ବିଜେପିକୁ ଫେରିଲେ କଲ୍ୟାଣ ସିଂହ

0

ନୂଆଦିଲ୍ଲୀ/ଲକ୍ଷ୍ନୌ : ରାଜସ୍ଥାନ ରାଜ୍ୟପାଳ ପଦରୁ ଅବସର ନେଇଥିବା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ପୁନର୍ବାର ବିଜେପିରେ ଯୋଗ ଦେଇଛନ୍ତି। ଲକ୍ଷ୍ନୌଠାରେ ସୋମବାର ଉତ୍ତରପ୍ରଦେଶ ବିଜେପି ସଭାପତି ସ୍ବତନ୍ତ୍ରଦେବ ଚୌଧୁରୀ, ପୁଅ ତଥା ଇଟା ଲୋକସଭା ସାଂସଦ ରାଜବୀର ସିଂହ ଓ ନାତି ତଥା ଉତ୍ତରପ୍ରଦେଶ ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ଦୀପ ସିଂହ ପ୍ରମୁଖଙ୍କ ଉପସ୍ଥିତିରେ ୮୭ବର୍ଷୀୟ କଲ୍ୟାଣ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ରାଜସ୍ଥାନ ରାଜ୍ୟପାଳ ଭାବେ ପୂରା ୫ବର୍ଷ ଦାୟିତ୍ବ ନିର୍ବାହ କରିବା ପରେ ଏହି ପଦରୁ ସେ ଚଳିତ ମାସ ୩ ତାରିଖରେ ଅବସର ନେଇଥିଲେ। ଏଥିସହିତ କଲ୍ୟାଣ ପୁନଃ ପ୍ରତ୍ୟକ୍ଷ ରାଜନୀତିକୁ ଫେରିବେ ବୋଲି ଚର୍ଚ୍ଚା ହେଉଥିଲା। ବିଜେପିରେ ଯୋଗଦେବା ପରେ କଲ୍ୟାଣ କହିଛନ୍ତି ଯେ ବୟସ ୮୭ ହେଲେ ମଧ୍ୟ ଶାରୀରିକ ଭାବେ ସେ ଅବସ ହୋଇ ନାହାନ୍ତି କିମ୍ବା ମାନସିକସ୍ତରରେ ଅବସର ନେଇ ନାହାନ୍ତି। ପ୍ରତ୍ୟକ୍ଷ ରାଜନୀତି ମାଧ୍ୟମରେ ଜନତାଙ୍କ ସେବା କରିବାକୁ ଏବେ ମଧ୍ୟ ସେ ପ୍ରସ୍ତୁତ ବୋଲି କଲ୍ୟାଣ କହିଛନ୍ତି। ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ରହିବା ଦ୍ବାରା ସମ୍ବିଧାନର ଧାରା ୩୬୧ ଆଧାରରେ ବାବ୍ରି ମସ୍‌ଜିଦ ଭଙ୍ଗ ନେଇ ତାଙ୍କ ବିରୋଧରେ ରହିଥିବା ଆପରାଧିକ ଷଡ଼ଯନ୍ତ୍ର ମାମଲାରୁ ସୁରକ୍ଷା ମିଳିଥିଲା। ଏବେ ସେ ଲାଲକୃଷ୍ଣ ଆଡୱାଣୀ, ମୁରଲୀ ମନୋହର ଯୋଷୀ ଓ ଉମା ଭାରତୀଙ୍କ ସହିତ ଏହି ମାମଲାରେ ବିଚାରର ସମ୍ମୁଖୀନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ୧୯୯୨ ଡିସେମ୍ବର ୬ରେ ବାବ୍ରି ମସ୍‌ଜିଦ ଭଙ୍ଗ ସମୟରେ କଲ୍ୟାଣ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ।

Leave A Reply