ଜୁଆ ଆଡ୍ଡାରେ ଚଢଉ : ୭ ଜୁଆଡି ଗିରଫ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ମଙ୍ଗଳବାର ରାତିରେ ବଲାଙ୍ଗୀର ପୁଲିସ ଆରକ୍ଷୀ ଅଧିକ୍ଷକ ସଂନ୍ଦିପ ସମ୍ପତ୍ତ ମାଡେକରଙ୍କ ନିର୍ଦ୍ଦେଶକ୍ରମେ ପର୍ଶୁରାମ ଛକ ନିକଟ ଏକ ଜୁଆ ଆଡ୍ଡାରେ ପୁଲିସ ଟିମ୍ ଅଚାନକ ଚଢଉ କରି ଘଟଣାସ୍ଥଳରେ ୭ ଜଣ ଜୁଆଡିଙ୍କୁ ଗିରଫ କରିଛି। ଗିରଫ କରି ଜୁଆଡିଙ୍କ ନିକଟରୁ ୭ଟି ବିଭିନ୍ନ ମୋବାଇଲ ଫୋନ୍, ନଗଦ ୯୫,୪୮୫ ଟଙ୍କା ଓ ୨୧୦ ଟି ତାସପତି, ତାସ୍ କଭର ୪ଟି, ୨ଟି ମୋଟର ସାଇକେଲ ଜବତ କରିଛି। ଏନେଇ ଆଜି ମଧ୍ୟାହ୍ନରେ ଖବରଦାତା ସମ୍ମିଳନୀରେ ସ୍ଥାନୀୟ ଥାନାରେ ଏସ.ଡି.ପି.ଓ. ସରୋଜ ମହାପାତ୍ର ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ରାତ୍ରି ପ୍ରାୟ ୯ ଟା ୩୦ ମି. ସମୟରେ ପର୍ଶୁରାମ ଛକ ନିକଟ ଏକ ଘରେ ଜୁଆ ଖେଳାଯାଉଥିବା କୌଣସି ସୂତ୍ରରୁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଖବର ପାଇ ଏସ୍‍.ପି. କଣ୍ଟାବାଞ୍ଜି ଏସ.ଡି.ପି.ଓଙ୍କୁ ଜୁଆ ଆଡ୍ଡା ଉପରେ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏସ.ଡି.ପି.ଓ ମହାପାତ୍ର ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କାଣ୍ଡେଲକରଙ୍କ ରଣନୀତି ପ୍ରସ୍ତୁତ କରି ଏକ ପୁଲିସ ଟିମ୍ ଗଠନ କରି ଏସ.ଆଇ ପ୍ରଦୀପ କୁମାର ଗୁରିଆ, ଗଙ୍ଗାଧର ମଲ୍ଲିକ, ଏ.ଏସ.ଆଇ. ପଞ୍ଚାନନ ଖୁଆସ, ଭଗବତ ପ୍ରସାଦ ସାଏ ଅତି ଚତୁରତା ସହ ସାଧା ପୋଷାକରେ ଛଦ୍ମ ବେଶରେ ଥାନା ଅଧିକାରୀ ପୁଲିସ ଟିମ୍ ସହ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବରେ ଚଢାଉ କରି ଘଟଣାସ୍ଥଳରେ ଜୁଆ ଖେଳୁଥିବା ବିଜୟ ଅଗ୍ରୱାଲ, ଶଙ୍କରଲାଲ ଅଗ୍ରୱାଲ, ନବୀନ କୁମାର ଗୋୟଲ, ଅନିଳ କୁମାର ଅଗ୍ରୱାଲ, ରାଜେଶ କୁମାର ଅଗ୍ରୱାଲ, ମହେଶ ଲାଲ ଅଗ୍ରୱାଲ, ଅଶୋକ ବଂସଲ ନାମକ ୭ଜଣ ଜୁଆଡ୍ଡିଙ୍କୁ ଜୁଆ ଖେଳୁଥିବାବେଳେ ଘଟଣାସ୍ଥଳରୁ ଗିରଫ କରିଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣ ସହରର ପ୍ରତିଷ୍ଠିତ ବ୍ୟକ୍ତି ଓ ବିଭିନ୍ନ ବ୍ୟବସାୟ କରୁଥିବାବେଳେ ଜଣେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସହକାରୀ ଯନ୍ତ୍ରୀ ଥିବା ପୁଲିସ ସୂତ୍ରରୁ ଜଣାପଡିଛି। ପୁଲିସ ଏକ ମାମଲା ରୁଜୁ କରି ଥାନା କେସ୍ ନଂ ୧୩୩/୯୦୬, ୨୦୨୦ ଦଫା ୩ଓ.ପି.ଜି. ଆକ୍ଟ , ୨୬୯, ୨୭୦, ୩୪ ଏବଂ ୩ ଏପିଡେମିକ୍ ଡିଜିଜ୍ ଆକ୍ଟରେ ଗିରଫ କରି ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟକୁ ଅଭିଯୁକ୍ତମାନଙ୍କୁ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

Comments are closed.