ରଙ୍ଗେଇଲୁଣ୍ଡା ବ୍ଲକର କମଳାପୁର ପଞ୍ଚାୟତ ରେଡ୍ ଜୋନ : ୭୫ ବର୍ଷ ବୟସ୍କା ମହିଳା କରୋନା ପଜିଟିଭ ଚିହ୍ନଟ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳକୁ ପୁଣିଥରେ କରୋନାର ଲେଉଟାଣି ହୋଇଥିବା ବେଳେ କମଳାପୁର ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ରେଡ୍ ଜୋନ ଭାବେ ଘୋଷଣା କରାଯାଇଛି। ଦୀର୍ଘ ମାସର ବ୍ୟବଧାନ ପରେ ପୁଣିଥରେ କରୋନାର ଲେଉଟାଣି ଯୋଗୁଁ ଅଞ୍ଚଳବାସୀଙ୍କ ମନରେ ଛନକା ପସିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ କମଳାପୁର ପଞ୍ଚାୟତ ଅଞ୍ଚଳର ଜନୈକା ୭୫ ବ​ର୍ଷ ବୟସ୍କା ବୃଦ୍ଧା ଜଣଙ୍କ ଗତ ୫ ଦିନ ତଳେ ଅସୁସ୍ଥତା ଅନୁଭବ କରିବାରୁ ଗୋଳାବନ୍ଧ ସ୍ଥିତ ଏକ ମେଡିକାଲରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା ନ ସୁଧିରିବାରୁ ଗତ ଶନିବାର ଦିନ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ଏହା ମଧ୍ୟରେ ଶନିବାର ଦିନ ବୃଦ୍ଧା ଜଣଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ରବିବାର ଦିନ ମେଡିକାଲ ପକ୍ଷରୁ ପୁନଃ କରୋନା ଟେଷ୍ଟ ବେଳେ ସୋମବାର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ସେହି ମହିଳା ଜଣଙ୍କ ଏକୁଟିଆ ଘରେ ରହୁଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ମାନେ ରାଜ୍ୟ ବାହାରେ ରହି ଚାକିରି କରୁଛନ୍ତି। ପ୍ରଶାସନ ‌ପକ୍ଷରୁ ପଜିଟିଭ ରିପୋର୍ଟ ଆସିବା ପରେ ସେହି ବରିଷ୍ଠ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ନମୂନା ଟେଷ୍ଟ କରାଯାଇଥିବା ବ୍ଲକ ପ୍ରଶାସନ‌ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ଦିନରେ ପୁଣିଥରେ ସ୍ବାସ୍ଥ୍ୟ ବିଭାଗ ସହାୟତାରେ ଗାଁ ଗାଁରେ କରୋନା ଟେଷ୍ଟ କରାଯିବା ଆରମ୍ଭ କରାଯିବା ସହ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ତଥ୍ୟ ସଗ୍ରଂହ କରିବାକୁ ଅଙ୍ଗନୱାଡି କର୍ମୀଙ୍କ ସହ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅବଗତ କରାଯାଇଥିବା ଏବିଡିଓ ତ୍ରିପତି ବାଲାଜୀ ସାମନ୍ତ ପ୍ରକାଶ କରିଛନ୍ତି। ସୂଚନା  ଯୋଗ୍ୟ ଯେ ଗତ ବର୍ଷ ଏହି ବ଼୍ଲକ ଅଧିନରେ ଥିବା ୩୨ ପଞ୍ଚାୟତ ଅନ୍ତର୍ଗତ ୧୨୩ ଟି ଗାଁରେ ସମୁଦାୟ ୧୦୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୮୨ ଜଣ ସୁସ୍ଥ ହୋଇଥିଲେ। କିନ୍ତୁ ୨୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଆଗାମୀ ଦିନରେ କରୋନା ସକ୍ରଂମଣ ରୋକିବା ନେଇ ଅଞ୍ଚଳବାସୀ ନିଜେ ସଚେତନ ନହେଲେ ପୁଣିଥରେ ବ୍ଲକ ଅଞ୍ଚଳ କରୋନା ହଟସ୍ପଟ ପାଲଟି ଯିବ।

Comments are closed.