ମନରେଗା ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ତଦନ୍ତ ଆରମ୍ଭ କଲେ ଲୋକପାଳ

କଲ୍ୟାଣ ସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ପ୍ରକଳ୍ପ ମାଧ୍ୟମରେ ହୋଇଥିବା ଦୁର୍ନୀତି ଅଭିଯୋଗ ଗୁଡିକୁ ଆଧାର କରି ରାୟଗଡା ଜିଲା ଲୋକପାଳ ଶ୍ରୀମତୀ ବିଦୁଲତା ହୁଇକା ତାଙ୍କ କୋର୍ଟ ତରଫରୁ ଶୁଣାଣୀ, ବିଡ଼ିଓ, ଏପିଓ ଓ ଜେଇ ଙ୍କ ସହ ଆଲୋଚନା କରି ଫେରିଛନ୍ତି । ପ୍ରଥମେ ଧାମୁଣିପଙ୍ଗା ପଞ୍ଚାୟତର କାମଟଣା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେତେକ ଗ୍ରାମରେ ହୋଇଥିବା ଦୁର୍ନୀତି ବିଷୟରେ ଏକ ଜଣଶୁଣାଣୀର ଆୟୋଜନ କରାଯାଇଥିଲା ।

ପ୍ରାୟ ସମସ୍ତ ହିତାଧିକାରୀ ଅଭିଯୋଗ କରିଥିଲେ ଯେ ତାଙ୍କର ବ୍ୟାଙ୍କ ପାସବୁକକୁ ଶ୍ରମିକ ବାବଦରେ ପାଇବାକୁ ଥିବା ପ୍ରାପ୍ୟ ଆସିନାହିଁ । ପୂର୍ବରୁ ଉକ୍ତ ପଞ୍ଚାୟତରେ ଥିବା ଗ୍ରାମ ରୋଜଗାର ସେବକ ଶ୍ରୀ ବସନ୍ତ ହିଆଲ ପ୍ରତି ହିତାଧିକାରୀଙ୍କ ଠାରୁ ବିଲ କରାଇଦେବା ନାଁରେ ପାଞ୍ଚ ରୁ ଦଶ ହଜାର ଲାଞ୍ଚ ନେଇଛନ୍ତି । ଶ୍ରୀ ହିଆଲଙ୍କୁ ଏପିଓ ବାରମ୍ବାର ଫୋନ ଯୋଗେ ଶୁଣାଣୀ ରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ସେ ଉପସ୍ଥିତ ହୋଇନଥିଲେ । ପରେ ଲୋକପାଳ ଏ ବିଷୟରେ ବିଡ଼ିଓ ଓ ଏବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ । ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ବିଡ଼ିଓ ଲୋକପାଳଙ୍କ ନିକଟରେ ପ୍ରକାଶ କରିଛନ୍ତି । ଯଦି ଶ୍ରୀ ହିଆଲ ଲୋକଙ୍କଠାରୁ ନେଇଥିବା ଲାଞ୍ଚ ଶୀଘ୍ର ନଫେରାନ୍ତି ତେବେ ତାଙ୍କ ନାଁରେ ଏଫାଇଆର ଦିଆଯିବ ବୋଲି ଲୋକପାଳ କହିଛନ୍ତି । ଲୋକଙ୍କ ଉଚିତ ପ୍ରାପ୍ୟ ତାଙ୍କୁ ଅତିଶୀଘ୍ର ପ୍ରଦାନ କରାଯିବ ବୋଲି ଏପିଓ ଓ ବିଡ଼ିଓ ପ୍ରକାଶ କରିଛନ୍ତି ।

ଲୋକପାଳ ଏହାପରେ ଧାମୁଣିପଙ୍ଗା ପଞ୍ଚାୟତର ପେଡିପଦର ଗ୍ରାମରେ ଥିବା ଚେକ ଡ୍ୟାମରେ ହୋଇଥିବା ଅନିୟମିତତା ର ତଦନ୍ତ କରି ଦେଖିଥିଲେ ଯେ ଡ୍ୟାମର ଏକ ପାଖ ୱାଲ ଭୁଷୁଡି ପଡିଛି ଓ ଡ୍ୟାମ ମଝିର ଫାଟ ହୋଇଛି । ଉପସ୍ଥିତ ଅଧିକାରୀ ଓ ପୂର୍ବତନ ୱାର୍ଡ ସଭ୍ୟ କହିଥିଲେ କି କଲ୍ୟାଣୀ ନଦୀରେ ପ୍ରବଳ ବନ୍ୟା ଯୋଗୁଁ ଏପରି ହୋଇଛି । ବନ୍ୟା ବା ନିମ୍ନ ଗୁଣବତ୍ତାର କାର୍ୟ୍ୟ ପାଇଁ ଏପରି ହୋଇଛି ସେ ବିଷୟରେ ଅଧିକ ତଦନ୍ତ ଚାଲୁ ରହିଛି । ତେବେ ଲୋକପାଳ ଚେକ ଡ୍ୟାମର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଲୋକପାଳ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମର ଆଦିବାସୀ ସାହିକୁ ଇନ୍ସପେକ୍ସନରେ ଯାଇ ସେଠାର ଥିବା ସିସି ରାସ୍ତାର ମାଇନର ରିପ୍ୟାର ଓ ଡ୍ରେନେଜ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାବୁଗୁଡାର ଅଧାପନ୍ତରିଆ ରାସ୍ତା ପରିଦର୍ଶନ କରିବା ପରେ ଜାଣିବାକୁ ପାଇଛନ୍ତି ଯେ ଲୋକେ ଉକ୍ତ ସ୍ଥାନରେ ରାସ୍ତାକୁ ବିରୋଧ କରୁଛନ୍ତି ଓ ଅନ୍ୟ ଏକ ସ୍ଥାନରେ ଯେଉଁଠି ଏକ ମସ୍ତବଡ ଝୋଲା ଅଛି ସେଠାରେ ରାସ୍ତା ଚାହୁଁଛନ୍ତି; କିନ୍ତୁ ଅଧିକାରୀଙ୍କ କହିବା ଅନୁସାରେ ଲୋକେ କହୁଥିବା ସ୍ଥାନଟି ଆର୍ଥିକ ଓ ଯାନ୍ତ୍ରିକ ରୂପେ ସମ୍ଭବ ନୁହେଁ ।

ଏ ଉପରେ ଲୋକପାଳଙ୍କ ଅଧିକ ତଦନ୍ତ ଚାଲୁ ରହିଛି । ସେହିଭଳି ବ୍ଲକର ଆଭ୍ୟନ୍ତରୀଣ ନିୟମଗିରିର ପାରଶାଳୀ ପଞ୍ଚାୟତର ସାନଡେଙ୍ଗିନାଳୀ ଗ୍ରାମକୁ ପରିଦର୍ଶନରେ ଯାଇ ମନରେଗା ମାଧ୍ୟମରେ ହୋଇଥିବା ସିସି ରୋଡ଼ ଓ ମାଟି କାମରେ ହୋଇଥିବା ଅନିୟମିତତାର ତଦନ୍ତ କରିଛନ୍ତି । ଏହି ସମସ୍ତ ଅନିୟମିତତା ସମ୍ପର୍କରେ ବିଡ଼ିଓଙ୍କ ସହ ବିସ୍ତୃତ ଆଲୋଚନା କରି ଉକ୍ତ ପ୍ରକଳ୍ପ କାର୍ୟ୍ୟ ସମ୍ପାଦନ ଓ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଡ଼ିଓଙ୍କ କାର୍ୟ୍ୟାଳୟ ପକ୍ଷରୁ ହୋଇଥିବା ଅନିୟମିତତା ଉପରେ ବିବରଣୀ ପାଇଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଲୋକପାଳ ଶ୍ରୀମତୀ ହୁଇକା ପ୍ରକାଶ କରିଛନ୍ତି ।

Comments are closed.