ପମ୍ପୁ ତଲାବରେ ମହା ଦୁର୍ନୀତି ତଦନ୍ତ ଦାବି

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପମ୍ପୁ ତାଲାବରେ ମହାଦୁର୍ନୀତିର ଅଭିଯୋଗ କରି ଗୁରୁବାର ତହସିଲଦାର ଅଶୋକ ମାଝୀଙ୍କ ମାଧ୍ୟମରେ ଜିଲାପାଳଙ୍କ କଣ୍ଟାବାଞ୍ଜି ନାଗରିକ ମାନଙ୍କ ତରଫରୁ ଦାବି ପତ୍ର ଦିଆଯାଇଛି। ସୂଚନା ଅନୁସାରେ କଣ୍ଟାବାଞ୍ଜି ପମ୍ପୁ ତାଲାବରେ କ୍ଷୁଦ୍ର ଜଳସେଚନ ବିଭାଗ, ବଲାଙ୍ଗିର ତରଫରୁ ପତ୍ର ସଂଖ୍ୟା ୩୩୨/ ତା ୧୬.୦୩.୨୦୧୭ରେ ଅନୁସାରେ ଏହି ବଂଧକୁ କାଟି ଏଥିରେ ଥିବା ପାଣି ବାହାର କରି ଦିଆଗଲା ଏବଂ ଏହା ଉପରେ ୨କୋଟି ୫୪ ଲକ୍ଷ୯୨ ହଜାର ୯୧୨ ଟଙ୍କାର କାମ ହୋଇଛି ବୋଲି ଉଲ୍ଲେଖ ରହିଛି। ଏହି କାମ ତା.୧୬.୩.୨୦୧୭ ରେ ଆରମ୍ଭ ହୋଇ ତା.୧୫.୨.୨୦୧୮ରେ ସରିଯାଇଥିବା ଏହି ବିଭାଗର ଏଗ୍ରୀମେଣ୍ଟ ସଂଖ୍ୟା-୧୬୨/ପୀ-୧/ ୨୦୧୬-୧୭ ଅନୁସାରେ ସୂଚନା ଅଧିକାର ତଥ୍ୟ ଅନୁଯାୟୀ ଜଣାପଡ଼ିଥିବା ସାମାଜସେବୀ ସୁରଥ ବେହେରା ଅଭିଯୋଗ କରିଛନ୍ତି।

କିନ୍ତୁ ଏଗ୍ରୀମେଣ୍ଟ ଅନୁସାରେ ଏଠାରେ କାମ ନ ହୋଇ ସବୁ ଟଙ୍କା ଖର୍ଚ୍ଚ ହୋଇ ଯାଇଛି ବୋଲି ନାଗରିକମାନେ ଅଭିଯୋଗ କରିବା ସହ ଏହି କାମରେ ବହୁତ ବଡ଼ ଦୁର୍ନୀତି ହୋଇଛି ବୋଲି ନାଗରିକ କମିଟୀ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଏହି ୱାର୍ଡ ନଂ ୭,୮.୯ ଓ ୧୦ ରେ ଥିବା ଜନସାଧାରଣ ଙ୍କ ସହ ଆଖପାଖ କୁକୁଡ଼ାହାଡ଼, ସାଗରପଡ଼ାର ବାସୀନ୍ଦାମାନେ ଅତ୍ୟନ୍ତ ଜଳକଷ୍ଟରେ କାଳ କାଟୁଛନ୍ତି। ସହରର ସବୁ ଦୁର୍ଗନ୍ଧ ନାଳର ଆବର୍ଜନା ଓ ଦୁଷିତ ପାଣି ଏହି ବନ୍ଧରେ ଯାଇ ପଡ଼ୁ ଥିବାରୁ ଚାରିଆଡ଼େ ନାନା ପ୍ରକାର ରୋଗର କାରଣ ହେବା ସହ ମହାମାରୀ କୋରାନା ମୁକାବିଲାରେ ବହୁତ ବଡ଼ ବାଧକ ସାଜିଛି। ଜୁଆଡ଼େ ଗଲେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଏହି ବନ୍ଧର ପାଣି କାଟି ବାହାର କରି ଦିଆଯିବାରୁ ଏହା ତଳକୁ ଥିବା ଶିବ ମନ୍ଦିର ବନ୍ଧ ମଧ୍ୟ ପ୍ରଭାବିତ ହୋଇ ଶୁଖି ଯାଇଛି। ପରିଣାମ ସ୍ୱରୂପ ସମ୍ପୂର୍ଣ୍ଣ କଣ୍ଟାବାଞ୍ଜିର ୧୬ ଟି ୱାର୍ଡ ସହ ଆଖପଖାର ଜଳସ୍ତର ବହୁତ କମି ଗଲାଣି। ସ୍ଥିତି ଏମିତି ଯେ ଆଗେ ୩୦ ଫୁଟରେ ପାଣି ବହାରୁ ଥିଲା ଏବେ ୩୦୦ ଫୁଟରେ ମଧ୍ୟ ବାହାରୁ ନାହିଁ। ବନ୍ଧରେ ପାଣି ନଥିବାରୁ ଖାଲି ମନୁଷ୍ୟ ନୁହେଁ ପଶୁଧନ ମଧ୍ୟ ବହୁତ ପ୍ରଭାବିତ ହେବା ନାଗରିକ କମିଟୀ ଆଶଙ୍କା କରୁଛନ୍ତି। ଏହାର ପୁନଃରୁଦ୍ଧାର କରା ନ ଗଲେ ତାହେଲେ ସ୍ଥିତି ଆହୁରି ଭୟାବହ ଦେଖା ଯିବ ବୋଲି ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଜଣାଯାଏ ଯେ ଏହି ପମ୍ପୁ ତଲାବ ଟି କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଅଧିନର ଅଛି। ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗ ଦ୍ୱାରା ଜାଣିଶୁଣି କେନ୍ଦ୍ର ସରକାର ର ବିନା ଅନୁମତିରେ ଠିକାଦାରକୁ କାମ ଦେଇଥିଲେ। ଅର୍ଥାତ୍‍ କେଂଦ୍ର ଓ ରାଜ୍ୟ ସରକାରକୁ ତଥ୍ୟ ଗୋପନ ରଖି ସଂପୃକ୍ତ ଠିକାଦାର ଦ୍ୱାରା କିଛି କାମ କରିବା ଆଳରେ ଟଙ୍କା ହଡ଼ପ କରାଯାଇଛି ଦାବି ପତ୍ରରେ ଉଲ୍ଲେଖ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏଣୁ ଉକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଦାୟର କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଏହି ମହାବଂଧର ପୁନରୁଦ୍ଧାର କାର୍ଯ୍ୟ ଯଥାଶ୍ରୀଘ୍ର କରି କଂଟାବାଂଜୀ ବାସୀକୁ ଜଳକଷ୍ଟରୁ ବଞ୍ଚିତ କରାଯାଉ ବୋଲି ଜୁନ ୨୪ ତାରିଖ ଦିନ ଦାବୀ ଜିଲ୍ଲାପାଳଙ୍କୁ ତହସିଲଦାରଙ୍କ ଜରିଆରେ ଦାବୀପତ୍ର ଦେଇଥିଲେ ସମାଜସେବୀ ବେହେରା ଓ ନାଗରିକ କମିଟୀ। ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଆଜି ସମାଜସେବୀ ସୁରଥ ବେହେରାଙ୍କ ନେତୃତ୍ୱରେ ପୁଣି ଉକ୍ତ ଦାବି ପତ୍ର ଦିଆଯାଇଛି। ଆଗାମୀ ୮ ତାରିଖ ଭିତରେ ପଦକ୍ଷେପ ନ ନେଲେ ସ୍ଥାନୀୟ ଇନ୍ଦିରାଛକ ଠାରେ ୯ ତାରିଖ ଦିନ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନାଗରିକ ମାନେ ଚେତାବନୀ ଦେଇଛନ୍ତି। ତହସିଲଦାରଙ୍କ କାର୍ଯ୍ୟାଳୟ ରେ ତହସିଲଦାର ଙ୍କୁ ଦାବିପତ୍ର ଦେଲା ବେଳେ ରସିଆନଂଦ ରାଏ, ଶଙ୍କର ପୁଟେଲ, ପ୍ରଦୀପ ବାଗ, ଏନ ଶେଖର, ଗଶେଶ ଷଡ଼ଙ୍ଗୀ, ଚୈତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.