ବଢ଼ୁଛି କଙ୍ଗନାଙ୍କ ଅଡ଼ୁଆ

ମୁମ୍ବଇ: ଅଭିନେତ୍ରୀ କଙ୍ଗନା ରଣାୱତ ଆଇନଗତ ଅଡ଼ୁଆରେ ଛନ୍ଦି ହୋଇଚାଲିଛନ୍ତି। କୃଷକଙ୍କ ପ୍ରତି ନକାରାତ୍ମକ ମନ୍ତବ୍ୟ ଦେବା ନେଇ କର୍ଣ୍ଣାଟକରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଆପତ୍ତିଜନକ ଟୁଇଟ୍ ପାଇଁ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କ ନାଁରେ ଏତଲା ଦାୟର କରିବାକୁ ଶନିବାର ବାନ୍ଦ୍ରାସ୍ଥିତ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଦୁଇ ଭଉଣୀ ସାମାଜିକ ଗଣମାଧ୍ୟମରେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟିକାରୀ ମନ୍ତବ୍ୟ ପ୍ରସାର କରିଥିଲେ। ଏହା ବିରୋଧରେ ‘କାଷ୍ଟିଙ୍ଗ୍ ଡାଇରେକ୍ଟର୍’ ଓ ‘ଫିଟ୍ନେସ୍ ଟ୍ରେନର୍’ ମୁନ୍ନାୱାରାଲି ଓରଫ୍ ସାହିଲ୍ ଅସ୍ରଫ୍ ଅଲି ସୟେଦ ଅଭିଯୋଗ କରିଥିଲେ।

ଦୁଇ ଭଉଣୀ ବଲିଉଡ୍ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁରେ ଅରୁଚିକର ମନ୍ତବ୍ୟ ଟୁଇଟ୍ କରୁଛନ୍ତି। ଗଣମାଧ୍ୟମ ବିରୋଧରେ ମଧ୍ୟ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି। ଏ ନେଇ ସେ ବାନ୍ଦ୍ରା ଥାନାରେ ଏତଲା ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ଏହାକୁ ଗ୍ରହଣ କରି ନ ଥିଲା; ଫଳରେ ସେ ଅଦାଲତର ଆଶ୍ରୟ ନେଲେ ବୋଲି ସାହିଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଜୟଦେବ ୱାଇ ଘୁଲେ ଏହାର ବିଚାର କରି କହିଛନ୍ତି ଯେ ଆବେଦନ ଓ ଦାଖଲ କାଗଜପତ୍ରରୁ ଅଭିଯୁକ୍ତମାନେ ଧର୍ତ୍ତବ୍ୟ ଅପରାଧ କରିଥିବା ସ୍ପଷ୍ଟ ହୋଇଛି। ଏଗୁଡ଼ିକ ଟୁଇଟର୍ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମରେ ପ୍ରସାରିତ ତଥ୍ୟ ଆଧାରିତ। ଅଭିନେତ୍ରୀ ଓ ତାଙ୍କ ଭଉଣୀ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରିଥିବାରୁ ସେମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି।

Comments are closed.