ଗିନିଜ୍ ବୁକ ଅଫ ୱର୍ଲଡ୍‌ ରେକର୍ଡରେ ଟିଟିଲାଗଡ଼ର କାହ୍ନୁ ଭୋଇ

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଳକ କୁରସୁଡ଼ ପଞ୍ଚାୟତ କଣ୍ଡରା ଗ୍ରାମର କାହ୍ନୁ ଭୋଇ ରବିବାର ଗୋଟିଏ ଆଙ୍ଗୁଠିରେ ସବୁଠାରୁ ଅଧିକ ସମୟ ଧରି ଛତା ବ୍ୟାଲେନ୍ସ କରିବା ସହ ବିଶ୍ୱ ସ୍ତରରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ପୂର୍ବରୁ ଏହି ରେକର୍ଡଟି ସ୍ପେନର ଖ୍ରୀଷ୍ଟିଆନ ରୋବଟୋ ଲୋପେଜ ରୋଡ଼ିଗେଜ ଦୀର୍ଘ ୩ ଘଣ୍ଟା ୩୧ ମିନିଟ ୪୩ ସେକେଣ୍ଡ ଛତା ବ୍ୟାଲେନ୍ସ କରି ଗିନିଜ୍ ବୁକ ଅଫ ୱର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ । ସେହି ରେକର୍ଡକୁ ଆଜି କାହ୍ନୁ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି । ଏନେଇ ଟିଟିଲାଗଡ଼ ପୌର କଲ୍ୟାଣ ମଣ୍ଡପଠାରେ ଗିନିଜ୍ ବୁକ ଅଫ ୱାର୍ଲଡ ରେକର୍ଡଧାରୀ ଡ଼ ସତ୍ୟପୀର ପଧାନଙ୍କ ତତ୍ୱାବଧାନ ତଥା ଅଫିସିଆଲ ଟାଇମ କିପର ରାଜେଶ ସ୍ୱାଇଁ, ଅଜୁ ମାଝୀ ଏବଂ ଅଫିସିଆଲ ସାକ୍ଷୀ ଦେବେନ୍ଦ୍ର ଜୈନ, ରୋସନ ସୌରା, ଦିଲୀପ ତ୍ରିପାଠୀ, ବୈଷ୍ଣବ କବାଟଙ୍କ ଉପସ୍ଥିତିରେ କାହ୍ନୁଙ୍କ ରେକର୍ଡର ଭିଡିଓଗ୍ରାଫି କରାଯାଇଚ୍ଛି ।

ଗିନିଜ୍ ୱର୍ଲଡ ରେକର୍ଡ ସଂସ୍ଥାର ଗାଇଡଲାଇନ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହାକୁ ସ୍ୱୀକୃତି ପାଇଁ ଶ୍ରୀ ପଧାନ କହିଛନ୍ତି । ଚାଷୀ ପ୍ରସନ୍ନ ଭୋଇ ଏବଂ ସ୍ୱର୍ଗତ ପ୍ରମିଳା ଭୋଇଙ୍କ ୫ ସନ୍ତାନ ମଧ୍ୟରୁ ଚତୁର୍ଥ କାହ୍ନୁ ଯୁକ୍ତ ତିନି ଶିକ୍ଷା ତଥା କରାଟେ ଅଭ୍ୟାସ କରୁଥିଲେ । ଏଥଲେଟିକରେ ସେ ଦେଶର ବିଭିନ୍ନ ସ୍ଥାନରେ ଭାଗ ନେଇ ସଫଳତା ଲାଭ କରିଛନ୍ତି। କିଛି ମାସ ହେଲା ସେ ଛତା ବାଲାନ୍ସ ନେଇ ଅଧ୍ୟବସାୟ ଆରମ୍ଭ କରିଥିଲେ। ପୂର୍ବରୁ ଟିଟିଲାଗଡ଼ କରାଟେ ସଂଘ ପକ୍ଷରୁ ଏକ ଅଭ୍ୟାସ କାର୍ଯ୍ୟକ୍ରମରେ କାହ୍ନୁ ଦୀର୍ଘ ୫ ଘଣ୍ଟା ୧ ମିନିଟ ୩ ସେକେଣ୍ଡ ଧରି ଛତା ବାଲାନ୍ସ କରିଥିଲେ। ଆଜି କରାଟେ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କାହ୍ନୁ ପୂର୍ଵ ରେକର୍ଡ ଭାଙ୍ଗିବା ସମୟରେ ସଂଘ ସଭାପତି ଅମରଜିତ ବାଗ, ସମ୍ପାଦକ କେଦାର କବାଟ, କୋଷାଧ୍ୟକ୍ଷ ପ୍ରମୋଦ ପାଳ, ୱର୍ଲଡ ରେକର୍ଡଧାରୀ ସଚୀନ ବେହେରା, ରାଜଗୋପାଳ ଭୋଇ, ଅନିଲ ସରାଫ, ଅଭିଜିତ ଦାଶ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ପୂର୍ବାହ୍ନ ୧୨ ଟା ୩ ମିନିଟରୁ ଅଦ୍ୟାବଧି ଅପରାହ୍ନ ୪.୧୬ ପର୍ଯ୍ୟନ୍ତ କାହ୍ନୁ ଛତା ବ୍ୟାଲେନ୍ସ ଜାରି ରଖିଛନ୍ତି । ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ମୁକେଶ ଜୈନ, ନବୀନ ଜୈନ, ନିମାଇଁ ବେହେରା ପ୍ରମୁଖ କାର୍ୟ୍ୟକ୍ରମରେ ଉପସ୍ଥିତ ଅଛନ୍ତି ।

Comments are closed.