ପୂଜ୍ୟ ପ୍ରଣାମ; ଆଜି କାହ୍ନୁଚରଣ ମହାନ୍ତିଙ୍କ ଜୟନ୍ତୀ

ଫକିରମୋହନ ସେନାପତିଙ୍କ ପରେ ଓଡ଼ିଆ କଥା ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଯେଉଁ କତିପୟ କଥାଶିଳ୍ପୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି, ସେମାନଙ୍କ ମଧ୍ୟରେ କାହ୍ନୁଚରଣ ମହାନ୍ତିଙ୍କ ନାମ ଉଲ୍ଳେଖନୀୟ। ଜଣେ ଅତ୍ୟନ୍ତ ଲୋକପ୍ରିୟ ଔପନ୍ୟାସିକ ଭାବେ କାହ୍ନୁଚରଣଙ୍କ ଖ୍ୟାତି ଅବିସମ୍ବାଦିତ। ସାହିତ୍ୟ ଜୀବନର ପ୍ରାୟ ଛଅ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ୫୬ଟି ଉପନ୍ୟାସ ରଚନା କରି ଓଡ଼ିଆ ବାଣୀଭଣ୍ଡାରକୁ ସୁସମୃଦ୍ଧ କରିଛନ୍ତି। ସେଥିମଧ୍ୟରେ ‘ବାଲିରାଜା’, ‘ହା ଅନ୍ନ’, ‘ଅଦେଖା ହାତ’, ‘ ତୁଣ୍ଡବାଇଦ’, ‘ଏପାରି ସେପାରି’, ‘ଶାସ୍ତି’, ‘ଝଞ୍ଜା’, ‘କା’, ‘ସ୍ୱପ୍ନ ନା ସତ୍ୟ’, ‘ତଥାସ୍ତୁ’, ‘ପରିଚୟ’, ‘ଓଲଟପାଲଟ’ ଆଦି ସର୍ବାଗ୍ରେ ଉଚ୍ଚାରଣ କରାଯାଇଥାଏ। ଓଡ଼ିଶାର ଗ୍ରାମୀଣ ଜୀବନ ଓ ପଲ୍ଲୀଚିତ୍ରର ଛଟା କାହ୍ନୁଙ୍କ ଉପନ୍ୟାସରେ ନିଖୁଣ ଭାବେ ପ୍ରତିଫଳିତ ହୋଇଛି। କାହ୍ନୁଚରଣଙ୍କ ଆଉ ଏକ ବଡ଼ ପରିଚୟ ହେଉଛି ଯେ ସେ ଜ୍ଞାନପୀଠ ପୁରସ୍କାର ବିଜେତା କଥାଶିଳ୍ପୀ ଗୋପୀନାଥ ମହାନ୍ତିଙ୍କ ବଡ଼ଭାଇ। କାହ୍ନୁଚରଣଙ୍କ କେତୋଟି ଉପନ୍ୟାସ ଚଳଚ୍ଚିତ୍ରର ରୂପ ପାଇଛି। ସେଗୁଡ଼ିକ ହେଲା- ଅଭିନେତ୍ରୀ, କା, ତୁଣ୍ଡ ବାଇଦ ଓ ଶାସ୍ତି। ୧୯୬୫ ମସିହାରେ ‘କା’ ଚଳଚ୍ଚିତ୍ର ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା।
୧୯୦୬ ଅଗଷ୍ଟ ୧୧ରେ କଟକ ଜିଲ୍ଲା ଅନ୍ତର୍ଗତ ନାଗବାଲି ଗ୍ରାମରେ କାହ୍ନୁଚରଣଙ୍କ ଜନ୍ମ। କାହ୍ନୁଚରଣଙ୍କ ପ୍ରଥମ ଅପ୍ରକାଶିତ ଉପନ୍ୟାସ ଥିଲା ‘ଉତ୍ସବେ ବ୍ୟସନେ’। ୧୯୩୨ରେ ପ୍ରକାଶିତ ‘ନିଷ୍ପତ୍ତି’କୁ ତାଙ୍କର ପ୍ରଥମ ଉପନ୍ୟାସ ବୋଲି ବିବେଚନା କରାଯାଏ। ସାହିତ୍ୟ ଜଗତକୁ ଅନନ୍ୟ ଅବଦାନ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ୧୯୯୪ରେ ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଫେଲୋ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା। ୬ ଏପ୍ରିଲ ୧୯୯୪ରେ ଏହି ମହାନ ଲେଖକଙ୍କ ପରଲୋକ ହୋଇଥିଲା।

Comments are closed.