ବସଷ୍ଟାଣ୍ଡରୁ ନିଖୋଜ ଶିଶୁ ରେଳ ଷ୍ଟେସନରୁ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆଜି ଏକ ନିଖୋଜ ଶିଶୁକୁ ଉଦ୍ଧାର କରି ତାର ମାଆବାପାଙ୍କୁ ହସ୍ତାନ୍ତର କରାଗଲା।କଣ୍ଟାବାଞ୍ଜି ରେଳଷ୍ଟେସନରେ ଛୋଟ ଶିଶୁଟିଏ କାନ୍ଦୁଥିବା ଦେଖି ସମାଜସେବୀ ଆଶିଷ ଜୈନ ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ଫୋନଯୋଗେ ଜଣେଇଥିଲେ। ସଂଗେସଂଗେ ଶ୍ରୀ ଦାଶ ଷ୍ଟେସନରେ ପହଞ୍ଚି ଦେଖିବାକୁ ପାଇଲେ ଯେ ଜଣେ ମହିଳା ଶିଶୁଟିକୁ ପାଇ କରି ବୁଝାଉଥିଲେ। ଶିଶୁଟିକୁ କିଏ ଛାଡିଛି ବୋଲି ପଚାରିବାରୁ ମହିଳା ଜଣକ କହିଥିଲେ କି ଜଣେ ସ୍ତ୍ରୀ ତାଙ୍କ କୋଳରେ ଶିଶୁଟିକୁ ବସେଇ ପାଣି ଆଣି ଆସୁଛି କହି ଗଲା ଯେ ଫେରି ନାହିଁ। ତାପରେ ରେଳବାଇ ପୋଲିସ ଅଧିକାରୀ ସୁଦାମ ପଣ୍ଡା ଓ ପଟେଲ ଆଜ୍ଞାଙ୍କ ସହିତ ଯୋଗାଯୋଗ କରିଥିଲେ।

ଠିକ ଏହି ସମୟରେ କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ଜଣେ ସ୍ତ୍ରୀ ଲୋକ ତାର ଛୁଆ ହଜିଯାଇଥିବା ପୋଲିସ ପାଖରେ ଅଭିଯୋଗ କରିଥିବାରୁ ପୋଲିସ ଖୋଜାଖୋଜି କରୁଛନ୍ତି ବୋଲି ସୁଦାମ ବେହେରା ଶ୍ରୀ ଦାଶଙ୍କୁ ଜଣେଇଥିଲେ। ତାପରେ ପୋଲିସ ଅଧିକାରୀ ସତ୍ୟଜିତ କାଣ୍ଡେଲକରଙ୍କୁ ଫୋନଯୋଗେ ଜଣେଇବାରୁ ପୋଲିସ ଛୁଆର ମାଆକୁ ନେଇ ଷ୍ଟେସନ ପହଞିଥିଲା।ପରେ ପରେ ତାର ସ୍ୱାମୀ ମଧ୍ୟ ପହଞ୍ଚିଥିଲେ। ଊଭୟ ଶିଶୁ ଓ ମାଆକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାଆ ଅଚେତ ଥିବାରୁ ତାଙ୍କୁ ଚିକିତ୍ସା କରାଯାଇଥିଲା। ପ୍ରକାଶ ଥାଉକି ଉଭୟ ମାଆ ଓ ଦୁଇଟି ଶିଶୁ କାହ୍ନା ବସରେ ବଡବାଙ୍କି ଟିକ୍ରାପଡାରୁ କଣ୍ଟାବାଞ୍ଜି ଆସୁଥିଲେ। ଏହି ମହତ କାର୍ଯ୍ୟରେ କଣ୍ଟାବାଞ୍ଜି ପୋଲିସ, ରେଳବାଇ ପୋଲିସ, ଜନସାଧାରଣ, ବିବେକ ରାୟ ଆଦି ସହଯୋଗ କରିଥିଲେ।

Comments are closed.