କନ୍ଧମାଳ ମାଟି ଏକ ପୂଣ୍ୟ ଭୂମି, ଏହାର ସର୍ବାଙ୍ଗୀଣ ବିକାଶ ପାଇଁ ରାଜ୍ୟ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି:ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

‘କୋଲ୍ଡଷ୍ଟୋର’ ପ୍ରତିଷ୍ଠା ପାଇଁ ମଞ୍ଜୁର ହୋଇଛି ଅର୍ଥ, କନ୍ଧମାଳ ଜିଲାରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟ ମହଜୁଦ ରଖାଯାଇପାରିବ

ଫୁଲବାଣୀ: କନ୍ଧମାଳ ଜିଲାକୁ ରାଜ୍ୟର ଶ୍ରେଷ୍ଠ ଜିଲା, ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଏବଂ ଭାରତକୁ ବିଶ୍ୱର ଶ୍ରେଷ୍ଠ ଦେଶରେ ପରିଣତ କରିବା ଦରକାର। ଏହି ଅଭାବମୟ ଓ ସଙ୍କଟମୟ ପରିସ୍ଥିତିରେ କୃଷି କାର୍ଯ୍ୟକୁ ଅବ୍ୟାହତ ରଖିବା ଲାଗି ସମବାୟ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା କୃଷି ଋଣ ପରିମାଣକୁ ବୃଦ୍ଧି କରାଯିବା ସହିତ ଅଧିକରୁ ଅଧିକ ସଂଖ୍ୟକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏଥିରେ ସାମିଲ କରିବା ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଚେଷ୍ଟା ଜାରି ରହିଛି। କନ୍ଧମାଳ ଜିଲାରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ମହଜୁଦ କରି ରଖିବା ପାଇଁ ଜିଲ୍ଲାର କେତେକ ସ୍ଥାନରେ ‘କୋଲ୍ଡଷ୍ଟୋର’ ପ୍ରତିଷ୍ଠା କରିବା ଦିଗରେ ଅର୍ଥ ମଞ୍ଜୁର ହୋଇଛି। କନ୍ଧମାଳ ଜିଲାର ମାଟି ଏକ ପୂଣ୍ୟ ଭୂମି। ଏହି ଜିଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ନିଯୁକ୍ତି, ପର୍ଯ୍ୟଟନ ଆଦି ସହିତ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ଅହରହ ଓ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। କନ୍ଧମାଳର ଏହି ପବିତ୍ର ମାଟିରେ ସମସ୍ତେ ଏ ଜିଲାକୁ ଉନ୍ନତିର ଶିଖରରେ ପହଞ୍ଚାଇବା ଦିଗରେ ଶପଥ ନେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆହ୍ୱାନ ଦେଇଛନ୍ତି। ଫୁଲବାଣୀ ରିଜର୍ଭ ପୁଲିସ୍ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସମାରୋହରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ତିଳତିଳ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଯାଇଥିବା ଦେଶ, ରାଜ୍ୟ ଓ କନ୍ଧମାଳ ଜିଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ନିଜ ବକ୍ତବ୍ୟ ମାଧ୍ୟମରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକରୁ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ସାମିଲ କରିବା ଦିଗରେ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। କନ୍ଧମାଳ ଜିଲାରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ କାର୍ଯ୍ୟକାରୀ ହେଉଥିବାରୁ ଜିଲାର ଜନ ପ୍ରତିନିଧି ଏବଂ ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ମାନବିକତାର ବିକାଶ ହିଁ ପ୍ରକୃତ ବିକାଶ। ଜନସମୁଦାୟଙ୍କ କଳ୍ୟାଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟରେ ବିକାଶର ପର୍ବ ଅବ୍ୟାହତ ରହିଛି। ରାଜ୍ୟ ସରକାରଙ୍କର ଏହି ଉଦ୍ୟମକୁ ଫଳପ୍ରସୂ କରିବା ଦିଗରେ ସମସ୍ତେ ସହଯୋଗ କରିବା ଉଚିତ। ଜନସାଧାରଣଙ୍କ ଦାବୀକୁ ସମ୍ମାନ ଜଣାଇ କନ୍ଧମାଳ ଜିଲାରେ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ଏବଂ ଜିଲାକୁ ରେଳ ଯୋଗାଯୋଗ କ୍ଷେତ୍ରରେ ସାଂସଦ ଓ ବିଧାୟକମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ କରୋନା ପାଇଁ ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଓଡ଼ିଶାବାସୀଙ୍କ ପ୍ରତ୍ୟେକଟି ଜୀବନ ରାଜ୍ୟ ପାଇଁ ମୂଲ୍ୟବାନ। ଏଣୁ ଏହି ଅମୁଲ୍ୟ ଜୀବନର ସୁରକ୍ଷା ପାଇଁ ପ୍ରତ୍ୟେକ ସ୍ତରରେ ପ୍ରଚେଷ୍ଟା ଜାରି ରହିଛି। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆଗୁଆ ପଦକ୍ଷେପ ଫଳରେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଏହି ମହାମାରୀ ନିୟନ୍ତ୍ରଣ ସ୍ଥିତିରେ ରହିଛି। ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ କରୋନା ଆକ୍ରାନ୍ତଙ୍କୁ ବିନାମୂଲ୍ୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ଜନ ସମାଜ ମଧ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରି ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ଲାଗି ନିଜ ଜୀବନକୁ ବାଜି ଲଗାଇଥିବା କରୋନା ଯୋଦ୍ଧାମାନଙ୍କ ଅସୀମ ତ୍ୟାଗ ଓ ଧୈର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ। ସେମାନଙ୍କର ସେହି ନିଷ୍ଠାପର ଉଦ୍ୟମ ଆମକୁ କରୋନା ଯୁଦ୍ଧରେ ବିଜୟୀ କରାଇବ ବୋଲି ମଧ୍ୟ ସେ ଆଶା ବ୍ୟକ୍ତ କରିଥିଲେ। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ଆଗ୍ରହର ସହ ପ୍ଳାଜ୍‌ମା ଦାନ କରିବା ସହିତ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ବାରମ୍ବାର ହାତ ଧୋଇବା, ପରିଷ୍କାର ପରିଛନ୍ନ ପରିବେଶ ସୃଷ୍ଟି ଏବଂ ଜନ ସଚେତନତା ଜାଗରଣ କରିବାକୁ ସେ ପରାମର୍ଶ ଦେଇଥିଲେ।
କନ୍ଧମାଳ ଜିଲାରେ କରୋନାକୁ ନିୟନ୍ତ୍ରଣ ସ୍ଥିତିରେ ରଖିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କୋଭିଡ଼ ଓପିଡିର ଡା. ଦେବୀ ପ୍ରସାଦ ଦାସ, ଫୁଲବାଣୀର ଅନ୍ୱେଷା କୋଭିଡ଼୍ କେୟାର୍ ସେଣ୍ଟର୍ର ଡା. ଆର୍. ରାଜଲକ୍ଷ୍ମୀ ପାତ୍ର, ବିଶିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ସୁବ୍ରତ କୁମାର ଶତପଥି, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଖୋଲାଯାଇଥିବା କୋଭିଡ୍‌ କେୟାର୍ ସେଣ୍ଟର୍‌ର ଲଣ୍ଡ୍ରି ୱାର୍କର୍ ମାନସ ମୁଖୀ, ବାରିକୁମ୍ପାର ଆଶା କର୍ମୀ ରୀନା ବେହେରା, ରତଙ୍ଗର ଆଶାକର୍ମୀ ଅମିତା ପାତ୍ର ଏବଂ ଟିକାବାଲି ବ୍ଳକ୍ ଅନ୍ତର୍ଗତ କଟିମାହାର ଏଏନ୍ଏମ୍ ଅଞ୍ଜଳୀ ଦିଗାଲଙ୍କ ଏହି ଅବସରରେ ଉତ୍ତରୀୟ ଓ ମାନପତ୍ର ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ।

ଅଭିବାଦନ ମଞ୍ଚରେ କନ୍ଧମାଳ ଜିଲାପାଳ ଡା. ବୃନ୍ଦା ଡି. ଏବଂ ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, କନ୍ଧମାଳ ଉପ-ଜିଲ୍ଲାପାଳ ସୁରେଶ କୁମାର ନନ୍ଦ, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ, ତହସିଲଦାର ଦୀନମଣି ନାୟକ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ପୁଲିସ୍ ବାହିନୀର ଗୋଟିଏ ଦଳ ଜାତୀୟ ପତାକାକୁ ଅଭିବାଦନ ଜଣାଇଥିବା ବେଳେ ଜାତୀୟ ପତାକା ଉତ୍ତୋଳନ ସମୟରେ ପୋଲିସ୍‌ର ବ୍ୟାଣ୍ଡ ବାହିନୀ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ। ରିଜର୍ଭ ପୋଲିସ୍ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଏବଂ ସର୍ଜେଣ୍ଟ ସରୋଜ କୁମାର ବେହେରା ଯଥାକ୍ରମେ ପରେଡ୍‌ କମାଣ୍ଡର୍ ଓ ସହକାରୀ ପରେଡ୍‌ କମାଣ୍ଡର୍ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

Comments are closed.