ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ରାଜୁ ଫରେଷ୍ଟର ଟେଙ୍ଗାଜୁରୀ ଗାଁ ରାସ୍ତା ରେ ଗତ ୨୦୧୭ ମସିହା ସେପ୍ଟେମ୍ବର ୧୩ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ତୁରେକେଲା ପୁଲିସ ପହଞ୍ଚି ତଦନ୍ତ କରିଥିଲା। ମୃତଦେହ ପାଖରେ ପିନ୍ଧିଥିବା ଲୁଗା, ପଟା ଓ ଚପଲ ରୁ ଜଣାପଡିଥିଲା ଯେ ମୃତକ ହେଉଛନ୍ତି ତୁରେକେଲା ଥାନା ଲର୍କି ଗାଁର କେଦାର ମେହେର। ଲର୍କି ଗାଁର କେଦାରଙ୍କ ମୁଣ୍ଡରେ କ୍ଷତ ବିକ୍ଷତ ଚିହ୍ନ ଥିବାରୁ ବଡ ଭାଇ ଲକ୍ଷ୍ମଣ ମେହେର ତୁରେକେଲା ଥାନାରେ ଗତ ୧୩ତାରିଖ ସେପ୍ଟେମ୍ବର ମାସ ୨୦୧୭ମସିଆରେ ସାନଭାଇ କେଦାରକୁ କେହି ହତ୍ୟା କରିଥିବା ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ ପରେ ଏକ ଟାଙ୍ଗିଆରେ ଅତି ନୃଶଂସ ଭାବେ କେଦାରକୁ ହତ୍ୟାହୋଇଥିବା ତତ୍କାଳୀନ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କାନ୍ଦନକେଲ ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ।

କୋମନା ଥାନା ଅଞ୍ଚଳର ଜଣେ ଯୁବକକୁ ଅଟକ ରଖି, ଟିଆଇ ପରେଡ଼ରେ ଚିହ୍ନଟ ହୋଇ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ତୁରେକେଲା ପୁଲିସ। ଅଭିଯୁକ୍ତ ହେଲେ ନୂଆପଡା ଜିଲା କୋମନା ଥାନା ମାନିଗୁଡା ଗାଁର ମୁକେଶ ଛତ୍ରୀଆ। ସୂଚନାଯୋଗ୍ୟ ଯେ ଆଗରୁ ଅନେକ ସମୟରେ ମାଓବାଦୀ ନାଁ ନେଇ ଲୋକଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିଲା ମୁକେଶ ଛତ୍ରୀଆ। ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହେଉଛି ମାଓ ପ୍ରବଣ ଅଞ୍ଚଳ।

ନୂଆପଡା ଜିଲାରୁ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକକୁ ଆସି ମାଓବାଦୀଙ୍କ ନାଁରେ କେଦାର ମେହେରଙ୍କୁ ଘରୁ ଡାକିନେଇଥିଲା ଓ ଧମକ ଚମକ ଦେଇ ଟଙ୍କା ମାଗିଥିଲା। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଭିଯୁକ୍ତ ମୁକେଶ ହାତରେ ଧରିଥିବା ଟାଙ୍ଗିଆରେ କେଦାରଙ୍କ ମୁଣ୍ଡରେ ଆଘାତ କରି ଅତି ନୃଶଂସ ଭାବରେ ହତ୍ୟା କରି ଫେରାର ମାରିଥିଲା। ପୁଲିସର ଚାର୍ଜ ସିଟ ଓ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏକ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ମୁକେଶ ଛତ୍ରୀଆକୁ ଆଜୀବନ କାରାଦଣ୍ଡ ସହ ସତୁର ହଜାର ଟଙ୍କା ଜରିମାନା କରିଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ। ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ। ଏହି ମାମଲା ଅଭିଯୁକ୍ତଙ୍କ ତରଫରୁ ୍ମାମଲା ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବୀ ମୋହନଲାଲ ଶର୍ମା ଓ ସରକାରଙ୍କ ତରଫରୁ ଅତିରିକ୍ତ ପିପି କାନନ କିଶୋର ପଣ୍ଡା।

Comments are closed.