କଙ୍ଗନାଙ୍କୁ ସୁବ୍ରମଣ୍ୟମ ସ୍ବାମୀଙ୍କ ସମର୍ଥନ; ଆଇନଗତ ସହଯୋଗ ଯୋଗାଇବାକୁ ପ୍ରସ୍ତାବ

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ସ୍ଥିତିରେ ଅନେକବାର ଅଭିନେତ୍ରୀ କଙ୍ଗନା ରଣାୱତ ସୁଶାନ୍ତ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନେପେଟିଜିମ୍ କଥା ଉଠାଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁକୁ ‘ଯୋଜନାବଦ୍ଧ ହତ୍ୟା’ ବୋଲି ଅଭିହିତ କରିଛନ୍ତି । ଏହି ସ୍ଥିତିରେ କଙ୍ଗନାଙ୍କୁ ସମର୍ଥନ ଜଣାଇଛନ୍ତି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ । କଙ୍ଗନାଙ୍କ ଏହି ଆଭିମୁଖ୍ୟ ସ୍ବାମୀଙ୍କୁ ବେଶ୍ ପସନ୍ଦ ଆସିଛି ଏବଂ ସେ କଙ୍ଗନାଙ୍କୁ ଏହି ପ୍ରସଙ୍ଗରେ ସହଯୋଗ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଏହି ପ୍ରସଙ୍ଗରେ ପୂର୍ବରୁ ବଲିଉଡ଼ର ତିନି ଖାନ- ଶାହାରୁଖ, ସଲମାନ ଓ ଅମୀରଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ । ସୁଶାନ୍ତ ସିଂହ ମାମଲାରେ ସେମାନଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ସମ୍ପ୍ରତି ସୁବ୍ରମଣ୍ୟମ ସ୍ବାମୀଙ୍କ ଓକିଲ ଇସକରଣ ସିଂହ ଭଣ୍ଡାରୀ ସୋସିଆଲ ମିଡ଼ିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କଙ୍ଗନାଙ୍କୁ ଆନଗତ ସହଯୋଗ କରିବାକୁ ସୁବ୍ରମଣ୍ୟମ ସ୍ବାମୀ ପ୍ରସ୍ତୁତ ବୋଲି ଇସକରଣ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ ଡ଼ା. ସ୍ବାମୀ ପ୍ରଥମରୁ କହିଛନ୍ତି ଯଦି କଙ୍ଗନା ଓ ତାଙ୍କ ସହଯୋଗୀମାନେ ପୁଲିସକୁ ଷ୍ଟେଟମେଣ୍ଟ ଦେବା ସମୟରେ କୌଣସି ଆଇନଗତ ସହଯୋଗ ଆବଶ୍ୟକ କରନ୍ତି ତେବେ ମୁଁ ଦେବାକୁ ପ୍ରସ୍ତୁତ ଅଛି ।

ଇସକରଣ ହେଉଛନ୍ତି ସେହି ଓକିଲ ଯାହାଙ୍କୁ ସୁବ୍ରମଣ୍ୟମ ସ୍ବାମୀ ନିଯୁକ୍ତ କରିଛନ୍ତି । ସୁଶାନ୍ତ ସିଂହ ରାଜପୁତ ମାମଲାରେ ସମସ୍ତ ଜରୁରୀ କାଗଜପତ୍ର ଏକତ୍ର କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁଥିରେ ଆବଶ୍ୟକ ପଡ଼ିଲେ ସିବିଆଇ ଯାଞ୍ଚ ହୋଇପାରେ । ଇସକରଣ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଘଟଣା ମାମଲାରେ ବେଶ୍ ଅଗ୍ରଗତି ହାସଲ କରିଛନ୍ତି । ନିକଟରେ ସେ ମୁମ୍ବାଇ ପୁଲିସ ନିକଟରେ ସୁଶାନ୍ତଙ୍କ ଘରକୁ ଠିକ୍ ଭାବରେ ସିଲ କରିବା ଓ ତାଙ୍କର ସମସ୍ତ ସାମଗ୍ରୀକୁ ଯତ୍ନର ସହ ରଖାଯିବାକୁ ଆବେଦନ କରିଥିଲେ ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏବେ ଅତ୍ୟନ୍ତ ସ୍ପର୍ଶକାତର ସ୍ଥିତିରେ ରହିଛି । ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଘଟଣାର ସିବିଆଇ ତଦନ୍ତ ନିମନ୍ତେ ଆବେଦନ କରାଯାଇଛି । ବିଜେପିର ଦୁଇ ବଡ଼ ନେତା ସୁବ୍ରମଣ୍ୟମ ସ୍ବାମୀ ଓ ରୁପା ଗାଙ୍ଗୁଲି ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି । ତେବେ ସିବିଆଇ ତଦନ୍ତ ପ୍ରସ୍ତାବକୁ ଖାରଜ କରିଛନ୍ତି ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ । ଏହି ପ୍ରସଙ୍ଗର ତଦନ୍ତ ନିମନ୍ତେ ମୁମ୍ବାଇ ପୁଲିସ ସକ୍ଷମ ଓ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ଦେଶମୁଖ କହିଛନ୍ତି ।

ଅନ୍ୟପକ୍ଷରେ କଙ୍ଗନା ନିକଟରେ ଏକ ଟିଭି ଚ୍ୟାନେଲ ସାକ୍ଷାତକାରରେ ମୁମ୍ବାଇ ପୁଲିସ ତାଙ୍କୁ ସୁଶାନ୍ତ ସିଂହ ରାଜପୁତ ମାମଲାରେ ସମନ ଜାରି କରିଥିବା କହିଛନ୍ତି । ସେ କହିଛନ୍ତି ଯେ ଯେଉଁ ସମୟରେ ପୁଲିସ ତାଙ୍କୁ ସମନ ଜାରି କରିଥିଲା ସେ ସମୟରେ ସେ ମନାଲିରେ ଥିଲେ । ତେଣୁ ତାଙ୍କ ବୟାନ ନେବା ପାଇଁ ସେ ଯେ କୌଣସି ପୁଲିସ ଅଧିକାରୀଙ୍କୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ସେପଟୁ କିଛି ଉତ୍ତର ଆସିଲା ନାହିଁ ବୋଲି କଙ୍ଗନା କହିଛନ୍ତି ।

Comments are closed.