ବାପାମା ଛେଉଣ୍ଡ ୩ ଅସହାୟ ଭଉଣୀ, ସରକାରୀ ସହାୟତାକୁ ଅପେକ୍ଷା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଦାଣ୍ଡିଆ ସାହିର ଏକ ଦୁଃଖଦାୟକ ଘଟଣା କହିଲେ ନସରେ। ବାପା ନାଗେଶ ଭତ୍ରା ନିଜର ପରିବାର ସହିତ ବେଶ ହସ ଖୁସିରେ ଥିଲେ, ହଠାତ ନାଗେଶଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଖରାପ ହେବା ପରେ ନାଗେଶ ଆର ପାରିକୁ ଚାଲିଗଲେ। ୩ ଝିଅଙ୍କୁ ଧରି ମାଁ ମଣି ଭତ୍ରା ନିଜର ସାହାସ ନ ହରାଇ ଗାଁଗାଁ ବୁଲି ପରିବା ବିକି ନିଜର ଛୁଆଙ୍କ ପେଟ ଭରଣପୋଷାଣ କରି ଆସୁଥିଲେ। ବଡ ଝିଅ ଚାନ୍ଦୁ ଦଶମ ଶ୍ରେଣୀ ପାଠ ପଢୁଥିବା ବେଳେ ଦ୍ଵିତୀୟ ଓ ତୃତୀୟ ଝିଅ ସପ୍ତମ ଏବଂ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି।

ବାପାଙ୍କର ମୃତ୍ୟୁ ହେବାର କିଛି ବର୍ଷ ପରେ ମାଁ ମଣିଙ୍କର ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାର ଲାଗିଲା। କିଛି ଦିନ ତଳେ ସେ ମଧ୍ୟ ଆରପାରିକୁ ଚାଲିଗଲେ। ବର୍ତମାନ ୩ ଝିଅ ଅସହାୟ ହୋଇ ପଡିଛନ୍ତି। କାହା ଭରସାରେ ପିଲାମାନେ ନିଜର ଜୀବନ ଜୀବିକା ସମ୍ଭାଳିବେ ତାହାକୁ ନେଇ ଗ୍ରାମବାସୀ ମଧ୍ୟରେ ଚିନ୍ତା ଘେରିଛି। ସମ୍ପର୍କୀୟ ବୋଲି କେହି ନାହାନ୍ତି, କାହା ପାଖରେ ସେମାନେ ରହି ମଣିଷ ହେବେ, ତାହାକୁ ନେଇ ଗ୍ରାମବାସୀଙ୍କ ଠାରୁ ଆରମ୍ବ କରି ସମସ୍ତଙ୍କ ମନରେ ଚିନ୍ତା। ଅତି ଗରିବ ଶ୍ରେଣୀର ହୋଇଥିଵାରୁ ପାଠ ପଡ଼ିବା ସହିତ ପରିବାର ଚଳାଇବା ବହୁ କଷ୍ଟକର ହୋଇ ପଡୁଛି। ସାହି ପଡ଼ିଶା କେହି ଚାଉଳ ଦେଲେ ରୋଷେଇ କରି ଖାଉଛନ୍ତି ନ ହେଲେ ଓଳିଏ ଖାଇ ଓଳିଏ ଭୋକ ଉପାସରେ ରହୁଛନ୍ତି। ଜିଲ୍ଲା ପ୍ରଶାସନ ଅନାଥ ୩ ଭଉଣୀଙ୍କ ପାଠପଢ଼ା ଓ ସମସ୍ତ ପ୍ରକାର ଦାୟିତ୍ୱ ବହନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Comments are closed.