ବୀମା ରାଶି ପାଇଁ ପୁଣି ତାତିଲେ କଣ୍ଟାମାଳ ଚାଷୀ: ତହସିଲ ବାରଣ୍ଡାରେ ଦେଲେ ଧାରଣା

କଣ୍ଟାମାଳ: ଦୀର୍ଘ ୬ ବର୍ଷ ହେଲା କଣ୍ଟାମାଳ ସେବା ସମବାୟ ସମିତିକୁ ଆସିଥିବା ଚାଷୀଙ୍କ ବୀମା ଛାଡ ଅର୍ଥ ରାଶି ଚାଷୀଙ୍କୁ ଏଯାବତ ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଏବଂ ଗତ ଏକ ମାସ ହେଲା ଶତାଧିକ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇଁ ସେବା ସମବାୟ ସମିତି, ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ, ଥାନାର ଦ୍ୱାରସ୍ଥ ହୋଇଥିଲେ ହେଁ ସେମାନଙ୍କୁ ଏହି ଅର୍ଥ ରାଶି ମିଳିନଥିବା ହେତୁ ଆଜି ଚାଷୀ କଣ୍ଟାମାଳ ତହସିଲ ସମ୍ମୁଖରେ ଧାରଣାରେ ବସିଥିବା ଜଣାଯାଇଛି।
ସୂଚନା ପ୍ରକାରେ ଚାଷୀଙ୍କ ବୀମା ଛାଡ ଅର୍ଥ ରାଶି ବାବଦକୁ ଗତ ୨୦୧୫ ମସିହାରେ କଣ୍ଟାମାଳ ସେବା ସମବାୟ ସମିତିକୁ ପ୍ରାୟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଥିଲା ମାତ୍ର ଟଙ୍କା ପ୍ରଦାନର ଦୀର୍ଘ ୬ ବର୍ଷ ପରେ ବି ଚାଷୀଙ୍କୁ ଏହି ଅର୍ଥ ଦିଆଯାଇ ନଥିବାରୁ କଣ୍ଟାମାଳ ସେବା ସମବାୟ ସମିତି ଅଧିନରେ ରହୁଥିବା ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଚାଷୀ ଙ୍କ ଅଭିଯୋଗ ଅନୁସାରେ ଚାଷୀ ମାନେ ଗତ ଜୁନ ୧୮ ତାରିଖ ଦିନ ଏ ବିଷୟ ରେ କଣ୍ଟାମାଳ ସେବା ସମବାୟ ସମିତି ସଂପାଦକ ଙ୍କୁ ଅବଗତ କରିଥିଲେ ମାତ୍ର ସଂପାଦକ ନୂଆ ଭାବେ ଦାୟୀତ୍ୱ ଗ୍ରହଣ କରିଥିବାରୁ ମୁଁ ଏବିଷୟରେ ଅବଗତ ନୁହଁ ବୋଲି କହିଥିଲେ। ଚାଷୀ ମାନଙ୍କ ଅସନ୍ତୋଷ ଦେଖି ସ୍ଥାନୀୟ ପୋଲିସ ଘଟଣାର ହସ୍ତକ୍ଷେପ କରି ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଘଟଣାର ସତ୍ୟାସତ ପାଇଁ ବୌଦ୍ଧସ୍ଥିତ ଉପ ନିବନ୍ଧକ କଣ୍ଟାମାଳ ଆସି କଡା ସୁରକ୍ଷା ମଧ୍ୟରେ ଘଟଣାର ତଦନ୍ତ କରି ଫେରିଥିଲେ।

 

ତଦନ୍ତ ପରେ ଚାଷୀଙ୍କୁ ସେମାନଙ୍କ ବୀମା ରାଶି ୬ ବର୍ଷର ସୁଧ ସହିତ ପ୍ରଦାନ କରାଯିବ ବୋଲି ଉପନିବନ୍ଧକ କହିଥିଲେ ହେଁ ତଦନ୍ତର ୩ ସପ୍ତାହ ପରେ ବି ଅର୍ଥ ରାଶି ନମିଳିବାରୁ ଆଜି ଚାଷୀ ବାଧ୍ୟ ହୋଇ କଣ୍ଟାମାଳ ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। କଣ୍ଟାମାଳ ତହସିଲଦାର ଅର୍ଜ୍ଜୁନ ପ୍ରଧାନ ଚାଷୀଙ୍କ ସମସ୍ୟା ଅବଗତ ହେବା ପରେ ବୌଦ୍ଧ ଉପ ନିବନ୍ଧକ ଓ ପ୍ରଶାସକଙ୍କ ସହ କଥା ହୋଇ ସେମାନଙ୍କ ବକେୟା ରାଶି ସପ୍ତାହକ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ଧାରଣାରୁ ଓହରି ଯାଇଥିଲେ। ପ୍ରତିଶୃତି ମୁତାବକ ସାତ ଦିନ ମଧ୍ୟରେ ବୀମା ରାଶି ଚାଷୀଙ୍କୁ ନିମିଳିଲେ ଚାଷୀ ବାଧ୍ୟ ହାଇ ସେବା ସମବାୟ ସିମତିରେ ତାଲା ପକାଇବା ସହ ରାଜ ରାସ୍ତାକୁ ଓହ୍ଲାଇ ବାକୁ ବାଧ୍ୟ ହେବେ ବୋଲି ଚାଷୀ ନେତା ରବି ସାହୁ, ଡମ୍ବରୁ କହଁର ପ୍ରମୁଖ ଚେତାବନୀ ଦେଇଥିବା ଜଣାଯାଇଛି।

Comments are closed.