ଧନ୍ୟବାଦ, ଶତ ସହସ୍ର ଧନ୍ୟବାଦ, କନ୍ୟା କଙ୍ଗନା !

ବୁଢ଼ାବୁଢ଼ା, ପୋଖତପୋଖତ, ମାତବର ମାତବରମାନେ ଅଛନ୍ତି, ଜାଣିଛନ୍ତି ଓ ଜାଣୁଛନ୍ତି ଏ ସାଂଘାତିକ ସତ୍ୟ- ବ୍ୟଥାର, ବେଦନାର, ବିପତ୍ତିର, ବିପାକର ଆଉ ବିପ୍ରଲମ୍ଭ ବିତ୍ପାତର। ହେଲେ କାହାରି ପାଟିରୁ ଏ ଯାବତ୍‌ ପ୍ରକାଶିତ ହୋଇନାହିଁ ଏହା। ଏହି ବିଧୂମିତ ବିମ୍ବୋଷ୍ଠମାନେ ହେଉଛନ୍ତି ମୋଟା ମୁଭିମୁଗଲ ଆଉ ସେମାନଙ୍କ ସଉଦା-ଶାହାଜାଦା ଓ ଶାହାଜାଦୀମାନେ। ମୁଭିଜଗତ-ସନେମାଜଗତ-ଟିନସେଲ ଟାଉନ୍‌- ପାଲଟିଛି ସକଳ ଶ୍ରେୟର କବରଖାନା, ଅନେକ ରହସ୍ୟ, ରୋମାଞ୍ଚର ରଙ୍ଗାଳୟ ଆଉ ଆମ ବରେଣ୍ୟ ଶିଷ୍ଟ ସାହିତ୍ୟମୂର୍ତ୍ତି ମନୋଜ ଦାସଙ୍କ ଭାଷାରେ ‘ନର୍କର ମାୟା’। ପକ୍ଷାନ୍ତରେ ଜଣେ ତରୁଣୀ ଯେ କି ସେହି ଅରୁଚି ମସଲାଭରା ଅସୂର୍ଯ୍ୟ ଉପନିବେଶର ଜଣେ ଅଧିବାସୀ- କ୍ଲାନ୍ତ, ଶ୍ରାନ୍ତ, ଘର୍ମାକ୍ତ, ବ୍ୟଥିତ- ସେ ଏହି ନର୍କର ରୌରବ, ମହାରୌରବ, ମହାମହାରୌରବର ସୂଚୀଭେଦ୍ୟ ଅନ୍ଧକାର କଥା ଦାଣ୍ଟ୍‌ରେ ପ୍ରକାଶ କରିଛନ୍ତି। ୨୯ା୮ା୨୦୨୦ ରାତିରେ ତାଙ୍କର ଏକ ସାକ୍ଷାତ୍‌କାରରେ ରିପବ୍ଲିକ୍‌ ଦୂରଦର୍ଶନ ପରି ସମ୍ଭ୍ରାନ୍ତ ବିଦ୍ୟୁତ୍‌ ସମ୍ବାଦ ସରବରାହ ମାଧ୍ୟମର ସୁଦକ୍ଷ ପରିଚାଳକ ବିଦ୍ୱାନ୍‌ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ। ଦୀର୍ଘ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ଏହି ଅବିସ୍ମରଣୀୟ ସାକ୍ଷାତ୍‌କାରରେ ସୁକନ୍ୟା କଙ୍ଗନା ଭାରତୀୟ ଚଳଚ୍ଚିତ୍ର ଜଗତର ପେଣ୍ଠ ‘ବଲିଉଡ଼’କୁ ଲଙ୍ଗଳା, ପୂରା ଲଙ୍ଗଳା କରି ଦେଇଛନ୍ତି। ତାଙ୍କର ଜାତୀୟଧର୍ମୀ ସେହି ସତ୍ୟ ପ୍ରକାଶ ମନେ ପକାଇଦିଏ ଆମେ ପଢ଼ିଥିବା ଅବା ଜାଣିଥିବା ସେଇ ବିସ୍ମୟ ବାଳକକୁ ଯେ ଲଙ୍ଗଳାରାଜାଙ୍କୁ ପୋଷାକ ପିନ୍ଧି ନାହାନ୍ତି, ତେଣୁ ଲଙ୍ଗଳା ବୋଲି କେଡ଼େ ବହପରେ ହସିହସି କହିପାରିଥିଲା।

କଙ୍ଗନାଙ୍କୁ ସେଇ ଶାଳୀନ ଭୂମିକାରେ ଦେଖିବାକୁ ମିଳିଲା ଯେତେବେଳେ ଏଇ ବଲିଉଡ଼ର ବେଆଡ଼ା, ବେଆଦବ, ବେକୁବ, ବେକାଇଲ, ବାଙ୍ଗରା ବକାସୁରମାନଙ୍କର ଗୁମର ସେ ନିର୍ଭୀକ, ନିର୍ମମ, ନିରାସକ୍ତ ଭାବେ ବଖାଣି ଚାଲିଲେ। ତାଙ୍କର ସେ ବୟାନରେ ସାମାନ୍ୟତମ ନଥିଲା ନଖରାମି। ଥିଲା ନିର୍ମଳତା ଆଉ ନିର୍ଦିଷ୍ଟତା, ଘନୀଭୂତ ଅନ୍ଧାରକୁ ସେ ବିଶ୍ଳେଷଣ କଲେ। କାହିଁକି କେଜାଣି କିଏ କେତେବେଳେ ଏଇ ବଲିଉଡ଼ ଶବ୍ଦଟି ସୃଷ୍ଟିକଲା ‘ହଲିଉଡ଼’କୁ ଅନୁସରଣକରି! ଆମେରିକୀୟ ସଭ୍ୟତାର ତାହା ମଧ୍ୟ ଆଉ ଏକ ବିଡ଼ମ୍ବିତ ପ୍ରମୁଖ ସ୍ୱାକ୍ଷର ଯେଉଁଠି ବହୁ ମାତ୍ରାରେ ଜାନ୍ତବତା ଚଳଚ୍ଚିତ୍ରମାନଙ୍କରେ ପ୍ରଦର୍ଶିତ ହୁଏ ବୋଲି କୁହାଯାଏ। ଆମେ ଯେଉଁମାନେ କିଛିକିଛି ଆମେରିକୀୟ ସାହିତ୍ୟ ପାଠ କରିଛୁ, ଆଶ୍ଚର୍ଯ୍ୟ ହୋଇଛୁ ଯେ ଯେଉଁ ଆମେରିକାରେ ‘ଟ୍ରାନ୍ସ ଡେଣ୍ଟଲିଷ୍ଟ’ ମାନଙ୍କରେ ଅଭ୍ୟୁଦୟ, ସେଇଠି କିପରି ତାକୁ ଦଳିମାଡ଼ି ଏକ ଉଗ୍ର, ଉତ୍ତେଜକ ତେଣୁ ଉତ୍ପାଟକ (ଅ)ସଭ୍ୟତା ମୁଣ୍ଡଟେକିଲା ଓ ଦୃଢ଼ମୂଳ ହେଲା! ଯେଉଁଠି ‘ସଙ୍ଗ ଅଫ୍‌ ମାଇଁସେଲଫ୍‌’ ସୃଷ୍ଟି ହୋଇ ବିଶ୍ୱ ସାହିତ୍ୟକୁ ଅନୁପ୍ରାଣିତ କରିିଥିଲା।, ସେଇଠି ପୁଣି ଦେଖାଗଲା ‘ଟ୍ରଫିକ ଅଫ କ୍ୟାନସର’ ସେଇ ‘କସ୍‌ମେଟିକ’ ସଭ୍ୟତା ଅର୍ଜିତ ‘ହଲିଉଡ଼’ ଶବ୍ଦ ଟିକକ ପରମଶ୍ରଦ୍ଧାରେ ଆବୋରିଥିବା ‘ବଲିଉଡ଼’, ତା’ର ଆଉ ଏକ ଅବିକଳ ନକଲ ପାଲଟିଯିବାକୁ ହୁଁ ହୁଁ ହେଲା।

ଅର୍ଥାତ୍‌ ସେଠି ଯେଉଁ ବୈମନସ୍ୟର ବିକୃତି ଏଠି ସେଇଟିର କଲମି ହେଲା। ସେଠି ଚଳଚ୍ଚିତ୍ରରେ ଯେଉଁ ଟହଟହ, ମହମହ, ଗରମମସାଲା ଏଠି ସେଇ ପ୍ରକାର ମସଲାର ଛୁଙ୍କଛାଡ଼ି ଖାଦକମାନଙ୍କୁ ଆକର୍ଷିତ କରାଗଲା। ଫଳରେ ବଲିଉଡ଼ ଉଡ଼ିଲା। ଭାରତ ପଡ଼ିଲା: ଗୋଟାଏ ଗରଳର ସ୍ରୋତରେ ଅମୃତଭାଣ୍ଡଟି କୁଆଡ଼େ ଭାସିଗଲା। ବଲିଉଡ଼ର ଏପରି ଓଲଟରତିର ପାଷାଣ୍ଡପଣିଆ ଯୋଗୁଁ ତାହା ନାଟ୍ୟଧର୍ମରୁ ବର୍ଜିତ ହେବାକୁ ଲାଗିଲା। ଜୀବନର କଳାତ୍ମକ ଅନୁକୃତି ନାଟକର ଧର୍ମ ହେଉଛି ଶ୍ରାନ୍ତ ମଣିଷକୁ (ଦର୍ଶକ) ବିଶ୍ରାମ ଦେବା। ଫଳରେ ସେ ଯଥାର୍ଥ ଭାବେ ଅଧିକ କର୍ମକ୍ଷମ ହୋଇ ସଂସାରର ଆଶୀର୍ବାଦ ହେବ। ଅର୍ଥାତ୍‌ ନାଟକ ‘ସଂସ୍କୃତ’ ହୋଇ, ତେଣୁ ଦର୍ଶକକୁ ‘ସଂସ୍କୃତ’କରି ନିଖିଳକୁ ସଂସ୍କୃତ କରିବ- “ଆତ୍ମସଂସ୍କୃତିର ଭବ ଶିଳ୍ପାନି’। ଅତଏବ ପଞ୍ଚମବେଦ, ନାଟକର ଏକ ନିର୍ମାଣଧର୍ମୀ ଅବଦାନ ସ୍ୱୀକୃତ। ହେଲେ ଆମର ସାଂପ୍ରତିକ ସରମହୀନ ଏ ଶଁବାଳୁଆ ବଲିଉଡ଼ ସମ୍ରାଟମାନେ ସେଇ ମହାନତାକୁ ଦଳିମକଚି ଶେଷ କରିଦେବାରେ ଗଳଦ୍‌ଘର୍ମ ହେଲେ। ଅର୍ଥଲାଭର ଲୋଭ, ଅଶେଷ ଅର୍ଥର ଅଧିକାରୀ ହେବାର ବିଧ୍ୱଂସକ ମୋହ ସେମାନଙ୍କୁ ହଲାପଟା କରିବା ଫଳରେ ଅର୍ଥାତ୍‌ “ନଖଶିଖ ଘାରିଥିବାରୁ ଅଜ୍ଞାନ/ ଅବସ୍ତୁରେ ହେଉଛନ୍ତି ବସ୍ତୁବାନ” (ରାଧାନାଥ), ସେମାନେ ଦ୍ୱିପଦ ମଣିଷ ହେବା କି ମଣିଷ କରିବା ବଦଳରେ ଚତୁଷ୍ପଦ ଶ୍ୱାପଦରେ ନିଜକୁ ପରିଣତ କରିଦେଲେ। ତେଣୁ ଚଳଚ୍ଚିତ୍ରର ଚିତ୍ର ଚାଲିଲେ ବି ମଣିଷର ଚିତ୍ର ଅଚଳ ହୋଇଗଲା। ଖୁବ୍‌ କ୍ଷତି ହେଲା ଚଳଚ୍ଚିତ୍ର ‘କଳା’ର ଯଦିଓ ସେଇ ମାଛରଙ୍କା ମହାତ୍ମାମାନେ ବେଶ୍‌ ଖୁମ୍ପିଲେ ଓ ଝୁମିଲେ।

କନ୍ୟା କଙ୍ଗନା ଏଇ ମାଈଚିଆ ମିଣିପମାନଙ୍କ କଥା ଗଭୀର ଭାବାବେଗରେ ଅର୍ଣ୍ଣବଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେଉଁଥିରେ ତାଙ୍କ ବ୍ୟଥାତୁର ଅନୁଭୂତିର ସଂକେତ ରହିଛି। ଏଇ ହୀନବୀର୍ଯ୍ୟ, କାଳପୁରୁଷମାନେ କଳା ପୁରୁଷବେଶରେ “ନିଶାଦ୍ରବ୍ୟ” ସେବନ କରନ୍ତି (୯୯% ଅଭିନେତା ଏହି କୁଅଭ୍ୟାସରେ ସୁଅଭ୍ୟସ୍ତ ଓ ‘କରୋନା’ ପରୀକ୍ଷା କଲାପରି ଅଭିନୟ ପୂର୍ବରୁ ସେମାନଙ୍କୁ ଏଥି ସକାଶେ ପରୀକ୍ଷା କରାଯାଉ ବୋଲି ତାଙ୍କ ଦାବି)। ତାଙ୍କୁ ମଧ୍ୟ ନିଶାଦ୍ରବ୍ୟ ଦିଆଯାଇ ‘abuse’ କରାଯାଇଥିଲା। ଏହି ପାଷଣ୍ଡ କର୍ମରେ ଅଭିନେତା ଓ ତାଙ୍କ ଧର୍ମପତ୍ନୀମାନେ ସମଭାଗୀ। ପୁଣି ଏମାନଙ୍କର ସୁହୃତ ହେଉଛନ୍ତି ଆମ ଦେଶରେ ରାଜନୀତି କରି ବାହୁସ୍ଫୋଟ ମାରୁଥିବା ବହୁ ସଂଖ୍ୟକ ବାହାପିଆ, ଅକାଳକୁଷ୍ମାଣ୍ଡ ଯାହାଙ୍କୁ ଆମେ ‘ନେତା’ ସମ୍ବୋଧନ କରି ତାଙ୍କ ପଦଲେହନ, ମୁଣ୍ଡମର୍ଦନ, ଝୁଲାଧାରଣ, ଗାଲୁ ସହନ କରିବାକୁ ବେଶ୍‌ ଦକ୍ଷ) ତେଣୁ ଖଳ। ବଲିଉଡ଼ର ଆହୁରି କିଛି ରହସ୍ୟ ଉନ୍ମୋଚନ କଲାପରେ ସେ ଏକ ନିର୍ଣ୍ଣାୟକ ତଥା ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଯେ ‘ବଲିଉଡ଼୍‌ ମୋଷ୍ଟ ଡିବଚଡ଼ ପ୍ଲେସ’ ଅର୍ଥାତ୍‌ ବଲିଉଡ଼ ହେଉଛି ସବୁଠାରୁ ବ୍ୟଭିଚାର, କାମାସକ୍ତ ଅବା ଲାମ୍ପଟ୍ୟର କ୍ଷେତ୍ର। ଏଇ ଗୋଟିଏ ବିଶେଷଣ ପ୍ରୟୋଗ କରି କଙ୍ଗନା ଝିଅ ଏଇ “ଇନଫଣ୍ଣୋ”ରେ ସାଲୁବାଲୁ ହେଉଥିବା ପୋକଗୁଡ଼ାକ ପ୍ରତି ତୀବ୍ର କଟାକ୍ଷ ହାଣିବା ସହ ଏଇ ପୋକ ଓ ପୋକଶୁଙ୍ଘାମାନେ ଆମ ଯୁବସମାଜର ରୋଲ୍‌ ମଡ଼େଲ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। କେତେ ଯଥାର୍ଥ ତାଙ୍କର କ୍ଷୋଭ!

ଆମର ଆଦର୍ଶ କିଏ ହେବା କଥା? ସେ କଥା କ’ଣ ସମାଜ ଜାଣିନାହିଁ?

ଜାଣି, ଅସ୍ୱୀକାର କରିବା ଅର୍ଥ ଆତ୍ମହତ୍ୟା କରିବା। ସେଇମାନେ ସମାଜର ଆଦର୍ଶ ଯେଉଁମାନେ ସମଗ୍ର ପାଇଁ, ସମୂହ ସକାଶେ ଲୁହ ଢ଼ାଳନ୍ତି। ସ୍ୱାମୀ ଶିବାନନ୍ଦ କହନ୍ତି, ଅନ୍ୟମାନଙ୍କ ପାଇଁ ବଞ୍ଚିବା, ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ଦେଖିବା ଓ ଅନ୍ୟମାନଙ୍କ ପାଇଁ ମୃତ୍ୟୁବରଣ କରିବା ହିିଁ ପ୍ରକୃତ ମାନବିକତା। ପ୍ରକୃତ ମାନବିକତା କସ୍‌ମେଟିକ୍‌ ନୁହେଁ, କସ୍‌ମିକ୍‌- ଏହା ଭଙ୍ଗୀ ନୁହେଁ ଭାବାଶ୍ରୟୀ। ଏଥିରେ କେବଳ ଦିଆଯାଏ ଅର୍ଥାତ୍‌ ଜଣେ ନିଜର ସବୁ ଦେଇ ଦିଏ। ଏ’ତ କଠୋପନିଷଦର ଋଷିଙ୍କ ସେଇ ବାଜସନେୟ ଯଜ୍ଞ (ନଚିକେତଙ୍କ ପିତା), ଏହାର ସାରମର୍ମ ନେତାଜୀଙ୍କ ସ୍ୱରରେ କିପରି ଉଦ୍‌ଗୀତ ହୋଇଛି ଶୁଣିବା, ସାରା ଜୀବନ କେବଳ ଦେଇଯିବି, ପ୍ରତଦାନରେ କିଛି ନ ଚାହିଁ। ଏଇ ମହାତ୍ମାମାନେ ନେତାଜୀ ହେବେ। ତେଣୁ ଆମର ଆଦର୍ଶ ହେବେ କାରଣ ଏମାନେ ଆମର ଅତି ଆପଣାର ମଣିଷ ଯେ ଗାଇ ଉଠନ୍ତି। ମିଶାଇ ପ୍ରାଣ ତଥା ପ୍ରାଣେଶ ପଦେ/ ନାଚିବି ବିଶ୍ୱପ୍ରେମେ ପରମାନନ୍ଦେ/ ମୋ ପ୍ରାଣ ପ୍ରେମଧାରେ ଭାସିବ ଧରା/ ହେବ ଏ ବିଶ୍ୱ ମୋର ପ୍ରେମ ପସରା (ଗୋପବନ୍ଧୁ) ପରିତାପର ବିଷୟ, ଆମ ଯୁବସମାଜ ଗୋପବନ୍ଧୁଙ୍କ ଦାଢ଼ି, ଗାନ୍ଧୀଙ୍କର ବାଡ଼ି, ମଧୁବାବୁଙ୍କ ପଗଡ଼ି ଆଉ ସ୍ୱାମୀଜୀଙ୍କ ରଡ଼ି ଛାଡ଼ି ବଲିଉଡ଼ର ବ୍ୟଭିଚାରୀ ଓ ପଞ୍ଚମକାରୀଙ୍କ “ଗଡ଼ାଗଡ଼ି”ରେ ମାତିଛନ୍ତି (ଆମ୍ଭେମାନେ କି!)
କଙ୍ଗନାଙ୍କ ଆରୋପ ଆଉ ସବୁ ଦେଶୀ “ଉଡ଼” ମାନଙ୍କ ପ୍ରତି ମଧ୍ୟ ଊଣା ଅଧିକେ ପ୍ରଯୁଜ୍ୟ- କିଏ ବା ଅଛି କେଉଁ ମତେ/ ମୁଁ ତାହା ଜାଣିବି କେମନ୍ତେ?’ ଆମ ଦେଶୀ ବାମାବାଦୀମାନେ ଏ ସମ୍ପର୍କରେ ସଂପୂର୍ଣ୍ଣ ନିଶ୍ଚେଷ୍ଟ ନିସ୍ପୃହ ଓ ନିଷ୍କ୍ରିୟ ରହିଥିବାବେଳେ, ଜଣେ ନାରୀ (କଙ୍ଗନା) କିପରି ଯଥାର୍ଥ ନାରୀବାଦୀ ତାହା ଦେଖନ୍ତୁ ଓ ସେହି ଅନୁସାରେ ନିଜକୁ ମାପନ୍ତୁ। ଯଦି ସାହସ ଅଛି ତାଙ୍କ ପରି ଆପୋଷହୀନ ପ୍ରକ୍ରିୟାଶୀଳ ହୁଅନ୍ତୁ। ତା’ ସହିତ ଆମେ ଯେଉଁମାନେ ସମାଜର ବିଭିନ୍ନ ମନ୍ଦିରରେ ବଡ଼ପଣ୍ଡା ସାଜି ଘଣ୍ଟି ଟିଂଟିଂ କରୁଛୁ, ଆମେ ମଧ୍ୟ‘କଙ୍ଗନା ଠିକ୍‌, ହଁ ଠିକ୍‌, କଙ୍ଗନା ଯୁଗଯୁଗ ଜିଓ’ ବୋଲି ଅଜସ୍ର ତୁଣ୍ଡରେ କହିବାକୁ ଆଦୌ କୁଣ୍ଠାବୋଧ କରିବା ନାହିଁ।

ବ୍ରଜମୋହନ ମିଶ୍ର (ଭଦ୍ରକ)

Comments
Loading...