ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ ମୃତ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବହୁଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି । ମାରାତ୍ମକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ୯ ଦିନ ବ୍ୟବଧାନରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉକ୍ତ ବ୍ଲକ ସଦର ମହକୁମାରେ ଥାନା ପଛ ଭାଗରେ ଥିବା ଆଦିବାସୀ ସାହିରେ ରହିଆସୁଥିବା ଉପଯୁକ୍ତ ସିଂଙ୍କ ଝିଅ ଅଞ୍ଜଳି ସିଂ (୨୫) ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଆନ୍ଦ୍ରପ୍ରଦେଶର ଶ୍ରୀକାକୁଲମର ଏକ ଘରେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିଲେ । ସେ ଗୁରୁତର ଅବସ୍ଥାରେ ରହିଥିବାରୁ ତାଙ୍କର ଆଜି ମୃତ୍ୟୁ ହୋଇଥିବା ଜଣାପଡିଛି । ଝିଅ ର ମୃତ୍ୟୁ ହେବା ୯ ଦିନ ପୂର୍ବରୁ ସିଂ ଙ୍କ ମଝିଆ ପୁଅ ଉଚିତ ସିଂ(୩୧) ଡେଙ୍ଗୁରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଏମ କେ ସି ଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଉପଯୁକ୍ତ ସିଂ ଙ୍କ ପରିବାରରେ ତିନି ପୁଅ ଓ ଗୋଟିଏ ଝିଅ ଥିଲେ ।
କଲ୍ୟାଣସିଂହପୁର ସଦରରେ ବହୁଦିନ ଧରି ଅନେକ ଲୋକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ କୋରାପୁଟ,ବ୍ରହ୍ମପୁର , ଆନ୍ଧ୍ରପ୍ରଦେଶର ବିଭିନ୍ନ ଘରେ।ଇ ଓ ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଫେରୁଛନ୍ତି । ସଦର ମହକୁମାର ବିଭିନ୍ନ ସାହିରେ ଥିବା (ନାଳ) ଡ୍ରେନଗୁଡିକ ବହୁଦିନ ଧରି ପୋତି ହୋଇ ରହିଥିଲେ ମଧ୍ୟ ପ୍ରଶାସନଙ୍କୁ ଗ୍ରାମବାସୀ ବାରମ୍ବାର ଅବଗତ କରୁଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନାହିଁ। ମୂଖ୍ୟ ବଜାରର କଥା ନକହିବା ଭଲ । ଅନେକ ସ୍ଥାନରେ ପାଣି ପାଇପ ଫାଟି ରହିଥିବା ବେଳେ ନାଳ ନର୍ଦ୍ଧମା ପାଣି ଗୁଡିକ ସେହି ପାଇପରେ ପଶି ରହୁଥିବା ଯୋଗୁଁ ଉକ୍ତ ପାନୀୟ ଜଳକୁ ଲୋକେ ବ୍ୟବହାର କରି ବିଭିନ୍ନ ମାରାତ୍ମକ ରୋଗରେ ଶିକାର ହେଉଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପୋତି ହୋଇଥିବା (ଡ୍ରେନ) ନାଳ ଗୁଡିକର ଅଳିଆ ଆବର୍ଜନା ବାହାର କରିବା ସହ ମୁଖ୍ୟ ରାସ୍ତା ଓ ପ୍ରତ୍ୟେକ ସାହି ସାହିରେ ବ୍ଲିଚିଙ୍ଗ ପକାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.