MEllora 950×100

୫୦ ଗାଁକୁ ବୁଡ଼ାଉଛି କାଂଶବାଂଶ

ଅଟକିଲା ସଂସ୍କାର କାର୍ଯ୍ୟ, ୨୦ କୋଟି ପାଣିରେ

ସୋର : ବାଲେଶ୍ୱର ଜିଲାରେ ପ୍ରବାହିତ କାଂଶବାଂଶ ନଦୀ। ବର୍ଷା ଋତୁ ଆସିଲେ ନଦୀ ତଟ ଅଞ୍ଚଳ ଲୋକଙ୍କ ଆଖିରୁ ନିଦ ହଜିଯାଏ। କାରଣ ବଡ଼ ଧରଣର ବର୍ଷା ହେବାମାତ୍ରେ ନଦୀ ଉଛୁଳେ, ଏଥିରେ ୫୦ରୁ ଅଧିକ ଗାଁର ଲୋକ ଅକଥନୀୟ ଦୁର୍ଦ୍ଦଶାକୁ ସାମ୍ନା କରିନ୍ତି। ପ୍ରତିକାର ପାଇଁ ଶଯ୍ୟା ଓ ମୁହାଣ ଖୋଳାଯିବା ସହ ଶକ୍ତ ଆଡ଼ି ବନ୍ଧ ନିର୍ମାଣର ଯୋଜନା ହେଲା। ମାତ୍ର ଅଦାଲତରେ ମାମଲା ପାଇଁ କାମ କିଛି ବାଟ ଯିବାପରେ ଅଙ୍କୁଶ ଲାଗିଗଲା। ସଂସ୍କାର କାମରେ ଦୁଇ ପାଖ ଆଡ଼ିରେ ଅଳ୍ପ କିଛି ଅଂଶରେ ବନ୍ଧ ହୋଇଥିବାବେଳେ ଶଯ୍ୟା ଓ ମୁହାଣ ଖୋଳାଗଲା ନାହିଁ। ତେବେ ଅଧାପନ୍ତରିଆ କାମରେ ୨୦ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ କାମ ସଂପୂର୍ଣ୍ଣ ନ ହେବାରୁ କିଛି ସୁଫଳ ମିଳିଲାନି। କୋଟି କୋଟି ଟଙ୍କା ପାଣିରେ ପଡ଼ିଲା। ଆଉ ଲୋକଙ୍କ ସମସ୍ୟାର ସମାଧାନ ହେଉନି। ଏହା ପରେ ନଦୀର ସଂସ୍କାର କାମ ପାଇଁ ନାମ ଗନ୍ଧ ନ ଥିବାରୁ ଲୋକେ ଭାଗ୍ୟକୁ ଆଦରି ରହିଛନ୍ତି।
ନଦୀଟି ବାଲେଶ୍ୱର ଜିଲାର ଖଇରା, ସିମୁଳିଆ, ସୋର ଓ ଭଦ୍ରକ ଜିଲାର ବାସୁଦେବପୁର ବ୍ଲକରେ ପ୍ରବାହିତ ହେବା ପରେ ସମୁଦ୍ରରେ ମିଶିଛି। ନଦୀର ବନ୍ୟା ପାଇଁ ସୋର, ସିମୁଳିଆ ଓ ଖଇରା ବ୍ଲକର ୨୦ ପଞ୍ଚାୟତର ୫୦ରୁ ଅଧିକ ଗାଁରେ ବେଶି କ୍ଷତି ହୋଇଥାଏ। ନଦୀର ଶଯ୍ୟା ପୋତି ହୋଇଯାଇଥିବାରୁ ବଡ଼ ବର୍ଷାରେ ଜଳସ୍ରୋତ ଦୁଇ କୂଳ ଖାଇ ତଟଦେଶର ବିସ୍ତୃତ ଅଞ୍ଚଳରେ ମାଡ଼ିଯାଉଛି। କେଉଁଠି ପାଣି ପଶି ଘର ଭୁଶୁଡ଼ୁଛି ତ କେଉଁଠି ଧାନ କ୍ଷେତ ବନ୍ୟାରେ ବୁଡ଼ିରହୁଥିବାରୁ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଉଛି। ରାସ୍ତାଘାଟରେ ପାଣିରେ ବୁଡ଼ିରହି ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହୁଛି।
ସେହିପରି ନଈ ସମୁଦ୍ରରେ ମିଶିଥିବା ମୋହନପୁର ମୁହାଣ ମଧ୍ୟ ପୋତିହୋଇଯାଇଛି। ତେଣୁ ନଦୀର ବନ୍ୟାଜଳ ସହଜରେ ସମୁଦ୍ରକୁ ନିଷ୍କାସିତ ହୋଇ ନ ପାରି ଅବବାହିକା ଅଞ୍ଚଳକୁ କ୍ଷତି ପହଞ୍ଚାଉଛି। ମୁହାଣରେ ଥିବା ସ୍ଲୁଇସ ଗେଟ ମଧ୍ୟ ଭାଙ୍ଗିଯାଇଛି। ତେଣୁ ସମୁଦ୍ରର ଲୁଣା ଜୁଆର ନଦୀକୁ ମାଡ଼ିଆସୁଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଅଗଭୀର ଶଯ୍ୟା ପାଇଁ ଲୁଣା ଜୁଆର ତଟ ଦେଶର ଜମିରେ ମାଡ଼ିଯାଇ ଫସଲ ନଷ୍ଟ ହେଉଛି। ନଦୀର ବନ୍ୟା ପାଇଁ ୧୯୯୯ ମସିହା ମହାବାତ୍ୟାବେଳେ ଅତି ଭୟଙ୍କର ପରିସ୍ଥିତି ଆସିବା ପରେ ପ୍ରତିକାର ପାଇଁ ପ୍ରବଳ ଦାବି ହେଲା। ଏଥି ପାଇଁ ନଦୀର ଶଯ୍ୟା ଓ ମୁହାଣ ଖୋଳାଯିବା ନିମନ୍ତେ କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ୨୦୦୯-୧୦ରେ ୨୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହି ସଂସ୍କାର କାର୍ଯ୍ୟ ନିମନ୍ତେ ଭଦ୍ରକ ଡ୍ରେନେଜ ବିଭାଗ ୭ଟି ପ୍ୟାକେଜରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି କାମ ଆରମ୍ଭ କରିଥିଲା। ନଦୀର ପ୍ରଭାବ ଆରମ୍ଭ ହୋଇଥିବା ଡୁଙ୍ଗୁରାରୁ ବିରିପଦା, ୫୯ କିମି ୬୪୦ ମିଟର ଦୂରତ୍ୱକୁ ୭ଟି ପ୍ୟାକେଜରେ ବିଭକ୍ତ କରାଯାଇଥିଲ। ଡୁଙ୍ଗୁରା-ସାରଡାଙ୍ଗ ୧୦ କିମି, ସାରଡାଙ୍ଗ-ରାଇକୂଳା ୧୦ କିମି, ରାଇକୂଳା-ଭାସ୍କରପୁର ୧୦ କିମି, ଭାସ୍କରପୁର-ଚପରପଦା ୯ କିମି ୫ ଶହ ମିଟର, ଚପରପଦା-କବିରପୁର ୭ କିମି, କବିରପୁର-କହ୍ନେଇବାଙ୍କ ୭ କିମି, କହ୍ନେଇବାଙ୍କ-ବିରିପଡ଼ା ୫ କିମି ଦୂରତ୍ୱ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ମାମଲା ରୁଜୁ ହେବାରୁ କାମ ଉପରେ ରୋକ ଲାଗିଗଲା। ସେବେ ଠାରୁ ଆଉ ସଂସ୍କାର କାର୍ଯ୍ୟ ହୋଇ ନାହିଁ।
ତେବେ ସଂସ୍କାର କାର୍ଯ୍ୟ ପୂର୍ବରୁ ଅଦୂରଦର୍ଶିତା ପାଇଁ ନଦୀ ଆଡ଼ିର ଗଛସବୁ କାଟିଦିଆଗଲା। ଫଳରେ ତଟରୁ ଅତଡ଼ା ଖସି ନଈ ସ୍ରୋତ ଜନବସତି ଆଡ଼କୁ ମାଡ଼ିଯାଉଥିବାରୁ ଲୋକେ ବିପଦର ଆଶଂକା କରୁଛନ୍ତି। ସେହିପରି ଶଯ୍ୟା ଖୋଳା ନ ଯାଇ ପ୍ରଥମେ ବନ୍ଧ କରିବା ଲକ୍ଷ୍ୟରେ ଆଡ଼ିକୁ ଖୋଳାଗଲା। ଏଥିରୁ ବାହାରିଥିବା ମାଟିକାଦୁଅକୁ ଆଡ଼ି ପାଖରେ ପକାଗଲା। ସେହି ମାଟିକାଦୁଅ ବନ୍ଧରୁ ଧୋଇ ହୋଇ ନଦୀରେ ପଡ଼ିବାରୁ ଶଯ୍ୟା ପୁଣି ପୋତି ହୋଇଗଲା। ଅନ୍ୟ ପକ୍ଷରେ ନଦୀ ବନ୍ଧରେ ଉପରେ ନିର୍ମାଣ ହୋଇଥିବା କ୍ରସିଂ ବ୍ରିଜଗୁଡ଼ିକର ଅବସ୍ଥା ଅତି ନିମ୍ନ ମାନର ବୋଲି ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ପେଶାଲ ସ୍ପନସର ପ୍ରୋଗ୍ରାମର ୨ ଫ୍ଲଡ ମ୍ୟାନେଜମେଣ୍ଟ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କ୍ରସିଂ ବ୍ରିଜ ନିର୍ମାଣ କରାଯାଇଛି। ଉପର ମୁଣ୍ଡର କୁରୁକୁରିଆ, ପାଟୁଳି, ଦ୍ୱୀପ, ରମ୍ପୋ, ସାରଡାଙ୍ଗ, କୁଣ୍ଡି, ଛଅବାଟିଆ, ଭୋଗୁପୁର ପ୍ରଭୃତି ସ୍ଥାନରେ ୨୦ଟି କ୍ରସିଂ ବ୍ରିଜ ନିର୍ମାଣ କରାଯାଇଛି। ଗୋଟିଏ କ୍ରସିଂ ବ୍ରିଜ ନିର୍ମାଣରେ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି। ମାତ୍ର କେଉଁ ପୋଲରେ ବାଡ଼ ନାହିଁ ତ କେଉଁ ପୋଲର କଂକ୍ରିଟ କାର୍ଯ୍ୟ ଠିକ୍‍ ଭାବେ ହୋଇ ନାହିଁ। ଏ ପରିସ୍ଥିତିରେ ନଦୀର ସଂସ୍କାର କାର୍ଯ୍ୟ ସହ ମୁହାଣରେ ସ୍ଲୁଇସ ଗେଟ ନିର୍ମାଣ ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

 

Comments are closed.