କନ୍ଧମାଳରେ କାନ୍ଦୁଛି ଲୋକ କଳାକାର : କରୋନା ସହାୟତା ଦାବି

ଫୁଲବାଣୀ : କରୋନା ଆରମ୍ଭ ଦିନରୁ କାନ୍ଦୁଛନ୍ତି କନ୍ଧମାଳର କଳାକାର। କରୋନା ସହାୟତା ପ୍ରଦାନ ଦାବିରେ ଜିଲା ପ୍ରଶାସନକୁ କଳାକାରମାନେ ପ୍ରଦାନ କରିଛନ୍ତି। ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ତାଲିମ ପ୍ରାପ୍ତ ଲୋକ କଳାକାରମାନେ ସେମାନଙ୍କର ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ଦେଇଛନ୍ତି। ଦାବିପତ୍ର ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ଗତ ପ୍ରାୟ ୧୦ ବର୍ଷ ହେଲା ତାଲିମ ପାଇଥିବା ଗ୍ରାମାଂଚଳର ଲୋକ କଳାକାରମାନେ ସେମାନଙ୍କର ଜୀବନଜୀବିକା ହରାଇଥିବା କହିଛନ୍ତି। ସମାଜସେବୀ କୃଷ୍ଣଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଟିକାବାଲିର ସଭରାଜ ପ୍ରଧାନ,ଦାରିଙ୍ଗବାଡି ସଂସ୍କୃତି ସଂଘର ଉପ-ସଭାପତି ସୁକାନ୍ତ କୁମାର ନାୟକ,ରାଇକିଆର ଲକ୍ଷ୍ମୀକାନ୍ତ ପ୍ରଧାନ,ଘୁ.ଉଦୟଗିରିର ତ୍ରିନାଥ ସାହୁ,ଫୁଲବାଣୀ କେଦାର ଦିଗାଲ,ସୁମନ୍ତ କହଁର,ସୁବାସ ସାହୁ,ବାପୁଜୀ ନାୟକ ପ୍ରମୁଖଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଲୋକ କଳାକାର ମାନେ କନ୍ଧମାଳ ଅତିରିକ୍ତ ଜିଲ୍ଲପାଳ ବସନ୍ତ କୁମାର ସାହୁଙ୍କୁ  ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିଭଳି କନ୍ଧମାଳ ଜିଲ୍ଲାରେ ସା୍ଥୟୀ ସଂସ୍କୃତି ଅଧିକାରୀ ନିଯୁକ୍ତି କରିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ସେହିଭଳି ଜିଲ୍ଲାର ଲୋକ କଳାକାରମାନେ ବିଭିନ୍ନ ସଚେତନତାର ବାର୍ତ୍ତା ପ୍ରଦାନ ପାଇଁ ସଚେତନ କରିବାକୁ ତାଲିମ ନେଇଥିବାବେଳେ ତାଲିମକୁ ୧୦ ବର୍ଷ ପୂରିବାକୁ ଗଲାଣି ହେଲେ ସେମାନଙ୍କୁ କୌଣସି ପ୍ରକାରର ସରକାରୀ ସଚେତନତାର କାର୍ଯ୍ୟରେ ନିୟୋଜିତ କରା ନଯିବାରୁ ସେମାନଙ୍କର ଜୀବନଜୀବିକା ବିପନ୍ନ ହୋଇଛି। ବର୍ତ୍ତମାନ କରୋନା ସଂକ୍ରମଣର ଯୋଗୁଁ ସେମାନଙ୍କ ପାଇଁ କୌଣସି ରୋଜଗାରର ସୁବିଧା ମିଳିପାରୁନାହିଁ। ସେଥିପାଇଁ ଏହି କଳାକାର ମାନଙ୍କୁ କରୋନା ସହାୟତା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ସଚେତନତା କାର୍ଯ୍ୟକ୍ରମ ଗୁଡିକ ସଚେତନତା ରଥ କିମ୍ବା ଏନଜିଓ ମାନଙ୍କ ଜରିଆରେ ନ କରାଇ ଏହି ତାଲିମ ପ୍ରାପ୍ତ ଲୋକ କଳାକରମାନଙ୍କୁ ପ୍ରଦାନ କଲେ ସେମାନଙ୍କର ଜୀବନଜୀବିକା ପାଇଁ ସହାୟକ ହେବ ବୋଲି କୁହାଯାଇଛି। ବେକାରୀ ଭତ୍ତା ପ୍ରଦାନ କରାଯାଉଥିବା କଳାକାରମାନଙ୍କୁ ସଠିକ୍ ଭାବରେ ଚୟନ କରାଯାଇ ଉପଯୁକ୍ତ ଲୋକଙ୍କୁ ଏହି ସୁବିଧା ପ୍ରଦାନ କରାଯିବାକୁ ଦାବି କରାଯାଇଛି। କଳାକାର ମାନଙ୍କ ପାଇଁ ଆସୁଥିବା ଟଙ୍କାକୁ ଜିଲ୍ଲାରେ କେତେକ ବ୍ୟକ୍ତି ନିଜକୁ କଳାକାର ପରିଚୟ ଦେଇ ମିଥ୍ୟାରେ ସେହି ଟଙ୍କାକୁ ହଡପ କରୁଥିବାରୁ ପ୍ରକୃତ କଳାକାର ମାନେ ଏଥିରୁ ବାଦ ପଡୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରାଯାଇଛି ଦାବିପତ୍ରରେ। ସଠିକ ଭାବରେ ତାଲିମପ୍ରାପ୍ତ କଳାକାରଙ୍କୁ ଚୟନ କରାଯାଇ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରବାକୁ ମଧ୍ୟ ଦାବି କରାଯାଇଛି। ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଅନ୍ୟାନ୍ୟ ସରକାରୀ ବିଭାଗର କରାଯାଉଥିବା ସଚେତନତା କାର୍ଯ୍ୟକ୍ରମକୁ ବାହାର ଜିଲ୍ଲାର କଳାକାରଙ୍କ ବଦଳରେ ସ୍ଥାନୀୟ କଳାକାରଙ୍କୁ ପ୍ରଦାନ କରାଗଲେ ସେମାନେ ନେଇଥିବା ତାଲିମର ସଦୁପୋଯୋଗ ହେବ ବୋଲି କୁହାଯାଇଛି । ଜିଲ୍ଲାରେ କଳାକାର ଭତ୍ତା ପାଇ ନଥିବା ପ୍ରକୃତ କଳାକାର ମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ଭତା ପ୍ରଦାନ କରାଯାଉ। ପୁର୍ବରୁ ଥିବା ସଂସ୍କୃତି ଅଧିକାରୀ କାହାକୁ ଅବଗତ ନ କରି ଜିଲ୍ଲା ସ୍ତରୀୟ ଏବଂ ବ୍ଳକ ସ୍ତରୀୟ ସଂସ୍କୃତି ସଂଘର କର୍ମକର୍ତା ଚୟନ କରିଥିବାରୁ ପ୍ରକୃତ କଳାକାର ମାନେ ଏଥୁରି ବାଦ ପଡିଛନ୍ତି । ତେଣୁ ସ୍ଥାୟୀ ସଂସ୍କୃତି ଅଧିକାରୀ ରହିଲେ ସେ ଜିଲ୍ଲାରେ କଳାକାରମାନଙ୍କୁ ସଠିକ ଭାବରେ ଚୟନ କରିବା ସହିତ ସେମାନଙ୍କୁ ଜିଲ୍ଲା ଓ ବ୍ଳକ ସ୍ତରେ ଚୟନ କରିବେ ବୋଲି ଉଲ୍ଲେଖ ରହିଛି ଏହି ଦାବି ପତ୍ରରେ।

Comments are closed.