MEllora 950×100

ନିଜିଗଡ଼ କାଳୀପୂଜା ଶାନ୍ତି କମିଟିର ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ତିଗିରିଆ : ତିଗିରିଆ ନିଜିଗଡ଼ର ପ୍ରସିଦ୍ଧ କାଳୀପୂଜାର ପାରମ୍ପରିକ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ପ୍ରସନ୍ନମଣି ପୀଠରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଶାନ୍ତି କମିଟି ସଭାପତି ପ୍ରଣବ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଚଳିତ ବର୍ଷର କାଲିପୂଜାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ସାହି ପୂଜା କମିଟି ଗୁଡ଼ିକୁ ପୁରସ୍କୃତ କରାଯାଇଛି ।
ଆୟୋଜିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଥାନା ଅଧିକାରୀ ସୁଚିତ୍ରା ଜେନା, ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ ସାହୁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ସାହୁ ଏବଂ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମହାରଣା ଯୋଗଦେଇଥିଲେ । ଶାନ୍ତି କମିଟିର ସଭ୍ୟ ବିକ୍ରମ କେଶରୀ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ପୂଜା କମିଟି ଗୁଡ଼ିକୁ, ମୂର୍ତ୍ତି ନିର୍ମାଣରେ ରାଜା ବନମାଳି ସ୍ମାରକୀ ଟ୍ରଫି ଗାନ୍ଧୀସାହି, ସୁନ୍ଦର ଆଭ୍ୟନ୍ତରୀଣ ସାଜ୍ଜସଜ୍ଜାରେ ଫଗୁସାହୁ ସ୍ମାରକୀ ଟ୍ରଫି ନୂଆସାହି (ତଳଗଡ଼), ଆଲୋକସଜ୍ଜାରେ ଗତିକୃଷ୍ଣ ସ୍ମାରକୀ ଟ୍ରଫି ମହାବୀର ବଜାର, ପରିମଳ କ୍ଷେତ୍ରରେ ସୁଶାନ୍ତ ନାଥ ସ୍ମାରକୀ ଟ୍ରଫି ମଡେଲ ବସ୍ତି, ଶୃଙ୍ଖଳାରେ ଚାରୁଲତା ସ୍ମାରକୀ ଟ୍ରଫି ମଝିସାହି (ତଳଗଡ଼), ବିଜର୍ସନ ଶୃଙ୍ଖଳା ପାଇଁ କୁଳମଣି ସ୍ମାରକୀ ଟ୍ରଫି ନବୀସସାହି ଓ ସମସ୍ତ ବିଭାଗରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଶିବପାର୍ବତୀ (ଉପରଗଡ଼) ଚାମ୍ପିିୟନ ହୋଇ ବନମାଳି ମହାନ୍ତି ସ୍ମାରକୀ ରନିଂ ସିଲ୍ ଅତିଥିମାନଙ୍କ ଠାରୁ ଗ୍ରହଣ କରିଛନ୍ତି।
ଚଳିତ ବର୍ଷର କାଳୀପୂଜା ଯାତ୍ରାଟି ପ୍ରଶାସନ ଓ ଶାନ୍ତି କମିଟିର ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିବାରୁ ନିଜିଗଡ଼ ଗ୍ରାମବାସୀ ଓ ସମସ୍ତ ପୂଜା କମିଟିଗୁଡ଼ିକୁ ସମ୍ପାଦକ ଗିରିଜା ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶାନ୍ତି କମିଟି ଉପଦେଷ୍ଠା ପୂର୍ବତନ ସାଂସଦ ସୁବାଷ ମହାନ୍ତି, ରମେଶ ଚନ୍ଦ୍ର ପଣ୍ଡା, ରବିନାରାୟଣ ପଣ୍ଡା, ସୁଶୀଳ ନନ୍ଦ, ଲୁଟୁ ଗୁରୁ, ଜୟନ୍ତି ସିଂ, ଜୟନ୍ତ ସାହୁ, ବାସନ୍ତୀ ମିଶ୍ର, ସୁବାଷ ଚନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ଦାସ, ତନ୍ମୟ ମିଶ୍ର, ବାପୁ ମହାନ୍ତି, ହୃଦାନନ୍ଦ ରଣା ପ୍ରମୁଖଙ୍କ ସହିତ ୧୭ଟି ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments are closed.