କେନ୍ଦ୍ରମନ୍ତ୍ରୀଙ୍କୁ ଜିଲା ପ୍ରଶାସନ ଦେଲା କୋଭିଡ଼୍ ରିପୋର୍ଟ-କନ୍ଧମାଳ ଜିଲାରେ ମୋଟ ୧୩ ହଜାର ୫୨୯ଜଣ କରୋନାରେ ସଂକ୍ରମିତ

ଫୁଲବାଣୀ: ରବିବାର କେନ୍ଦ୍ର ଶିକ୍ଷା ରାଜ୍ୟ ମନ୍ତ୍ରୀ ଡ.ସୁବାସ ସରକାର ଦିନିକିଆ କନ୍ଧମାଳ ଜିଲା ଗସ୍ତରେ ଆସି ବିଭିନ୍ନ କ୍ଷେତ୍ର ପରିଦର୍ଶନ ସହ ଆକାଂକ୍ଷୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମନ୍ତ୍ରୀଙ୍କ କୋଭିଡ଼୍ ନେଇ ଏକ ରିପୋର୍ଟ ପ୍ରଦାନ କରାଯାଇଛି। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ପ୍ରକାରେ , ୨୦୨୨ ଏପ୍ରିଲ୍ ୧୬ ତାରିଖ ସୁଦ୍ଧା ସମଗ୍ର ଜିଲାରେ ୧୩ ହଜାର ୫୨୯ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ହଜାର ୪୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୫ ଜଣଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟ ପ୍ରକାରେ , ୧୨ ବ୍ଳକ ମଧ୍ୟରୁ ଫୁଲବାଣୀ ବ୍ଳକରେ ସର୍ବାଧିକ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୋଟଗଡ଼ ବ୍ଳକରେ କୋଭିଡ଼୍ ସଂକ୍ରମଣରେ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିନାହିଁ। ସେହିଭଳି ବାଲିଗୁଡ଼ା ବ୍ଳକରେ କୋଭିଡରେ ସଂକ୍ରମିତ ହୋଇ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚକାପାଦ ବ୍ଳକରେ ୪ ଜଣଙ୍କର, ଦାରିଙ୍ଗବାଡ଼ିରେ ୫ ଜଣ , ଜି.ଉଦୟଗିରି ବ୍ଳକରେ ୧୨ ଜଣ, ଖଜୁରିପଡ଼ାରେ ୪ ଜଣ, କ.ନୂଆଗାଁରେ ୪ ଜଣ, ଫିରିଙ୍ଗିଆ ବ୍ଳକରେ ୫ ଜଣ, ରାଇକିଆ ବ୍ଳକରେ ୭ଜଣ, ଟିକାବାଲି ବ୍ଳକରେ ୬ ଜଣ ଏବଂ ତୁମୁଡ଼ିବନ୍ଧ ବ୍ଳକ ବ୍ଳକରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜିଲା ବାହାରେ ଚିହ୍ନଟ ହୋଇଥିବାଙ୍କ ମଧ୍ୟରୁ ଜଣଙ୍କର ପରଲୋକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
କନ୍ଧମାଳ ଜିଲାରେ ଫୁଲବାଣୀ ବ୍ଳକରେ ସର୍ବାଧିକ ୨୮୩୧ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ସେହିଭଳି ଖଜୁରିପଡ଼ା ବ୍ଳକରେ ସର୍ବନିମ୍ନ ୬୪୮ଜଣ ସଂକ୍ରମିତ ହୋଇଥିଲେ। ଅନ୍ୟ ବ୍ଳକ ମଧ୍ୟରେ ବାଲିଗୁଡ଼ା ବ୍ଳକରେ ୧୯୮୪ ଜଣ ସଂକ୍ରମିତ ହୋଇଥିବା ବେଳେ ଚକାପାଦ ବ୍ଳକରେ ୯୨୨ ଜଣ, ଦାରିଙ୍ଗବାଡ଼ି ବ୍ଳକରେ ୧୩୨୨ ଜଣ, ଜି.ଉଦୟଗିରି ବ୍ଳକେର ୧୧୬୩ ଜଣ, କୋଟଗଡ଼ ବ୍ଳକରେ ୮୨୨ ଜଣ, କ.ନୂଆଗାଁ ବ୍ଳକରେ ୮୦୮ ଜଣ, ଫିରିଙ୍ଗିଆ ବ୍ଳକରେ ୮୨୦ଜଣ, ରାଇକିଆ ବ୍ଳକରେ ୮୧୭ଜଣ, ଟିକାବାଲି ବ୍ଳକରେ ୭୬୦ଜଣ ଓ ତୁମୁଡ଼ିବନ୍ଧ ବ୍ଳକରେ ୭୦୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଜିଲା ବାହାରୁ ଚିହ୍ନଟ ହୋଇଥିଲେ ଜିଲାର ୩୧୬ଜଣ। ସେମାନଙ୍କ ମଧ୍ୟରୁ ୩୧୫ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ଘଟିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ତେବେ କରୋନା ଯୋଗୁଁ କେତେ ଖର୍ଚ୍ଚ ହୋଇଛି ସେ ନେଇ ରିପୋର୍ଟରେ କୌଣସି ପ୍ରକାର ଦର୍ଶାଯାଇନଥିବା ପ୍ରକାଶ।

Comments are closed.