କନ୍ଧମାଳ ଓ କୋରାପୁଟରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇଛି ସର୍‌ଗିଫୁଲ

ଭୁବନେଶ୍ବର : ଆଦିବାସୀ ବହୁଳ ଜିଲା କନ୍ଧମାଳ ଓ କୋରାପୁଟକୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ଫେରିଛନ୍ତି। ଏଠାରେ ଜୀବିକା ନିର୍ବାହ ପାଇଁ ଏବେ ମୋନେ ସର୍‌ଗିଫୁଲ ସଂଗ୍ରହ କରୁଛନ୍ତି, ଯାହା ସେମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହେଉଥିବା ଜଣାପଡ଼ିଛି।
କନ୍ଧମାଳ ଓ କୋରାପୁଟ ଜିଲା ଭରପୁର ଜଙ୍ଗଲରେ ପରିପୂର୍ଣ୍ଣ। ଏହି ଜିଲାର ବିଭିନ୍ନ ଜଙ୍ଗଲରେ ଶାଳ ଗଛ ବା ସର୍‌ଗି ଗଛ ବହୁଳ ସଂଖ୍ୟାରେ ଦେଖାଯାଏ। ଖରାଦିନେ ଏହି ସର୍‌ଗି ଗଛରେ ଫୁଲ ଫୁଟିଥାଏ, ଯାହାର ଔଷଧୀୟ ଗୁଣ ରହିଛି। ଘଞ୍ଚ ଜଙ୍ଗଲଗୁଡ଼ିକରେ ଥିବା ଶାଳ ଗଛରୁ ସର୍‌ଗି ଫୁଲ ଓ ଶାଳ ପତ୍ର ସଂଗ୍ରହ କରୁଛନ୍ତି ବହୁ ପ୍ରବାସୀ ଓଡ଼ିଆ। ସେମାନେ ଶାଳ ପତ୍ରରେ ଠୋଲା ଓ ଚୌପଦୀ ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ସେହିପରି ସଂଗୃହୀତ ସର୍‌ଗି ଫୁଲକୁ ମଧ୍ୟ ବଜାରରେ ବିକ୍ରି କରି ବେଶ୍‌ କିଛି ରୋଜଗାର କରୁଛନ୍ତି।
କନ୍ଧମାଳ ଓ କୋରାପୁଟ ଜିଲାର ଘଞ୍ଚ ଜଙ୍ଗଲଗୁଡ଼ିକରେ ଭରି ରହିଛି ବିଭିନ୍ନ ପ୍ରଜାତିର ଗଛ। ସେଗୁଡ଼ିକ ମଧ୍ୟରୁ ଶାଳଗଛ ଅନ୍ୟତମ। ଶାଳଗଛରେ ଖରାଦିନେ ଫୁଲ ଧରେ। ଏହି ଫୁଲକୁ ଆଦିବାସୀ ଭାଷାରେ ସରଗିଫୁଲ କୁହାଯାଏ। ଏହି ଫୁଲକୁ ଗୋଟେଇବା ପାଇଁ ଘଞ୍ଚ ଜଙ୍ଗଲକୁ ଭୋର୍‍ରୁ ଆଦିବାସୀ ମହିଳା ଏବଂ ଯୁବତୀମାନେ ପ୍ରତିଦିନ ଯାଇଥାନ୍ତି। ଏବେ ସେମାନଙ୍କ ସହିତ ଗ୍ରାମକୁ ଫେରିଥିବା ପ୍ରବାସୀ ଶ୍ରମିକ ମଧ୍ୟ ଯାଉଛ୍ତି। ଏହି ଫୁଲ ଆଣିବା ପରେ ସେମାନେ ନିଅାଁରେ ପୋଡ଼ି ଥାଆନ୍ତି। ନିଅାଁରେ ସବୁ ପତ୍ର ପୋଡ଼ି ଗଲାପରେ ଫଳକୁ ଖରାରେ ୩ରୁ ୪ଦିନ ପର୍ଯ୍ୟନ୍ତ ଶୁଖାଇଥାନ୍ତି। ସର୍‌ଗି ଫୁଲରୁ ପ୍ରସ୍ତୁତ ହୋଇଥିବା ଫଳକୁ କିଲୋ ପ୍ରତି ୧୨ରୁ ୧୫ଟଙ୍କା ଯାଏଁ ବିକ୍ରି କରି ଥାଆନ୍ତି ସେମାନେ।
ଫଳରେ କନ୍ଧମାଳ ଓ କୋରାପୁଟ ଜିଲାର ବିଭିନ୍ନ ଗ୍ରାମରେ ବର୍ତ୍ତମାନ ଏହି ସର୍‌ଗିଫୁଲର ଚାହିଦା ଏତେ ପରିମାଣରେ ବଢ଼ିଯାଛି ଯେ ଏହି ଫୁଲକୁ ଗୋଟେଇବା ପାଇଁ ଭୋରରୁ ଆସିବାସୀ ମହିଳା ଏବଂ ଯୁବତୀଙ୍କ ସହିତ ପ୍ରବାସୀ ଶ୍ରମିକଙ୍କ ଭିଡ଼ ଦେଖିବାକୁ ମିଳିଛି। ଖରାଦିନେ ଆଦିବାସୀ ବହୁଳ ଜିଲା କନ୍ଧମାଳ ଓ କୋରାପୁଟରେ ମହିଳା ଏବଂ ଯୁବତୀଙ୍କ ସହିତ ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ସର୍‌ଗିଫୁଲ ରୋଜଗାରର ମାଧ୍ୟମ ବୋଲି ପରିଲକ୍ଷିତ ହୋଇଛି।

Comments
Loading...