଳ ଦୁଇ ଗୋଟି ପରିବାର ୮ ଜଣ ପ୍ରାଣୀଙ୍କୁ ଆହାର ଯୋଗାଇବାରେ ସକ୍ଷମ ହୋଇ ପାରୁନଥିବା ହେତୁ ହିମାଂଶୁ ନାମରେ ଏକ କାର୍ଡ କରିବାକୁ ମଧ୍ୟ ସ୍ଥାନୀୟ ସରପଞ୍ଚପ୍ରତିଶୃତି ଦେଇଥିବା ପ୍ରକାଶ। ଆଜି ପଲସାଗୋରା ପଞ୍ଚାୟତର ସରପଞ୍ଚ ସମୀର ମାଝୀ ଓ ନିର୍ବାହୀ ଅଧିକାରୀ ଜୟଦେବ ପ୍ରଧାନ ହିମାଂଶୁ ଘରକୁ ଯାଇ ଚାଉଳ, ଡାଲି , ରେସନ ସାମଗ୍ରୀ ସହିତ ଲୁଗାପଟା ଦେଇ ଆସିଥିବା ବେଳେ ଗାଁ କଲ୍ୟାଣ ସମିତି ପକ୍ଷରୁ ମଧ୍ୟ ୩ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇ ଥିବା ଜଣାଯାଇଛି।

Comments are closed.