ବାଟ ହୁଡିଛି ମନରେଗା ଯୋଜନା, ମାସମାସ ଧରି ମିଳୁନି କାମର ମଜୁରୀ, ଶ୍ରମିକ ହତାଶ

ବ୍ରାହ୍ମଣୀଗାଁ : ଭାରତ ସରକାର ଦିନ ମୁଜୁରୀଆଙ୍କ ଆର୍ଥିକ ମାନ ଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜବ୍ କାର୍ଡ ଧାରୀଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କୁ ବର୍ଷରେ ୧୦୦ ଦିନର କାମ ଯୋଗାଇ, ଗରିବ ଦିନମଜୁରିଆଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାକୁ କୋଟିକୋଟି ଅର୍ଥ ବ୍ୟୟ କରୁଥିବା ବେଳେ ଏହା ଦୁର୍ଗମ ଅଞ୍ଚଳମାନଙ୍କରେ ବାଟବଣା ହେଉଥିବା ଅଭିଯୋଗ ହୋଇଛି। କାମ କରିବାର ସପ୍ତାହ ମଧ୍ୟରେ ମନରେଗା ଅର୍ଥ ମିଳିବାର ସରକାରୀ ବ୍ୟବସ୍ଥା ରହିଥିବା ବେଳେ କାମ ସରି ମାସ ମାସ ବିତିଯାଇଥିଲେ ସୁଧା ଅର୍ଥ ମିଳିବାର ନା ଗନ୍ଧ ନାହିଁ।

ଏପରି ଏକ ସଙ୍ଗିନ ଅଭିଯୋଗ ହୋଇଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତରୁ। ବ୍ରାହ୍ମଣୀଗାଁ ସ୍ଥିତ ଶ୍ମଶାନ ଘାଟକୁ ରାସ୍ତା କରିବାକୁ ଗ୍ରାମସଭା ମାଧ୍ୟମରେ ଏବଂ ବ୍ଲକ ତଥା ଜିଲ୍ଲା ପ୍ରଶାସନକୁ ବହୁବାର ଦାବୀ କରିଆସୁଥିଲେ। ହେଲେ ଓଡିଆ ସାହି ଠାରୁ ଶ୍ମଶାନ ଘାଟକୁ ପ୍ରାୟ ୧୩୦୦ ମିଟର ରାସ୍ତା ମନରେଗା ଯୋଜନାରେ କରିବାକୁ ନିଷ୍ପତି ନିଆଯାଇଥଲା। ତଦ୍ ଅନୁଯାଇ ଗତ ସେପ୍ଟମ୍ବର ମାସରୁ କାମ ମଧ୍ୟ ଆରମ୍ଭ ହୋଇ ପ୍ରଥମ କିସ୍ତିରେ ଶ୍ରମିକ ମାନେ ଅର୍ଥ ପାଇଥିବା ବେଳେ ତାପରର ତିନି କିସ୍ତି ପର୍ୟ୍ୟନ୍ତ ଅର୍ଥ ମିଳୁ ନଥିବାରୁ ଶ୍ରମିକ ମହଲରେ ଅସନ୍ତୋଷ ଦେଖାଦେଇଛି। ମାସ ମାସ ବିତିଯାଇଥିଲେ ବି ଆଜଯାଏଁ ମିଳିଲାନି ଅର୍ଥ। ହେଲେ ବର୍ତମାନ ସାଧାରଣ ରେ ପ୍ରଶ୍ନ ଉଠୁଛି କାହା ଭରଶାରେ ମନରେଗା ଯୋଜନାରେ କାମ କରିବା ? କାହାର ସ୍ୱାର୍ଥ ପାଇଁ ଶ୍ରମିକ ମାନଙ୍କୁ ବଳି ହେବା କୁ ପଡୁଛି ? କାମକଲେ ଚୁଲି ଜଳେ ,ବଜାରର କୌଣସି ଦୋକାନି କୁଲି ମଜୁରିଆଙ୍କୁ ବାକି ଦିଅନ୍ତି ନାହିଁ। ବର୍ତମାନ ପରିସ୍ଥିତିରେ ଏମାନେ କରିବେ କଣ ? ଗ୍ରାମରେ ରହି କାମ ଧନ୍ଧା କରି ପରିବାର ପ୍ରତିପୋଷଣ କରିବେ ନା କାମଧନ୍ଦା ପାଇଁ ବାହାର ରାଜ୍ୟକୁ ଯିବେ ?

ଏସମ୍ପର୍କରେ ଜାଣିବାପାଇଁ ଦାରିଙ୍ଗବାଡ଼ି ବିଡିଓ ଭକ୍ତ ବନ୍ଧୁ ଜନାର୍ଦ୍ଧନ ଦଳେଇଙ୍କୁ ପଚାରିବାରୁ ସେ ଏପିଓ ଙ୍କ ଠାରୁ ବୁଝିନେବାକୁ କହିଲେ ,ଏପିଓ ଙ୍କୁ ପଚାରିବାରୁ ସେ ମିଟିଙ୍ଗରେ ବ୍ୟସ୍ତଥିବା କହିଲେ ,ସ୍ଥାନୀୟ ଜିଆରଏସ୍ ତ୍ରୀଲୋଚନ ନାୟକ ଙ୍କୁ ପଚାରିବାରୁ ସେ ଆମ ପଞ୍ଚାୟତରେ ହୋଇଥିବା ସମସ୍ତ କାର୍ୟ୍ୟର ବିଲ ନଭେମ୍ବର ମାସର ୧୫,୨୬ ,ଓ ଡିସମ୍ବର ମାସର ୧୨ ତାରିଖରେ ବ୍ଲକ ଅଫିସ୍ କୁ ପ୍ରଦାନ କରାଯାଇଛି ଟଙ୍କା ଆସିଲେ ରିଲିଜ୍ ହେବ ବୋଲି କହିଛନ୍ତି। ହେଲେ କାମ କରି ଦିନ ମଜୁରୀଆମାନେ କେତେଦିନ ଅପେକ୍ଷା କରିବେ ବୋଲି ବୁଦ୍ଧୀଜିବି ମହଲରେ ତିବ୍ର ନିନ୍ଦା କରାଯାଇଛି। ଏଣୁ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ତୁରନ୍ତ ଶ୍ରମିକ ମାନଙ୍କ ଟଙ୍କା ଯୋଗାଇ ଦେବାକୁ ଦାବୀ ହୋଇଛି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କୁନୁଚନ୍ଦ୍ର ନାୟକ ,ବେନୁପାସ୍ ନାୟକ ,କୁମୁଦ ଚନ୍ଦ୍ର ନାୟକ ,ରିନା ନାୟକ ,ଜୟନ୍ତି ନାୟକ ,ସମେତ ସମସ୍ତ ଶ୍ରମିକ ଦଳ ଚେତାବନୀ ଦେଇଛନ୍ତି।

Comments are closed.