କନ୍ଧମାଳ: ବଦଳୁଛି ସ୍ଥିତି, ୩ ଦିନରେ ୪୨ ସଂକ୍ରମିତ ଚିହ୍ନଟ
ଜିଲାରେ ମୋଟ ସଂକ୍ରମିତ ସଂଖ୍ୟା ୫,୫୮୫ରେ ପହଞ୍ଚିଲା

ଫୁଲବାଣୀ: ଧିରେ ଧିରେ କନ୍ଧମାଳର ସ୍ଥିତି ବଦଳୁଛି। ଗତ ୩ ଦିନ ମଧ୍ୟରେ ଜିଲାରେ ମାତ୍ର ୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରକାଶ। ମଙ୍ଗଳବାର ଜିଲାରେ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪ ଓ ୭ ରହିଥିଲା। ଆଜି ସୁଦ୍ଧା ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୫୮୫ ରେ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୫, ୩୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୯ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ରେ ସ୍ଥିତ ରହିଛି। ଆଜିର ଚିହ୍ନଟମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲିଗୁଡା ବିଜ୍ଞାପିତ ଅଂଚଳରେ ଜଣେ,ଚକାପାଦର ୪ ଜଣ, ରାଇକିଆର ଜଣେ ଓ ଟିକାବାଲିର ୨ ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି। ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖି ଯାତାୟତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।