ମା’ କନକ ଦୁର୍ଗାଙ୍କ ଶାରଦୀୟ ପୂଜା

ପିପିଲି: ପିପିଲିର ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗାଙ୍କ ଷୋଡଶ ଦିନାତ୍ମକ ଶାରଦୀୟ ପାର୍ବଣ ଉତ୍ସବ ପାଇଁ ସମଗ୍ର ଅଞ୍ଚଳ ଏବେ ଉତ୍ସବମୁଖର ହୋଇଉଠିଛି। ଏହା ହେଉଛି ପିପିଲି ଓ ଆଖପାଖ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ। ଏଠାରେ ଉଭୟ ବଙ୍ଗୀୟ ପଦ୍ଧତି ଓ ଉତ୍କଳୀୟ ପଦ୍ଧତିରେ ଶାରଦୀୟ ପୂଜା ବହୁକାଳ ଧରି ଅନୁୁଷ୍ଠିତ ହୋଇଆସୁଛି। ଯାହାକି ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ।

ମା’ କନକ ଦୁର୍ଗାଙ୍କ ପାର୍ବଣ ଉତ୍ସବ ସହସ୍ର କୁମ୍ଭାଭିଷେକ ଠାରୁ ୫ଜଣ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ନିର୍ବାହିତ ହେଉଅଛି। ପିପିଲି ମୁଖ୍ୟବଜାର ମଧ୍ୟରେ ଅବସ୍ଥିତ ଏହି ପ୍ରସିଦ୍ଧ ପୁରାତନ ଶକ୍ତିପୀଠ ଦୁଇଭାଗରେ ବିଭକ୍ତ। ଉତ୍ତର ପାର୍ଶ୍ବରେ ଦେବୀଙ୍କର ଭବ୍ୟ ମନ୍ଦିରରେ ଦୁର୍ଗୋତ୍ସବ ଚନ୍ଦ୍ରିକା ଉତ୍କଳୀୟ ପଦ୍ଧିତିରେ ପରମ ବୈଷ୍ଣବୀ ମା’ କନକ ଦୁର୍ଗାଙ୍କର ନିତ୍ୟ ପୂଜା, ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା, ପଞ୍ଚସ୍ନାନ, ବୋଧନ, ବେଶ, ବଲ୍ଳଭ, ଚଣ୍ଡୀ ପାଠ, ମଧ୍ୟାହ୍ନ ଧୂପ, ଶୋଡଷୋପଚାର ପୂଜା ଓ ପହୁଡ ପରେ ସଂନ୍ଧ୍ୟା ଆଳତି, ଶୋଡଷୋପଚାର ପୂଜା, ଜପ, ହୋମ, ବଳିଦାନ, ଅପରାଧ କ୍ଷମା ଓ ଦଶବତାର ପରେ ପହୁଡ ନିତୀ ସମାପନ ହୁଏ। କିନ୍ତୁ ଦକ୍ଷିଣ ପାର୍ଶ୍ବରେ ଥିବା ଠାକୁରାଣୀଙ୍କ ବିଜେସ୍ଥଳୀରେ ବିଗ୍ରହଶୂନ୍ୟ ସିଂହାସନରେ କେବଳ କଳସ ସ୍ଥାପନ ହେଉଥିବା ବେଳେ ଉତ୍ତର ପାର୍ଶ୍ବ ମନ୍ଦିରର ଅଧିଷ୍ଠାତ୍ରୀ ମା’ କନକଦୁର୍ଗାଙ୍କ ବିଗ୍ରହରୁ ସୁତ୍ର ବନ୍ଧନ ହୋଇ ଶୂନ୍ୟ ମାର୍ଗରେ ଆସି ଏହି କଳସ ଓ ସିଂହାସନକୁ ସଂଯୋଗ କରାଯାଇ ଷୋହଳ ଦିନ ପର୍ଯ୍ୟନ୍ତ କେବଳ ରାତ୍ରିରେ ଆମିଷ ନୈବେଦ୍ୟ ହେଉଥିବା ସ୍ଥଳେ ମହାନବମୀ ଦିନ ଉଷୁନା ଅନ୍ନ ଓ ଆମିଷ ଭୋଗର ପ୍ରଚଳନ ଅଛି। ବିଗତ ଦେଢଶହ ବର୍ଷ ଧରି ଏହି ପରମ୍ପରା ପ୍ରଚଳିତ ଥିବା ଜଣାଯାଏ। ଉତ୍ତର ପାର୍ଶ୍ବ ମନ୍ଦିରରେ ସନ୍ଧ୍ୟା ଆଳତୀ ସରିଲା ପରେ ମନ୍ଦିରର ପୂଜକ ସେହି ଆଳତୀକୁ ଆଣି ଦକ୍ଷୀଣପାର୍ଶ୍ବରେ ଥିବା ଠାକୁରାଣୀଙ୍କ ବିଜେସ୍ଥଳୀ କଳସରେ ଆଳତୀ କରନ୍ତି। କିନ୍ତୁ ଆମିଷ ନୈବେଦ୍ୟ ନୀତି ସ୍ୱତନ୍ତ୍ର ପୂଜକଙ୍କ ଦ୍ୱାରା ଅନୁଷ୍ଠିତ ହୁଏ। ଦକ୍ଷିଣପାର୍ଶ୍ବ ପୀଠର ପୂର୍ବଭାଗ ଦର୍ଶନମଣ୍ଡପରେ ନନ୍ଦୀକେଶ୍ୱର ପଦ୍ଧତି କଟକ ବିନୋଦବିହାରୀ ପୀଠଙ୍କ ଅନୁସୃତ ମୃଣ୍ମୟୀ ବିଗ୍ରହଙ୍କ ପୂଜା ବଙ୍ଗୀୟ କୌଳିକ ନୀତିରେ ତପଃଷଷ୍ଠୀଠାରୁ ଆରମ୍ଭ ହୋଇ ବିଜୟାଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। ଏହି ପ୍ରସିଦ୍ଧ ପୀଠର ଉଭୟ ପାର୍ଶ୍ବରେ ଦୁଇ ଭିନ୍ନ ପଦ୍ଧତିରେ ଶାରଦୀୟ ପାର୍ବଣ ଏହାର ସ୍ୱତନ୍ତ୍ର ବିଶେଷତ୍ୱ।

ଚଳିତ ବର୍ଷ ବିଜୟାଦଶମୀ ପାଳନ ନେଇ ଓଡିଆ ପଞ୍ଜିକା ମାନଙ୍କରେ ଭିନ୍ନ ମତ ପୋଷଣ କରାଯାଇଥିବାରୁ ପୂଜାର ମୁଖ୍ୟ ତତ୍ତ୍ୱାବଧାରକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ମିଶ୍ର ଦୁର୍ଗୋତ୍ସବ ଚନ୍ଦ୍ରିକା ଓ ଗଦାଧର ପଦ୍ଧତିର ପୂର୍ବ ବିଦ୍ଧା ଓ ଉତ୍ତର ବିଦ୍ଧା ନିୟମ ପର୍ଯ୍ୟାଲୋଚନା କରି ୫ ତାରିଖ ବିଜୟାଦଶମୀ ସସ୍ତ୍ରପୂଜା ଓ ଅନୁକୂଳ ଇତ୍ୟାଦିର ନିର୍ଦ୍ଧାରଣ କରିଛନ୍ତି। ବିଜୟାଦଶମୀର ତିଥିରେ ଅପରାଜିତା ପୂଜା ଓ ଶାନ୍ତିହୋମ ପରେ ଉଭୟ ଉତ୍ତର ଓ ଦକ୍ଷିଣ ପାଶ୍ୱରେ ଦହି ପଖାଳ ଓ ଜହ୍ନିରାଇ ଭୋଗ ହୋଇ ଶାରଦୀୟ ପାର୍ବଣ ଉଦ୍‍ଯାପିତ ହୁଏ। ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଆକର୍ଷଣୀୟ ମେଳା ଅନୁଷ୍ଠିତ ହେଉଥିବା ବେଳେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ୫ଦିନ କାଳ ଠାକୁରାଣୀଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି।

Comments are closed.