ଯୁବକକୁ ହତ୍ୟା ଅଭିଯୋଗ, କନ୍ଦରପୁରରେ ପ୍ରବଳ ଉତ୍ତେଜନା

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁରଠାରେ ଏକ କୁକୁଡା ଫାର୍ମ ନିକଟରେ ଜଣେ ଯୁବକଙ୍କର କ୍ଷତାକ୍ତ ମୃତ ଦେହ ମିଳିବା ପରେ ତାକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ବିବରଣୀରୁ ପ୍ରକାଶ କନ୍ଦରପୁର କଲୋନୀ ସାହିର ଅନୁସୂଚିତ ଜାତି ବର୍ଗର ଗନ୍ଧର୍ବ ସାମଲଙ୍କ ପୁଅ ଗଣେଷ ସାମଲ (୨୫)ଙ୍କର ନିକଟରେ ଥିବା ୨ଟି କୁକୁଡା ଫାର୍ମ ପାଖରୁ ଶୁକ୍ରବାର ସକାଳେ ମୃତ ଦେହ ମିଳିବା ପରେ କନ୍ଦରପୁରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଗଣେଷ ଗୁରୁବାର ବିଳମ୍ବିତ ରାତିରେ କୁକୁଡା ଫାର୍ମ ନିକଟକୁ କୁକୁଡା ଚୋରୀ କରିବା ପାଇ ଯାଇଥିବାବେଳେ ସେଠାରେ କାର୍ଯ୍ୟରତ ଶ୍ରମିକ ଦମ୍ପତିଙ୍କଠାରୁ ସୂଚନା ପାଇ କୁକୁଡା ଫାର୍ମ କରିଥିବା ବାପି ଓରଫ ନିରଞ୍ଜନ ଦଳାଇ ତାଙ୍କ ଭାଇ ଓ ବାପାଙ୍କ ସହ ଫାର୍ମ ନିକଟକୁ ଆସିଥିଲେ। ସେହି ଫାର୍ମର ଅତି ନିକଟରେ ଅନ୍ୟ ଜଣେ ଗୋକୁଳ ସାହୁ ନାମକ ବ୍ୟକ୍ତିଙ୍କର ମଧ୍ୟ ଆଉ ଏକ କୁକୁଡା ଫାର୍ମ ରହିଛି ଏବଂ ସେ ମଧ୍ୟ ସେହି ସମୟରେ ସେଠାକୁ ଆସିଥିଲେ। ସେଠାରେ କ’ଣ ଘଟଣା ଘଟିଲା ଯାହା ଫଳରେ ସଂପୃକ୍ତ ଯୁବକ ଗଣେଷ ମୃତ୍ୟୁବରଣ କଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବା ଓ ନିକଟରେ କିଛି ଲୁହା କଣ୍ଟାଲଗା ବାଉଁଶ ପଡିଥିବାରୁ ତାଙ୍କୁ ପିଟିପିଟି ମାରିଦେଇଥିବା କେତେକ ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ କୁକୁଡା ଚୋରୀକୁ ରୋକିବା ପାଇଁ ବାପି ତାଙ୍କ କୁକୁଡା ଫାର୍ମରେ ଗତ ୨୦ଦିନ ହେବ ପ୍ରତିଦିନ ରାତିରେ ବିଦ୍ୟୁତ୍‍ କରେଣ୍ଟ ସଂଯୋଗ କରି ଦେଉଥିଲେ। କୁକୁଡା ଫାର୍ମର ଲୁହା ଜାଲି ବାଡ ଟେକି ତା ମଧ୍ୟକୁ ପଶୁଥିବାବେଳେ ଗଣେଷ ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । କିନ୍ତୁ ତାଙ୍କ ଶରୀର ଓ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ବାଡିଆପିଟା କରାଯାଇଥିବା କଥାକୁ ଅସ୍ୱୀକାର କରିହେବ ନାହିଁ ବୋଲି ପୁଲିସ କହୁଛି। ଘଟଣା ଜଣାପଡିବା ପରେ କନ୍ଦରପୁରସ୍ଥିତ ସେହି କୁକୁଡା ଫାର୍ମ ନିକଟରେ ଶତାଧିକ ଉତ୍ତେଜିତ ଗ୍ରାମବାସୀ ପହଞ୍ଚି କୁକୁଡା ଫାର୍ମର ମାଲିକ ବାପି ଓରଫ ନିରଞ୍ଜନ ଏବଂ ଅନ୍ୟ ଫାର୍ମର ମାଲିକ ଗୋକୁଳି ସାହୁଙ୍କୁ ମାରଧର କରିବା ମଧ୍ୟରେ ସେହି ଦୁଇଜଣ ସେଠାରୁ ଚମ୍ପଟ ମାରିଥିଲେ । ବାପିର ଫାର୍ମରେ କାର୍ଯ୍ୟ କରୁଥିବା ମୟୁରଭଞ୍ଜ ଜିଲ୍ଲାର ଏକ ଶ୍ରମିକ ଦମ୍ପତ୍ତି ଉତ୍ତେଜିତ ଲୋକଙ୍କ ଆକ୍ରୋଶର ଶିକାର ହେବାରୁ ସେମାନେ ଏକ କକ୍ଷରେ ଭିତରୁ କବାଟ କିଳି ରହିଥିଲେ।

ଆଠଗଡ ଏସଡିପିଓ ବିଜୟ କୁମାର ବିସି, ଥାନା ଅଧିକାରୀ ବାମଦେବ ସ୍ୱାଇଁ ସଦଳବଳେ ପହଞ୍ଜି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକମାନେ ବୁଝିବାକୁ ପ୍ରସ୍ତୁତ ନଥିଲେ। ପୁଲିସ ବିଜ୍ଞାନୀ ଦଳ ସେଠାରେ ପହଞ୍ଚି ତଦନ୍ତ କରିଥିଲେ। ପ୍ରବଳ ଉତ୍ତେଜନାକୁ ଦେଖି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷା ଅଧ୍ୟକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଖୁଣ୍ଟୁଣୀ ଓ ତିଗିରିଆ ଥାନାର ସମସ୍ତ ଅଧିକାରୀ ୩ ପ୍ଲାଟୁନ ପୁଲିସ ଫୌଜ ସହିତ ପହଁଚିବା ପରେ ସାମାନ୍ୟ ବଳପ୍ରୟୋଗ କରି ମୃତଦେହ ସହିତ ମୟୁରଭଞ୍ଜର ଶ୍ରମିକ ଦମ୍ପତ୍ତି ସଂଜୟ ନାଏକ ଓ ସୁକାନ୍ତି ନାଏକଙ୍କୁ ଉଦ୍ଧାର କରି ଆଣିଥିଲେ। ଏହି ଘଟଣା ସଂପର୍କରେ ମୃତ ଗଣେଷ ସାମଲଙ୍କ ଭିଣୋଇ ଭାବଗ୍ରାହୀ ନାଏକ ଆଠଗଡ ଥାନାରେ ଦେଇଥିବା ଏତଲାରେ ଗଣେଷକୁ କୁକୁଡା ଗାଡିରୁ ଖଲାସ କରିବା ପାଇଁ ବାପି ଡାକିନେଇଥିଲେ ଏବଂ ପରେ ସକାଳେ ତାଙ୍କ ମୃତ ଦେହ ସେଠାରେ ପହିଥିବାରୁ ତାକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ଆଠଗଡ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବ ସଙ୍ଗେ ସଙ୍ଗେ ପୁଲିସ ପୁଣି କନ୍ଦରପୁର ଯାଇ ଶେଷକୃତ୍ୟ ସଂପନ୍ନ ହେବା ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହିଥିଲେ। ଗଣେଷର ପରିବାରକୁ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଉପଜିଲ୍ଲାପାଳଙ୍କ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଗଣେଷର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ ଏସଡିପିଓ ଶ୍ରୀ ବିସି ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଦୁଇ କୁକୁଡା ଫାର୍ମ ମାଲିକ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଉଦ୍ୟମ ଜରି ରହିଛି ବୋଲି ଆଇଆଇସି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।

Comments are closed.