କଙ୍କରଖୋଳ ହତ୍ୟାକାଣ୍ଡ : ଗୋଟିଏ ପରିବାରର ବାପ, ପୁଅ ଓ ଜ୍ୱାଇଁଙ୍କ ସମେତ ୧୦ ଗିରଫ

ଦେବଗଡ/ରିଆମାଳ : ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମରେ ଗତ ଏପ୍ରିଲ ୨୮ ତାରିଖ ଦିନ ଘଟିଥିବା ହତ୍ୟାକାଣ୍ଡ ଘଟଣା ରେ ସଂପୃକ୍ତି ଅଭିଯୋଗରେ ଆଜି ରିଆମାଳ ଥାନା ପୁଲିସ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଳାଣ କରିଥିବା  ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମର ସନ୍ତୋଷ ପ୍ରଧାନ (୫୩) ଗତ ଏପ୍ରିଲ ୨୮ତାରିଖ ମଧ୍ୟାହ୍ନରେ ନିଜ ଘରୁ ବାହରିଥିବା ବେଳେ  ସଂନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ଫଳରେ  ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବାରୁ ରାତି ପ୍ରାୟ ୯ ଟା ସମୟରେ ଛତାବର–କଙ୍କରଖୋଳ ରାସ୍ତା କଡରେ ଥିବା ସତୀଘାଟ ଚେକଡ୍ୟାମ ( କ୍ଷୁଦ୍ର ଜଳସେଚନ ପ୍ରକଳ୍ପ) ନିକଟରେ ତାଙ୍କ ବାଇକ ଛିଡା ହୋଇଥିବା ଦେଖିବାକୁ ପାଇଥିଲେ। ସେହିପରି ଚେକଡ୍ୟାମ ନିକଟରେ ଖୋଜା ଖୋଜି ବେଳେ ପାଣି ମଧ୍ୟରେ ସନ୍ତୋଷଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ମୃତ ସନ୍ତୋଷଙ୍କ ପୁଅ ଅନୀଲ ପ୍ରଧାନ  ରିଆମାଳ ଥାନାରେ ସୂଚନା ଦେବାରୁ ପୁଲିସ ଘଟଣା ସ୍ଥଳରେ ପହଂଚି ଘଟଣାର  ତଦନ୍ତ ଆରମ୍ଭ କରିଥିଲା। ମାତ୍ର ରାତ୍ରୀର ଅନ୍ଧକାର ଯେ୍ାଗୁଁ ଅଧିକ ତଦନ୍ତ ସମ୍ଭବ ହୋଇପାରିନଥିଲା। ୨୯ ତାରିଖ ସକାଳେ ଘଟଣା ସ୍ଥଳରେ ପୁଲିସ ପହଂଚି ଗ୍ରାମବାସୀଙ୍କ ସହାୟତାରେ ପାଣି ମଧ୍ୟରୁ ମୃତଦେହ ଉଦ୍ଧାର କରିବାପରେ ମୃତ ସନ୍ତୋଷଙ୍କ ମୁଣ୍ଡରେ କୁରାଢି ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ରିଆମାଳ  ପୁଲିସ ସାଇଣ୍ଟିଫିକ  ଟିମ ଓ ଡଗ ସ୍କ୍ୱାର୍ଡର ସହାୟତା ନେଇ ତଦନ୍ତ ଆରମ୍ଭ କରିଥିଲା ।

ଅନ୍ୟପକ୍ଷରେ କିଛିଦିନ ପୂର୍ବେ  ସନ୍ତୋଷଙ୍କ ସହ କୌଣସି କାରଣକୁ ନେଇ ଉକ୍ତ ଗ୍ରାମର ଜନୈକ ବ୍ୟକ୍ତିଙ୍କର ଗଣ୍ଡଗୋଳ  ହୋଇଥିବା ଏବଂ ଉକ୍ତ ବ୍ୟକ୍ତି ଜଣକ ସନ୍ତୋଷଙ୍କୁ ହତ୍ୟା ଧମକ ଦେଇଥିବାରୁ ସେ  ସନ୍ତୋଷଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ତୋଷଙ୍କ ପୁଅ ଅନୀଲ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର  କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବିତ ହେବାରୁ ମୃତ ସନ୍ତୋଷ ପୁଅ, ବିଧବା ପତ୍ନୀ ଓ ବଡ ଭାଇ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ହତ୍ୟାକାରୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଲିଖିତ ଭାବରେ ଦାବି କରିଥିଲେ। ଏଥିସହ ହତ୍ୟାକାରୀ ମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆତ୍ମାହୁତୀ ଦେବେ ବୋଲି ସନ୍ତୋଷଙ୍କ ବିଧବା ସ୍ତ୍ରୀ ଚେତାବନୀ ଦେଇଥିଲେ। ତେବେ ଦେବଗଡ ଏସପି ରାହୁଲ ଜୈନ ପୀଡିତ ପରିବାରଙ୍କୁ  ଶୀଘ୍ର ନ୍ୟାୟ ପ୍ରଦାନ କରାଯିବାର ପ୍ରତିଶୃତି ଦେଇ ଏମାମଲାକୁ ନିଜେ ନିଜ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଆମାଳ ଥାନା ଅଧିକାରୀ ସମେତ ଏକ ସ୍ୱତନ୍ତ୍ର ପୁଲିସ ଟିମ , ଫରେନସିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ କରିବା ସହ ଘଟଣାର ମାଷ୍ଟର ମାଇଣ୍ଡ ଗୋଳାବନ୍ଧ ଗ୍ରାମର ଜତିନ୍ଦ୍ର ସାହୁ(୬୫),ବଡଝରଣ ଗ୍ରାମର ବାଲିଆ ବେହେରା(୫୬),ତାଙ୍କ ପୁଅ ବିଦ୍ୟାଧର ବେହେରା(୩୨) ଓ ଜ୍ୱାଇଁ ଟିଙ୍କବିର ଗ୍ରାମର ପରମେଶ୍ୱର ବେହେରା(୫୧),ଛତାବର ଗ୍ରାମର ପ୍ରଦୀପ ପ୍ରଧାନ(୫୫),ଗୋଳାବନ୍ଧ ଗ୍ରାମର ଗୋପିନାଥ ପ୍ରଧାନ(୫୬),ଗୋଳାବନ୍ଧ ଗ୍ରାମର ଆଲୋକ ପ୍ରଧାନ(୨୫)ଷଡଯନ୍ତ୍ର ପୂର୍ବକ ଯୋଜନାବଦ୍ଧ ଭାବେ ସନ୍ତୋଷଙ୍କୁ ସେମାନଙ୍କ ରାସ୍ତାରୁ ହଟାଇଦେବା ପାଇଁ  କୀର୍ତନପାଲି ଗ୍ରାମର ଡିଲେଶ୍ୱର ପ୍ରଧାନ (୨୦),ମାଦଳିଆ ଗ୍ରାମର ଚୈତନ୍ୟ ପୁଲେଇ ଓରଫ ତାପସ (୨୦),ନାଉଲିପଡା ଗ୍ରାମର ଜ୍ୟୋତିର୍ମୟ ନାୟକ ଓରଫ ରାଜା (୨୦)ଙ୍କୁ ୫ ହଜାର ଟଙ୍କା ଲେଖାଏଁ ସୁପାରି ଦେଇ ସନ୍ତୋଷଙ୍କୁ ହତ୍ୟା କରିଥିବା ତଦନ୍ତ ସମୟରେ ଜଣା ପଡିଥିଲା। ଫଳରେ ରିଆମାଳ ଥାନା ପୁଲିସ ଉପରୋକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ହତ୍ୟା ଓ ଷଡଯନ୍ତ୍ର ଭଳି ବିଭିନ୍ନ ଦଫାରେ ଗିରଫକରି ଆଜି ସଂଧ୍ୟାରେ କୋର୍ଟ ଚାଲାଣ କରିଥିଲା। ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି।

Comments are closed.