ପିଏନ୍‌ବି ପରେ ୧୪ ବ୍ୟାଙ୍କରୁ ହଜାରେ କୋଟି ଠକେଇ ଅଭିଯୋଗ

0

ଚେନ୍ନଇ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ବହୁ କୋଟି ଟଙ୍କା ଠକେଇ ଘଟଣା ପରେ ନୂଆ ନୂଆ ବ୍ୟାଙ୍କ ଠକେଇ ଘଟଣା ପଦାକୁ ଆସିବାରେ ଲାଗିଛି । ଏ କ୍ରମରେ ଏସ୍‌ବିଆଇ ସମେତ ୧୪ ବ୍ୟାଙ୍କରୁ ପ୍ରାୟ ହଜାରେ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଭାରତର ପ୍ରସିଦ୍ଧ ଅଳଙ୍କାର ବ୍ୟବସାୟୀ ସଂସ୍ଥା କନିଷ୍କ ଗୋଲ୍ଡ ୧୪ ବ୍ୟାଙ୍କରୁ ୮୨୪.୧୫ କୋଟି ଟଙ୍କା ଋଣ ନେଇ ଫେରାଉ ନାହିଁ। ତାମିଲନାଡୁର ଚେନ୍ନଇଠାରେ କନିଷ୍କ ଗୋଲ୍ଡର ପଞ୍ଜିକୃତ ମୁଖ୍ୟ କାର୍ଯ୍ୟାଳୟ ରହିଛି । ଏହାର ନିର୍ଦେଶକ ଭୂପେଶ କୁମାର ଜୈନ ଏବଂ ତାଙ୍କ ପତ୍ନୀ ନୀତା ଜୈନଙ୍କ ସହ ବ୍ୟାଙ୍କଗୁଡ଼ିକ ଗତ କିଛି ଦିନ ଧରି ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଠକେଇ ନେଇ ଅଭିଯୋଗ ଆଣିଛନ୍ତି । ବ୍ୟାଙ୍କ ସୂଚନା ଅନୁସାରେ ଉଭୟ ପତି-ପତ୍ନୀ ଏବେ ମରିସସରେ ରହୁଛନ୍ତି । ଏନେଇ ସିବିଆଇକୁ ଲିଖିତ ଭାବେ ଅବଗତ କରାଯାଇଛି । ହେଲେ ସିବିଆଇ କୌଣସି ମାମଲା ଦାଏର କରିନାହିଁ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ) ସମେତ ସରକାରୀ ଏବଂ ଘରୋଇ ୧୪ଟି ବ୍ୟାଙ୍କରୁ କନିଷ୍କ ଋଣ ନେଇଛି । କନିଷ୍କ ଗୋଲ୍ଡ ରାତାରାତି ବ୍ୟବସାୟ ବନ୍ଦ କରି ଫେରାର ହେବା ଲକ୍ଷ୍ୟରେ ରହିଛି ବୋଲି ସନ୍ଦେହ କରି ବ୍ୟାଙ୍କଗୁଡ଼ିକ ଏନେଇ ସିବିଆଇକୁ ୨୦୧୮ ଜାନୁଆରୀ ୨୫ରେ ଅବଗତ କରାଇଥିଲେ । ବ୍ୟାଙ୍କଗୁଡ଼ିକର କହିବା ଅନୁସାରେ କମ୍ପାନୀ ୮୨୪ କୋଟି ଟଙ୍କା ଋଣ ନେଇଛି। ସୁଧକୁ ମିଶାଇଲେ ଏହା ହଜାରେ କୋଟି ଟଙ୍କାରୁ ଅଧିକ ହେବ ।

ଏସ୍‌ବିଆଇ ସର୍ବ ପ୍ରଥମେ ଏନେଇ ଆରବିଆଇକୁ ଅବଗତ କରାଇଥିଲେ । ଏସ୍‌ବିଆଇ ୨୦୧୭ ନଭେମ୍ବର ୧୧ରେ ଆରବିଆଇକୁ କମ୍ପାନୀର ଠକେଇ ବିଷୟରେ କହିଥିଲା । ୨୦୧୮ ଜାନୁଆରୀରେ ବାକି ବ୍ୟାଙ୍କଗୁଡ଼ିକ କନିଷ୍କ ଗୋଲ୍ଡ ନାମରେ ଠକେଇ ଅଭିଯୋଗ ଆଣିଥିଲେ । ଏସ୍‌ବିଆଇ ଅନୁସାରେ କନିଷ୍କ ଗୋଲ୍ଡ ପ୍ରଥମେ ୨୦୧୭ ମାର୍ଚ୍ଚ ମାସରେ ୮ ବ୍ୟାଙ୍କର ଋଣ ପରିଶୋଧ କରିନଥିଲା । ଅପ୍ରେଲ ପରଠାରୁ କମ୍ପାନୀ ୧୪ ବ୍ୟାଙ୍କକୁ ଋଣ ପରିଶୋଧରେ ଖିଲାପ କରିଥିଲା । ବ୍ୟାଙ୍କଗୁଡ଼ିକ ନିର୍ଦେଶକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇପାରି ନ ଥିଲା । ୨୦୧୭ ମଇ ୨୫ରେ ବ୍ୟାଙ୍କ ଅଧିକାରୀ କନିଷ୍କର ମୁଖ୍ୟ ବ୍ୟବସାୟିକ କାର୍ଯ୍ୟାଳୟକୁ ଯାଇ ସବୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ଗତ ବର୍ଷ ମଇ ମାସରୁ କନିଷ୍କ ଗୋଲ୍ଡର କାରବାର ବନ୍ଦ ହୋଇଯାଇଥିବା ଓ ଅନେକ ସୋରୁମରେ ତାଲା ପଡିଥିବା ସୂଚନା ମିଳିଛି ।

Leave A Reply